ଜୁଆଖେଳରୁ ଭୁଜାଲି ମାଡ଼, ଜଣେ ମୃତ

ବିଜେପୁର: ବରଗଡ଼ ଜିଲ୍ଲା ବିଜେପୁର ଥାନା ଚାରପାଲି ଗ୍ରାମରେ ରବିବାର ରାତିରେ ଭୁଜାଲି ଆକ୍ରମଣରେ ଜଣକର ମୃତ୍ୟୁ ଘଟିଛି। ୩ଜଣ ଆହତ ହୋଇଛନ୍ତି। ଉତ୍ୟକ୍ତ ଗ୍ରାମବାସୀ ଅଭିଯୁକ୍ତର ଘର ଭାଙ୍ଗି କାର, ଟ୍ରାକ୍ଟର, ବାଇକ୍‌ ଆଦିକୁ ପୋଡ଼ିବା ସହିତ ବିଜେପୁର ଥାନା ଘେରାଉ କରିଛନ୍ତି। ପୁଲିସର ସୂଚନା ଅନୁସାରେ, ଚାରପାଲି ଗ୍ରାମରେ ଏକ ନବନିର୍ମିତ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ଚାଲିଥିଲା। ଏହି ଅବସରରେ ମୀନା ବଜାରରେ ଡଟ୍‌ ବୋର୍ଡ (ଏକ ରକମର ଜୁଆ) ଖେଳ ଚାଲିଥିଲା। ମହାବୀର ସାହୁ(୪୮) ମଧ୍ୟ ଜୁଆ ଖେଳୁଥିଲା। ସେଠାରେ ସୁଶାନ୍ତ ପଧାନ(୨୮)ଙ୍କ ସହିତ ମହାବୀରଙ୍କ ଟଙ୍କା ପଇସାକୁ ନେଇ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ମହାବୀର ପାଖରେ ରଖିଥିବା ଏକ ଭୁଜାଲିରେ ସୁଶାନ୍ତଙ୍କୁ ଆକ୍ରମଣ କରିଥିଲା। ସୁଶାନ୍ତଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଲୋକେ ବିଜେପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଆକ୍ରମଣସ୍ଥଳରେ ତିନିଜଣ ଗ୍ରାମବାସୀ ଭୁଜାଲି ଛଡ଼ାଇବା ଉଦ୍ୟମ କରି ଆହତ ହୋଇଛନ୍ତି। ଘଟଣାକୁ ନେଇ ଗ୍ରାମରେ ରାତିମମାମ ଉତ୍ତେଜନା ଲାଗି ରହିଥିଲା। ସୋମବାର ସକାଳେ ଗ୍ରାମବାସୀ ମହାବୀର ସାହୁଙ୍କ ଘର ଭଙ୍ଗାରୁଜା କରିଥିବା ବେଲେ ଟ୍ରାକ୍ଟର, କାର, ବାଇକ ସମେତ ବିଭିନ୍ନ ଜିନିଷକୁ ପୋଡି ଦେଇଛନ୍ତି। ଅଭିଯୁକ୍ତର ବାପାକୁ ପୁଲିସ ଅଟକ ରଖିଛି। ପରିବାର ଅନ୍ୟ ସଦସ୍ୟମାନେ ଗ୍ରାମରୁ ଫେରାର୍‌ ମାରିଛନ୍ତି। ଗ୍ରାମବାସୀ ଏହାପରେ ବିଜେପୁର ଥାନା ଘେରାଉ କରିଥିଲେ। ପରେ ପ୍ରତିଶ୍ରୁତି ପାଇ ଗ୍ରାମବାସୀ ଧାରଣାରୁ ଓହରିଥିଲେ। ମୃତକଙ୍କ ଭାଇଙ୍କ ଏତଲାକୁ ଆଧାର କରି ପୁଲିସ୍‌ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି।

ସମ୍ବନ୍ଧିତ ଖବର