ରାସ୍ତାରେ ଯୁୁବତୀଙ୍କୁ ଅପହରଣ ଘଟଣା : ଗାଡ଼ି ଚାଳକ ଗିରଫ

ଭୁବନେଶ୍ୱର : ମଞ୍ଚେଶ୍ୱର ଥାନା ଅଧୀନ ନୂଆ ଜଗନ୍ନାଥ ବାଇପାସ୍‌ ରାସ୍ତାରେ ଜଣେ ଯୁବତୀଙ୍କୁ ଅପହରଣ ଘଟଣାରେ ମଞ୍ଚେଶ୍ୱର ଥାନା ପୁଲିସ ଗତ ୫ ତାରିଖରେ ମୁଖ୍ୟ ଆସାମୀ ପ୍ରଭାତ ସ୍ୱାଇଁ ଓରଫ ହାଲୁକୁ ଗିରଫ କରିଥିବା ବେଳେ ଆଜି ଗାଡ଼ି ଚାଳକକୁ ଗିରଫ କରିଛି। ସେ ହେଲା ନୟାଗଡ଼ ଜିଲ୍ଲା ନୂଆଗାଁ ଅଞ୍ଚଳର ପୀତବାସ ସାହୁ ଓରଫ ମିଟୁ।

ପ୍ରକାଶ ଥାଉ କି, ଶନିବାର ମଧ୍ୟାହ୍ନରେ ଯୁବତୀ ଜଣଙ୍କ ଚାଲିଚାଲି ନିଜର ଜଣେ ସମ୍ପର୍କୀୟଙ୍କ ଘରକୁ ଯାଉଥିବାବେଳେ ପ୍ରଭାତ ଓ ପୀତବାସ ତାଙ୍କୁ ପିଛା କରିଥିଲେ। କିଛି ବାଟ ପିଛା କରିବା ପରେ ଯୁବତୀଙ୍କୁ ଏକୁଟିଆ ପାଇ ପ୍ରଭାତ ତାଙ୍କ ମୁଣ୍ଡରେ ମାଉଜର ଲଗାଇ କାର୍‌ ଯୋଗେ ଅପହରଣ କରି ନେଇଥିଲେ। ଯୁବତୀଙ୍କ ପରିବାର ଲୋକ ଝିଅକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ନ ପାଇ ଏ ନେଇ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗକୁ ଗ୍ରହଣ କରି ଖୋଳତାଡ଼ ଆରମ୍ଭ କରିଥିଲା। ପୁଲିସ ଭୁବନେଶ୍ୱର ଉପକଣ୍ଠ ସମେତ ବିଭିନ୍ନ ସ୍ଥାନରେ ଚଢ଼ଉ କରି ସଂଧ୍ୟାରେ ପ୍ରଭାତଙ୍କୁ ଗିରଫ କରିବା ସହିତ ଯୁବତୀଙ୍କୁ ଉଦ୍ଧାର କରିଥିଲା। ଏପରିକି ଅପହରଣରେ ବ୍ୟବହୃତ କାର୍‌କୁ ମଧ୍ୟ ପୁଲିସ ଜବତ କରିଛି। ହେଲେ ଗାଡ଼ିଚାଳକ ପୀତବାସ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲା। ପୁଲିସ ତାକୁ ଗିରଫ ପାଇଁ ତନାଘନା ଜାରି ରଖିଥିଲା। ଗତକାଲି ରାତିରେ ପୁଲିସର ଏକ ଟିମ୍‌ ନୟାଗଡ଼ରୁ ପୀତବାସକୁ ଗରିଫ କରିଥିଲା। ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର