ଡାକ୍ତର ଚୋରି କରି ନେଇଗଲେ କିଡନୀ, ସ୍ବାମୀ ଛାଡ଼ି ଦେଲେ ହାତ; ହସ୍ପିଟାଲ ବିଛଣାରେ ପଡ଼ି ଭୋଭୋ ହୋଇ କାନ୍ଦୁଛନ୍ତି ସୁନୀତା

ନୂଆଦିଲ୍ଲୀ: ବିହାର ମୁଜାଫରପୁରର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣେ ମହିଳା ଭୋଭୋ ହୋଇ କାନ୍ଦୁଛନ୍ତି। ସେ କହିଛନ୍ତି, ‘ଡାକ୍ତର ମୋର ଦୁଇଟି କିଡନୀ ଚୋରି କରି ନେଇଥିବା ବେଳେ ସ୍ବାମୀ ମୋତେ ହସ୍ପିଟାଲ‌ରେ ଏପରି ଅବସ୍ଥାରେ ଛାଡ଼ି କେଉଁଆଡେ ଚାଲି ଯାଇଛନ୍ତି, ତାଙ୍କ ସହିତ ଯୋଗାଯୋଗ ବି ହୋଇପାରୁ ନାହିଁ। ଶାଶୁଘର ଲୋକ ବି ମୋତେ କେହି ପଚାରୁ ନାହାନ୍ତି। ଏଭଳି ସମୟରେ ମୋ ପିଲାଙ୍କ ଭବିଷ୍ୟତ କ’ଣ ହେବ ।’

କିଛିଦିନ ହେବ ୟୁଟେରସରେ ସଂକ୍ରମଣ ହେତୁ ଚିକିତ୍ସା ପାଇଁ ସୁନୀତା ମୁଜାଫରପୁର ବରିଆରପୁର ଚୌକ ନିକଟରେ ଥିବା ଏକ ଘରୋଇ ନର୍ସିଂହୋମକୁ ଆସିଥି‌ଲେ। ସେଠାରେ ଡାକ୍ତର ତାଙ୍କୁ ଭର୍ତ୍ତି ହେବାକୁ କହିଥିଲେ। ଉକ୍ତ ନର୍ସିଂହୋମରେ ଭର୍ତ୍ତି ହୋଇଥିବା ବେଳେ ଡାକ୍ତର ସୁନୀତାଙ୍କ ୟୁଟେରସର ଅସ୍ତ୍ରୋପଚାର କରିବେ ବୋଲି କହି କିଡନୀ କାଢ଼ିନେଇ  କେଉଁଆଡେ ଫେରାର ହୋଇଯାଇଥିଲେ। ତେବେ ଆଶ୍ଚର୍ଯ୍ୟର କଥା ଡାକ୍ତର ସୁନୀତାଙ୍କ ଗୋଟିଏ ନୁହେଁ, ଦୁଇଟିଯାକ କିଡନୀ କାଢ଼ି ନେଇ ଉଭାନ ହୋଇଯାଇଥିଲେ  ସୁନୀତାଙ୍କ ଚିକିତ୍ସା ଏସକେ ମେଡିକାଲ କଲେଜ ହସ୍ପିଟାଲରେ ଜାରି ରହିଛି ।

କିଡନୀ କାଢ଼ି ନେବା ପରେ ସୁନୀତାଙ୍କ ସ୍ବାସ୍ଥାବସ୍ଥା ଧୀରେଧୀରେ ବିଗିଡ଼ିବା ଦେଖି ଉକ୍ତ କ୍ଲିନିକର ସଞ୍ଚାଳକ  ଡାକ୍ତର ପବନ ତାଙ୍କୁ ପାଟନାରେ ଥିବା ଏକ ନର୍ସିଂହୋମରେ ଭର୍ତ୍ତି କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ସୁନୀତାଙ୍କ ସ୍ବାମୀ ଏହି ଘଟଣା ନେଇ ପୁଲିସରେ ଅଭିଯୋଗ କରିବା ପରେ କିଡନୀ ଚୋରିରେ ସମ୍ପୃକ୍ତ ଥିବା ଡାକ୍ତର ପବନଙ୍କୁ ଗିରଫ କରାଯାଇଛି ।

ଅପରପକ୍ଷ‌ରେ ସୁନୀତାଙ୍କ ଏଭଳି ଅବସ୍ଥା ବିଷୟରେ ଜାଣିବା ପରେ ସ୍ବାମୀ ଅକଲୁ ରାମ ସ୍ତ୍ରୀଙ୍କୁ କିଡନୀ ଦେବାକୁ ରାଜି ହୋଇଥିଲେ। କିନ୍ତୁ ଅକଲୁଙ୍କ କିଡନୀ ସୁନୀତାଙ୍କ ଶରୀରରେ ଖାପଖାଇବ ନାହିଁ ବୋଲି ଡାକ୍ତର କହିଥିଲେ। ଏହାପରେ କୌଣସି କଥାକୁ ନେଇ ସ୍ବାମୀ ଅକଲୁ ଓ ସ୍ତ୍ରୀ ସୁନୀତାଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଫଳରେ ଅକୁଲ ହସ୍ପିଟାଲରେ ତିନିଛୁଆଙ୍କ ସହିତ ମା’କୁ ଛାଡ଼ି କେଉଁଆଡେ ଚାଲି ଯାଇଛନ୍ତି।

 

 

ସମ୍ବନ୍ଧିତ ଖବର