ଅପହରଣ କରି ମୁଣ୍ଡ ଛେଚିବା ପରେ ଫିଙ୍ଗି ଦିଆଯାଇଥିବା ୨୦ ବର୍ଷିୟ ଛାତ୍ର ୫ ଦିନ ପରେ ବି ଜୀବିତ!

ଭୋପାଳ: ପାଞ୍ଚ ଦିନ ତଳୁ ଅପହରଣ କରି ନିଆଯାଇ ଥିବା ଜଣେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚା ଯିବା ପରେ ତାଙ୍କ ହାତଗୋଡ଼ ବନ୍ଧାଯାଇ ଇନ୍ଦୋର ନିକଟସ୍ଥ ଗୋଟାଏ ୫୦୦ ଫୁଟ୍‌ ଗଭୀର ଗଣ୍ଡରେ ଫିଙ୍ଗା ଯାଇଥିଲା। କିନ୍ତୁ, ଶୁକ୍ରବାର ଦିନ ତାଙ୍କୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି।

ସାଗର ଅନ୍ତର୍ଗତ ଶାହଗଡ଼ ବାସିନ୍ଦା୨୦ ବର୍ଷିୟ ମୃଦୁଳ ଓରଫ୍‌ ମନୁ ଭାଲ୍ଲା ଏବେ ଇନ୍ଦୋରର ବମ୍ବେ ହସ୍‌ପିଟାଲ୍‌ରେ ଆରୋଗ୍ୟ ଲାଭ କରୁଛନ୍ତି। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ।

ପୁଲିସ କହିବା ଅନୁସାରେ, ଇନ୍ଦୋରରେ ବିସିଏ ପଢୁଥିବା ମୃଦୁଳ ବନ୍ଧୁ ସୌରଭ ସେନଙ୍କ ସହ ପରଦେଶୀପୁର ଅନ୍ତର୍ଗତ କ୍ଲର୍କ କଲୋନିସ୍ଥିତ ଏକ ଆପାର୍ଟମେଣ୍ଟ୍‌ରେ ଭଡ଼ା ଦେଇ ରହୁଥିଲା। ଜାନୁଆରି ୭ ତାରିଖ ଦିନ ସେ ନିଖୋଜ ହୋଇ ଯାଇଥିଲା।

ସୋମବାର ଦିନ ସୌରଭ ଏବଂ ତାଙ୍କର ସାଙ୍ଗମାନେ ଥାନାରେ ଖବର କରିବାକୁ ପହଞ୍ଚି ଥିଲେ ମଧ୍ୟ ପ୍ରଥମେ ପରଦେଶୀପୁର ପୁଲିସ ଏ ଘଟଣା ଉପରେ ଗୁରୁତ୍ୱ ଦେଇ ନ ଥିଲା। କିନ୍ତୁ ମୃଦୁଳଙ୍କ ବାପା ମୋହିତ ଭାଲ୍ଲା ଦିନକ ପରେ ସାଗରରୁ ଆସି ପହଞ୍ଚିବା ପରେ ପୁଲିସ ମାମଲା ଉପରେ ଗୁରୁତ୍ୱ ଦେଇଥିଲା।

ସିସିଟିଭି ଫୁଟେଜ୍‌, କଲ୍‌ ଡିଟେଲ୍‌ସ୍‌ ଏବଂ କେତେକ ସାକ୍ଷୀଙ୍କ ସହାୟତାରେ ପୁଲିସ ଆକାଶ ରତ୍ନାକର ଏବଂ ତାଙ୍କର ଦୁଇ ସାଥି ରୋହିତ ଓରଫ୍‌ ପୀୟୂଷ ଏବଂ ବିଜୟଙ୍କୁ ଗିରଫ କରିଛି। ସେମାନଙ୍କ ବୟସ ୨୦ ପାଖାପାଖି ଏବଂ ସେମାନେ ଇନ୍ଦୋରବାସୀ।

ପଚରା ଉଚୁରା ବେଳେ ଆକାଶ କହିଲା ଯେ, ମୃଦୁଳ ରହୁଥିବା ଘର ନିକଟରେ ରହୁଥିବା ଜଣେ ଝିଅ ସହ ତା’ର ସ୍ନେହ ସମ୍ପର୍କ ଥିଲା। ତା’ର ସନ୍ଦେହ ହୋଇଥିଲା କି, ବୋଧହୁଏ ମୃଦୁଳ ତାକୁ ନିଜ ଆଡ଼କୁ ଆକୃଷ୍ଟ କରିବାକୁ ଚେଷ୍ଟା ଚଳାଇଛି। ଦୁହେଁ ରାତି ଅଧଯାଏଁ ଚାଟିଙ୍ଗ୍‌ କରୁଥିଲେ। ତେଣୁ ଆକାଶ ଏବଂ ତା’ର ଦୁଇ ବନ୍ଧୁ ମୃଦୁଳକୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରିଥିଲେ। ରବିବାର ସକାଳେ ଆକାଶ ତା’ ଭାଇଙ୍କ କାର୍‌ ନେଇ ମୃଦୁଳକ ଡାକି କହିଥିଲା କି, ସେ ଝିଅର ଦାଦା ତା’ ସାଙ୍ଗରେ କଥାବାର୍ତ୍ତା କରିବାକୁ ଚାହୁଁଛନ୍ତି।

ସେମାନେ ମୃଦୁଳଙ୍କୁ କାର୍‌ରେ ବସାଇ ଇନ୍ଦୋର ଠାରୁ ପ୍ରାୟ ୩୫ କିଲୋମିଟର ଦୂର ପେଦ୍ମି-ଉଦୟନଗର ରୋଡ୍‌ ନିକଟବର୍ତ୍ତୀ ଜଙ୍ଗଲକୁ ନେଇ ଯାଇଥିଲେ। ପ୍ରଥମେ ସେମାନେ ମୃଦୁଳକୁ ମାଡ଼ିବସି ଖଣ୍ଡେ ପଥରରେ ତା’ର ମୁଣ୍ଡକୁ ଛେଚି ପକାଇଥିଲେ। ସେ ମରିଯାଇଛି ଭାବି ତାଙ୍କର ହାତଗୋଡ଼ ବାନ୍ଧି ପକାଇ ଗଭୀର ଗଣ୍ଡ ଭିତରକୁ ପକାଇ ଦେଇଥିଲେ।

ମୃଦୁଳଙ୍କୁ ହତ୍ୟା କରିଥିବା ଅପହରଣକାରୀମାନେ ସ୍ୱୀକାର କରିଥିବା କଥା ଏଏସ୍‌ପି ପ୍ରଶାନ୍ତ ଚୌବେ କହିଛନ୍ତି। ଆକାଶ ଜଣେ ଡାକ୍ତରଙ୍କ ପାଖରେ ଡ୍ରାଇଭର ଥିବାବେଳେ, ରୋହିତ ଜଣେ ଆଇରନ୍‌ ଫେବ୍ରିକେଟର୍‌ ଭାବେ କାମ କରେ ଏବଂ ବିଜୟ ଜଣେ ଇଲେକ୍‌ଟ୍ରିସିଆନ୍‌।

ମୃଦୁଳଙ୍କ ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତର କହନ୍ତି ଭର୍ତ୍ତି କରାଯିବା ସମୟରେ ତାଙ୍କର ନାଡ଼ୀର ବେଗ ଥିଲା ୪୬ରୁ କମ୍‌। ତାଙ୍କୁ ହାଇପୋଥର୍ମିଆ ହୋଇ ଯାଇଥିଲା ଏବଂ ଶରୀରରୁ ଗ୍ଲୁକୋଜ୍‌ ସରି ଆସିଥିଲା। ସେ ଜିଇଁ ରହିବା ଗୋଟାଏ ଚମତ୍କାରିତା।

ସମ୍ବନ୍ଧିତ ଖବର