ଅବସରପ୍ରାପ୍ତ ଅଧ୍ୟାପକଙ୍କୁ ଅପହରଣ ଓ ହତ୍ୟା

ଶବ ମିଳିଲା ଆମ୍ବଯୋଡ଼ା ଜଙ୍ଗଲରୁ, ଘଟଣା ସ୍ଥଳରେ ପହଞ୍ଚିଲା ସନ୍ଧାନୀ କୁକୁର

ବାରିପଦା: ବାରିପଦା ଟାଉନ୍‌ ଥାନା ଅନ୍ତର୍ଗତ ୧୮ ନମ୍ବର ୱାର୍ଡ଼ ଯମୁନାଦେଇପୁରରୁ ଅପହୃତ ଅବସରପ୍ରାପ୍ତ ଅଧ୍ୟାପକଙ୍କ ଶବ ଆଜି ବେତନଟୀ ଥାନା ଅନ୍ତର୍ଗତ ଆମ୍ବଯୋଡ଼ା ଜଙ୍ଗଲର ମାଟିତଳୁ ମିଳିଛି। ଉଭୟ ବାରିପଦା ଓ ବେତନଟୀ ପୁଲିସ ସନ୍ଧାନୀ କୁକୁର ସହିତ ଆମ୍ବଯୋଡ଼ା ଜଙ୍ଗଲରେ ପହଞ୍ଚି ମୃତ ଅଧ୍ୟାପକଙ୍କ ଶବ ମାଟିତଳୁ ଖୋଳି ବାହାର କରିଛନ୍ତି। ଏହାପରେ ଶବର ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ବାରିପଦା ଏସ୍‌ଡିପିଓ ଅଭିମନ୍ୟୁ ନାୟକ ସୂଚନା ଦେଇଛନ୍ତି। ଏହି ଘଟଣାରେ ପୁଲିସ ୨ ଜଣଙ୍କୁ ଅଟକ ରଖି ପଚରା ଉଚରା ଜାରି ରଖିଥିଲା। ସେମାନଙ୍କଠାରୁ ମିଳିଥିବା ସୂଚନା ଅନୁସାରେ, ଆଜି ଉକ୍ତ ଶବକୁ ଉଦ୍ଧାର କରାଯାଇଛି।
ଘଟଣାରୁ ପ୍ରକାଶ, ଅଧ୍ୟାପକ ସ୍ୱର୍ଗତ ମହାନ୍ତ ଗତ ମାସ ୨୭ ତାରିଖଠାରୁ ନିଖୋଜ ଥିଲେ। ବାରିପଦା ସହରର ଯମୁନାଦେଇପୁରରେ ବାସ କରୁଥିବା ଅବସରପ୍ରାପ୍ତ ଅଧ୍ୟାପକ ଡ. ସୁଧୀର କୁମାର ମହାନ୍ତ (୬୫)ଙ୍କୁ କେହି ଦୁର୍ବୃତ୍ତ ଅପହରଣ କରି ନେଇଯାଇଛନ୍ତି ବୋଲି ତାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା। ଏଥିନେଇ ବାରିପଦା ଟାଉନ୍‌ ଥାନାରେ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିଲା। ସ୍ୱର୍ଗତଃ ଅଧ୍ୟାପକଙ୍କର ଏକ ବଡ଼ (ଅଢ଼େଇ ଏକର) ଜମି ବିକ୍ରି ହେବାର ଥିଲା। କୌଣସି ଜମି ଦଲାଲ୍‌ ଟଙ୍କା ଲୋଭରେ ତାଙ୍କ ସ୍ୱାମୀଙ୍କୁ ଅପହରଣ କରିନେଇଯାଇଛନ୍ତି ବୋଲି ଅପହୃତ ଅଧ୍ୟାପକଙ୍କ ପତ୍ନୀ ସ୍ନେହପ୍ରଭା ମହାନ୍ତ ଅଭିଯୋଗ କରିଥିଲେ। ଏ ନେଇ ବାରିପଦା ଟାଉନ୍‌ ଥାନାରେ ଶ୍ରୀମତୀ ମହାନ୍ତ ଏତଲା ଦେଇଥିଲେ। ଅପହୃତ ଅଧ୍ୟାପକଙ୍କ ପତ୍ନୀ ଶ୍ରୀମତୀ ମହାନ୍ତ କରଞ୍ଜିିଆ ଖଜୁରୀସାଗର ନୂତନ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରନ୍ତି। ଶ୍ରୀମତୀ ମହାନ୍ତ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ, ପ୍ରତି ସପ୍ତାହ ଭଳି ସେ ଗତ ୨୬ ତାରିଖ ରାତି ଆଠଟା ସମୟରେ ଘରେ ପହଁଞ୍ଚିିଥିଲେ। ତେବେ ଘରେ ପହଁଞ୍ଚିିବା ପରେ ଘରର ମୁଖ୍ୟ ଫାଟକ ସମେତ ସମସ୍ତ କୋଠରୀ ଗୁଡ଼ିକର କବାଟ ଖୋଲା ରହିଥିଲା। ଏହାସହିତ ଘରର ଲୁହା ଆଲମିରାର କବାଟ ଭଙ୍ଗାଯାଇ ସେଥିରୁ ସୁନାଗହଣା ଓ ନଗଦ ଟଙ୍କା ଆଦି ଚୋରି ହୋଇଥିବା ସହିତ ଘରର ଆସବାବପତ୍ର ବିକ୍ଷିପ୍ତ ହୋଇ ପଡ଼ିରହିଥିବାର ଦେଖିବାକୁ ପାଇଥିଲେ। କିନ୍ତୁ ତାଙ୍କର ସ୍ୱାମୀ ଡ. ମହାନ୍ତଙ୍କୁ ଘରେ ଦେଖିବାକୁ ପାଇନଥିଲେ। ବହୁତ ଖୋଜାଖୋଜି କରିବା ପରେ ସେ ଟାଉନ ଥାନାରେ ତାଙ୍କ ସ୍ୱାମୀ ନିଖୋଜ ଥିବା ନେଇ ଏକ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ଏହା ମଧ୍ୟରେ ସାତଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଡ. ମହାନ୍ତଙ୍କର କୌଣସି ସୁରାକ ପାଇପାରି ନ ଥିଲା।
ସୂଚନାଯୋଗ୍ୟ, ଡ. ମହାନ୍ତ ୧୯୯୬ ମସିହା ପର୍ଯ୍ୟନ୍ତ ବାରିପଦା ମହାବିଦ୍ୟାଳୟର ଅଧ୍ୟକ୍ଷ ରହିଥିଲେ। ଏହାପରେ ସେ ଝାରପୋଖରିଆସ୍ଥ ସୀମାନ୍ତ ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗୀୟ ମୁଖ୍ୟ ଭାବେ ୨୦୧୨ ଜୁଲାଇ ମାସରେ ଅବସର ନେଇଥିଲେ। ଡ. ମହାନ୍ତଙ୍କ ଭଳି ଜଣେ ପ୍ରତିଷ୍ଠିତ ଶିକ୍ଷାବିତ୍‌, ଗାଳ୍ପିକ, ଲେଖକ ତଥା ସହରର ଜଣେ ବରିଷ୍ଠ ନାଗରିକଙ୍କୁ ଅପହରଣ ଓ ହତ୍ୟା ଘଟରା ମୟୂରଭଞ୍ଜ ଜିଲ୍ଲାରେ ପ୍ରଥମ ବୋଲି ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର