ପ୍ରୟାଗରାଜ୍: "ମୋତେ ଛୁଇଁବ ନାହିଁ, ନଚେତ୍ ୩୫ଖଣ୍ଡ କରିଦେବି। ଚତୁର୍ଥୀ ଦିନ ସ୍ବାମୀକୁ ଏଭଳି ଧମକ ଦେଲା ପତ୍ନୀ। ପ୍ରୟାଗରାଜରେ ଘଟିଛି ଏଭଳି ଅଜବ ଘଟଣା। ଇନ୍ଦୋରର ସୋନମ ରଘୁବଂଶୀ ହନିମୁନ ଯାଇଥିବା ବେଳେ ନିଜ ସ୍ବାମୀକୁ ହତ୍ୟା କରିବା ଖବର ଏବେ ଚର୍ଚ୍ଚାରେ ରହିଛି। ଏମଧ୍ୟରେ ପ୍ରୟାଗରାଜର ଏହି ଘଟଣା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି। କନ୍ୟାର ନାମ ସୀତାରା ହୋଇଥିବା ବେଳେ ବରର ନାମ କ୍ୟାପଟେନ ନିଶଦ ବୋଲି ଜଣାପଡ଼ିଛି।
ଉଭୟ ନିଜର ଭିନ୍ନ ଭିନ୍ନ ପକ୍ଷ ରଖିଛନ୍ତି। କ୍ୟାପଟେନ ନିଶଦ କହିଛନ୍ତି, ଏପ୍ରିଲ ୨୯ରେ ବିବାହ ହେବା ସହ ମେ’ ୨ରେ ବିବାହ ଭୋଜିର ଆୟୋଜନ କରାଯାଇଥିଲା। ସବୁ କାମ ସରିବା ପରେ ମୁଁ ରୁମ୍ ଭିତରକୁ ଯାଇଥିଲା। ଏହି ସମୟରେ ଓଢ଼ଣା ଟାଣି ବସିଥିବା ସୀତାରା ନିଜ ହାତରେ ଛୁରୀ ଧରିଥିବାର ଦେଖିଲି। କାରଣ ପଚାରିବାରୁ ସେ କହିଥିଲେ, ମୁଁ ଅମନଙ୍କ ସମ୍ପତ୍ତି। ମୋତେ ଛୁଇଁବ ନାହିଁ। ନଚେତ୍ ୩୫ଖଣ୍ଡ କରିଦେବି। ଏହା ଶୁଣି ସାରା ରାତି, ମୁଁ ସୋଫାରେ ବସି ରହିଲି ଏବଂ ସେ ଛୁରୀ ଧରି ବିଛଣାରେ ବସି ରହିଲେ। ମୁଁ ଶୋଇବାକୁ ସାହସ କରିନଥିଲି। ୩ରାତି ଏଭଳି ଚାଲିଲା। ମୋତେ ସେ ହତ୍ୟା କରିଦେବେ ବୋଲି ଭାବି ମୁଁ ଶୋଉନଥିଲି। ଏହା ପରେ ଉଭୟ ପରିବାରକୁ ଏହା ବିଷୟରେ ଜଣାଇବା ପରେ ସେମାନେ ସମାଧାନ କରି ସୀତାରାଙ୍କୁ ମୋ ସହ ରହିବା ପାଇଁ ରାଜି କରିଥିଲେ। ହେଲେ ସୀତାରା ମେ’ ୩୦ ତାରିଖରେ ଘରୁ ଫେରାର ହୋଇଗଲେ।"
ଅନ୍ୟପକ୍ଷରେ ସୀତାରା କହିଛନ୍ତି, "ଛୁରୀ ମୋ ପାଖରେ ନୁହେଁ ବରଂ ନିଶଦଙ୍କ ପାଖରେ ଥିଲା। ଛୁରୀ ଥିବା ଦେଖି ମୁଁ ତାଙ୍କୁ ଛୁଇଁବାକୁ ଦେଲିନାହିଁ। ସେ ତ ପୂର୍ବରୁ ବିବାହିତ। ତାଙ୍କର ଗୋଟାଏ ଝିଅ ମଧ୍ୟ ଅଛି। ଚତୁର୍ଥୀ ଦିନ ମୁଁ ତାଙ୍କୁ ଡରାଇନଥିଲି। ବରଂ ସେ ମୋତେ ମାଡ଼ ମାରି ହତ୍ୟା ଧମକ ଦେଇଥିଲେ। ତାଙ୍କ ପ୍ରଥମ ପତ୍ନୀ ମଧ୍ୟ। ତେଣୁ ନିଜ ଜୀବନ ବଞ୍ଚାଇବା ପାଇଁ ମୁଁ ଘରୁ ଲୁଚି ପଳାଇ ଆସିଲି। ମୁଁ ଅମନ କିଏ ଜାଣିନାହିଁ।"