୧୦ମ ପରୀକ୍ଷା ଏଡ଼ାଇବା ପାଇଁ ବାଳିକାକୁ କୀଟନାଶକ ମିଶା ପାଣି ପିଆଇଲେ ଶିକ୍ଷକ

କୋହ୍ଲାପୁର: ବିଷ ଦିଆ ଯାଇଥିବା କାରଣରୁ ଏକ ଘରୋଇ ସ୍କୁଲ୍‌ର ଜଣେ ୧୦ମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ହେବାରୁ ଜଣେ ଶିକ୍ଷକଙ୍କୁ ଗିରଫ କରାଯାଇଛି।

ଘଟଣାଟି ଘଟିଛି ମହାରାଷ୍ଟ୍ର ରାଜ୍ୟର କୋହ୍ଲାପୁର ଅଞ୍ଚଳର ଶିରୋଲ ତାଲୁକ ଅନ୍ତର୍ଗତ ଶିର୍ତି ଗାଁ’ରେ। ପୁଲିସ କହିବା ଅନୁସାରେ, କୁରୁନଓ୍ଵାଡ଼ ଅଞ୍ଚଳର ଭୈରେଓ୍ଵାଡ଼ିର ଶିକ୍ଷକ ନୀଳେଶ ବାଲୁ ପ୍ରଧାନେ ପାଣିରେ କୀଟନାଶକ ଔଷଧ ମିଶାଇ ସେ ଛାତ୍ରୀଙ୍କୁ ପିଆଇ ଦେଇଥିଲେ। କାରଣ, ଝିଅଟି ‘ଏସ୍‌ଏସ୍‌ସି’ (୧୦ମ ବୋର୍ଡ ପରୀକ୍ଷା) ଦେବାକୁ ପ୍ରସ୍ତୁତ ହୋଇ ନ ଥିଲା। କୀଟନାଶକ ମିଶ୍ରିତ ପାଣି ପିଇ ଅସୁସ୍ଥ ହୋଇ ପଡ଼ିଲେ ସେ ଅସୁସ୍ଥ ହୋଇପଡ଼ିବ। ଏହାଦ୍ୱାରା ସହଜରେ ପରୀକ୍ଷା ଏଡ଼ାଇ ପାରିବ ବୋଲି ଶିକ୍ଷକଜଣକ ଭାବିଥିଲେ। ଏ କଥା ସନ୍ଦିଗ୍ଧ ଶିକ୍ଷକ ମଧ୍ୟ ସ୍ୱୀକାର କରିଛନ୍ତି।

Image Source: The Times of India

ଫେବ୍ରୁଆରି ୨୦ ତାରିଖ ଦିନ ଛାତ୍ରୀଜଣକ ପ୍ରାକ୍ଟିକାଲ୍‌ ପରୀକ୍ଷା ଦେବାକୁ ଯାଇଥିବା ବେଳେ ଅଶ୍ୱସ୍ତି ଅନୁଭବ କରିବା କଥା କହିଥିଲେ। ତୁରନ୍ତ ତାଙ୍କୁ କୋହ୍ଲାପୁରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଫେବ୍ରୁଆରି ୨୫ ତାରିଖ ଦିନ ତାଙ୍କର ମୃତ୍ୟୁ ଘଟିଥିଲା।

ପୁଲିସ ଶିକ୍ଷକ ପ୍ରଧାନେଙ୍କୁ ଗିରଫ କରିବା ପରେ ‘ଜେଏମ୍‌ଏଫ୍‌ସି’ ଅଦାଲତରେ ହାଜର କରାଇଥିଲା। ଅଦାଲତ ତାଙ୍କୁ ମାର୍ଚ ୬ ତାରିଖ ଯାଏଁ ପୁଲିସ ହାଜତକୁ ପଠାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର