ସାମାନ୍ୟ କଥାରେ ଭୁଜାଲି ଚୋଟ ୨ ଆହତ, ୧ ଗିରଫ, ୩ ଫେରାର୍‌

ଖଣ୍ଡଗିରି: କଥା ଥିଲା ସାହି ଭିତରେ ଏତେ ଜୋର୍‌ରେ କାହିଁକି ଗାଡ଼ି ଚଳାଉଛ। ପ୍ରତିବାଦ କରିଥିଲେ ଜଣେ ମହିଳା। ଏହି ସାମାନ୍ୟ କଥାରେ ରାଗ ପଞ୍ଚମକୁ ଉଠିଗଲା ଯୁବକମାନଙ୍କର।  ଡକାଡକି ହୋଇ ସାହିରେ ପହଞ୍ଚିଲେ ୪ ଜଣ ସାଙ୍ଗ।  ଖୋଜି ଖୋଜି ମହିଳାଙ୍କ ସମ୍ପର୍କୀୟ ୨ ଜଣଙ୍କୁ ପ୍ରାଣାନ୍ତକ ଆକ୍ରମଣ କଲେ। ଭୁଜାଲିରେ ୨ ଜଣଙ୍କୁ ହାଣି ପକାଇଲେ। ଗତ ୨୫ ତାରିଖ ରାତିରେ ସ୍ଥାନୀୟ ରଘୁନାଥନଗରରେ ଘଟିଥିବା ଏମିତି ଏକ  ମାମଲାରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତକୁ ବୁଧବାର ଖଣ୍ଡଗିରି ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ରଘୁନାଥନଗରର ବାବୁ ପାତ୍ର ଓରଫ୍‌ କାହ୍ନ(୨୫)। ଫେରାର୍‌ ହୋଇ ଯାଇଥିବା ଅନ୍ୟ ଅଭିଯୁକ୍ତମାନେ ହେଲେ ବଗୁଲା ଓଝା, ଅନୀଲ ନାୟକ ଓ ତୋଫାନ ମଲ୍ଲିକ।

ସୂଚନାନୁସାରେ ଗତ ୨୫ ତାରିଖ ସନ୍ଧ୍ୟା ପ୍ରାୟ ୬ଟା ସମୟରେ ବଗୁଲା ଓ ଅନୀଲ ଏକ ବାଇକ୍‌ ଧରି ସାହି ଭିତରେ ଜୋର୍‌ରେ ଯା’ଆସ କରୁଥିଲେ। ଦାଣ୍ଡରେ ଛୋଟ ପିଲା ଓ ମହିଳାମାନଙ୍କ ଚଳପ୍ରଚଳ ଚାଲିଥିବାରୁ ସୁନିତା ସାହୁ ନାମକ ଜଣେ ମହିଳା ବଗୁଲା ଓ ଅନୀଲକୁ ଅଟକାଇ ବାଇକ୍‌ ଧୀରେ ଚଳାଇବାକୁ କହିଥିଲେ। କିନ୍ତୁ ଏଥିରେ ସେମାନଙ୍କ ରାଗ ହୋଇଯାଇଥିଲା। ସେମାନେ ସେଠାରୁ ଚାଲିଯାଇଥିଲେ ବି ପରେ କାହ୍ନ ଓ ତୋଫାନ୍‌ ସହ ପୁଣି ସାହି ଭିତରକୁ ଆସି ସୁନିତାଙ୍କ ଦ୍ୱାରରେ ଗାଳିମନ୍ଦ କରିଥିଲେ। ସୁନିତାଙ୍କ ସମ୍ପର୍କୀୟ ମନୋରଂଜନ ମହାନ୍ତି(୨୨) ଓ ବିଶ୍ୱଜିତ୍‌ ଦାଶ(୧୮) ଏହାର ପ୍ରତିବାଦ କରିଥିଲେ। କିଛି ସାହି ଲୋକ ମଧ୍ୟ ପ୍ରତିବାଦ କରି ସୁନିତାଙ୍କୁ ସମର୍ଥନ କରଥିଲେ। ତେଣୁ ଘଟଣାସ୍ଥଳରୁ ଚାରି ଜଣ ଯାକ ପଳାଇଥିଲେ। ମାତ୍ର ଗଣ୍ଡଗୋଳ ଆଶଙ୍କା କରି ତୁରନ୍ତ ସୁନିତା ଖଣ୍ଡଗିରି ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ। ପୁଲିସରେ ଅଭିଯୋଗ ହେବା ଜାଣି ସେମାନେ ପ୍ରତିଶୋଧ ନେବା ପାଇଁ ସାହି ଭିତରକୁ ପଶିଥିଲେ। ରାତି ପ୍ରାୟ ୯ଟା ସମୟରେ ସେମାନେ ଭୁଜାଲି ଧରି ମନୋରଂଜନ ଓ ବିଶ୍ୱଜିତ୍‌ଙ୍କୁ ଖୋଜିଥିଲେ। ପ୍ରଥମେ ବିଶ୍ୱଜିତ୍‌ ସେମାନଙ୍କ ହାବୁଡ଼ରେ ପଡ଼ି ଯାଇଥିଲେ ଓ ୪ ଜଣ ଯାକ ଭୁଜାଲି ଚୋଟ୍‌ ପକାଇ ତାଙ୍କ ଅଣ୍ଟା ଓ ଗୋଡ଼କୁ ହାଣି ପକାଇଥିଲେ। ପରେ ପରେ ସେମାନେ ନିକଟସ୍ଥ ଖେଳ ପଡ଼ିଆରେ ମନୋରଂଜନଙ୍କୁ ପାଇ ସେଠାରେ ଆକ୍ରମଣ କରିଥିଲେ। ଫଳରେ ତାଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ସାହିଲୋକମାନଙ୍କ ସହଯୋଗରେ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଥିଲା। ଆକ୍ରମଣ କରିବା ପରେ ୪ଜଣ ଯାକ ଫେରାର୍‌ ହୋଇଯାଇଥିଲେ।

ସମ୍ବନ୍ଧିତ ଖବର