ଯୁବତୀଙ୍କୁ ଅସଦାଚରଣ, ବାପାଙ୍କୁ ଛୁରାମାଡ଼

ଭାଗବତ ସନ୍ଧାନରେ ଯୁବକର ଆତଙ୍କରାଜ

ଯୁବକ ଗିରଫ, ଛୁରି ଜବତ

ଭୁବନେଶ୍ୱର :  ସୋମବାର ସନ୍ଧ୍ୟାରେ ଜଣେ ଉନ୍ମତ୍ତ ଯୁବକ ରସୁଲଗଡ଼ ଭାଗବତସନ୍ଧାନ ଅଞ୍ଚଳରେ ଆତଙ୍କ ଖେଳାଇଥିଲା। ପ୍ରଥମେ ଯୁବତୀଙ୍କୁ ଅସଦାଚରଣ ପରେ ଯୁବତୀଙ୍କ ବାପାଙ୍କୁ ଛୁରାମାଡ଼ କରିଥିଲା। ଏଭଳି ଏକ ଅଭିଯୋଗରେ ମଞ୍ଚେଶ୍ୱର ଥାନା ପୁଲିସ ଅଭିଯୁକ୍ତ ଯୁବକକୁ ଗିରଫ କରିଛି। ସେ ହେଲା ଗଞ୍ଜାମ ଜିଲ୍ଲା ଗଉଡ଼ଗାଁ ଅଞ୍ଚଳର ଶତ୍ରୁଘ୍ନ ନାୟକ।

ପୁଲିସ ସୂଚନା ମୁତାବକ, ଗତ କିଛିଦିନ ହେବ ଶତ୍ରୁଘ୍ନ ଯୁବତୀଙ୍କୁ ଏକ ତରଫା ଭାବେ ଭଲ ପାଇ ଆସୁଥିଲା। ବିଭିନ୍ନ ସମୟରେ ଯୁବତୀଙ୍କୁ ପିଛା କରିବା ସହ ତାଙ୍କ ଗତିବିଧି ଉପରେ ନଜର ରଖୁଥିଲା। ଯୁବତୀ ଜଣଙ୍କ କେତେବେଳେ କୁଆଡ଼େ ଯାଉଛନ୍ତି। କେତେବେଳେ ଘରକୁ ଫେରୁଛନ୍ତି, ଏ ସବୁର ଖବର ରଖୁଥିଲା। ଏମିତିକି ପୂର୍ବରୁ ଯୁବତୀଙ୍କୁ ବାଟରେ ଅଟକାଇ ପ୍ରେମ ନିବେଦନ କରିଥିଲା। ହେଲେ ଯୁବତୀ ଜଣଙ୍କ ଶତ୍ରୁଘ୍ନ କଥାରେ ରାଜି ହୋଇ ନଥିଲେ। ତେବେ ସୋମବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଯୁବତୀ ଜଣଙ୍କ ସହିଦନଗର ସ୍ଥିତ ଏକ ଆଇଟି ଅଫିସ୍‌ରୁ କାମ ସାରି ଘରକୁ ଫେରୁଥିଲେ। ଶତ୍ରୁଘ୍ନ ଯୁବତୀଙ୍କୁ ପିଛା କରି ଭାଗବତସନ୍ଧାନ ପର୍ଯ୍ୟନ୍ତ ଆସିଥିଲା। ସେଠାରେ ଅନ୍ଧାରର ସୁଯୋଗ ନେଇ ଶତ୍ରୁଘ୍ନ ଯୁବତୀଙ୍କୁ ପଛପଟୁ ଧରିପକାଇ ଅସଦାଚରଣ କରିଥିଲା। ଯୁବତୀ ଜଣଙ୍କ ଭୟରେ ଚିତ୍କାର କରିବାରୁ ଶତ୍ରୁଘ୍ନ ପାଖରେ ରଖିଥିବା ଏକ ଛୁରି ଦେଖାଇ ହତ୍ୟା କରିବାକୁ ଧମକ ଦେଇଥିଲା। ହେଲେ ଯୁବତୀଙ୍କ ପାଟି ଶୁଣି ତାଙ୍କ ବାପା ଧାଇଁ ଆସିଥିଲେ। ତାଙ୍କୁ ଦେଖି ଶତ୍ରୁଘ୍ନ ଘଟଣାସ୍ଥଳରୁ ଖସି ପଳାଇବାକୁ ଚେଷ୍ଟା କରିଥିଲା।

ହେଲେ ଯୁବତୀଙ୍କ ବାପା ଶତ୍ରୁଘ୍ନକୁ କାବୁ କରି ନେଇଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ସେ ଯୁବତୀଙ୍କ ବାପାଙ୍କୁ ମଧ୍ୟ ଛୁରା ମାଡ଼ କରିବାକୁ ପଛାଇ ନଥିଲା।  ଏପରି କାଣ୍ଡ ଦେଖି ସେଠାରେ ଥିବା ଅନ୍ୟ ଲୋକମାନେ ଘଟଣାସ୍ଥଳକୁ ଆସି ଶତ୍ରୁଘ୍ନକୁ ମାଡ଼ ବସିଥିଲେ। ଅନ୍ୟପଟେ ଛୁରାମାଡ଼ ଯୋଗୁଁ ଯୁବତୀଙ୍କ ବାପାଙ୍କ ବାମ ହାତରେ କ୍ଷତ ସୃଷ୍ଟି ହୋଇଥିଲା। ଯୁବତୀ ଜଣଙ୍କ ଏ ନେଇ ପୁଲିସକୁ ଫୋନ୍‌କରି ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କ ବାପାଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇବା ସହ ଶତ୍ରୁଘ୍ନକୁ ଗିରଫ କରିଛି। ପୁଲିସ ଏକ ମାମଲା ରୁଜୁ କରି ଶତ୍ରୁଘ୍ନକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଆସନ୍ତାକାଲି ତାକୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର