କନ୍‌ଷ୍ଟେବଲ୍‌ଙ୍କୁ ଭୁଜାଲିରେ ଆକ୍ରମଣ

ଭୁବନେଶ୍ୱର: ଜଣେ କନ୍‌ଷ୍ଟେବଲ୍‌ଙ୍କୁ ଭୁଜାଲିରେ ଆକ୍ରମଣ ଅଭିଯୋଗରେ ମଞ୍ଚେଶ୍ୱର ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ସେ ହେଲା ପଟିଆ ଇଞ୍ଜଣା ଅଞ୍ଚଳର ସଞ୍ଜୀବ କୁମାର ପ୍ରଧାନ(୨୫)। କିଛିଦନ ତଳେ ପୁଲିସ ଏକ ମାମଲାରେ ସଞ୍ଜୀବକୁ ଗିରଫ କରିଥିଲା। ତେବେ ସେହି ଅଞ୍ଚଳରେ ରହୁଥିବା କନ୍‌ଷ୍ଟେବଲ ସୁବ୍ରତ ସାହୁ ତାକୁ ଗିରଫ କରିବାରେ ପୁଲିସକୁ ସହଯୋଗ କରିଥିବା ସଞ୍ଜୀବ ସନ୍ଦେହ କରିଥିଲା। ଜେଲ୍‌ରୁ ଫେରିବା ପରେ ସଞ୍ଜୀବ ସୁଯୋଗ ଅପେକ୍ଷାରେ ଥିଲା। ଗୁରୁବାର ରାତି ପ୍ରାୟ ସାଢ଼େ ୯ଟା ସମୟରେ ସୁବ୍ରତ ଘରକୁ ଫେରୁଥିବା ସମୟରେ ସେଠାରେ ପୂର୍ବରୁ ଛକ ବସିଥିବା ସଞ୍ଜୀବ ତାଙ୍କୁ ଅଟକାଇ ଥିଲା। ଆଉ ସୁବ୍ରତ କିଛି ବୁଝିବା ପୂର୍ବରୁ ଭୁଜାଲିରେ ଚୋଟ ପରେ ଚୋଟ ମାରିଥିଲା। ସୁବ୍ରତଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକମାନେ ଧାଇଁ ଆସିଥିଲେ। ଖବର ପାଇ ମଞ୍ଚେଶ୍ୱର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସୁବ୍ରତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ୍‌ ପଠାଇଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁ କରି ବିଳମ୍ବିତ ରାତିରେ ସଞ୍ଜୀବକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର