କୋଲକାତା: କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସପିଟାଲରେ ମୃତ ସ୍ନାତକୋତ୍ତର ତାଲିମପ୍ରାପ୍ତ ଡାକ୍ତରଙ୍କ ହତ୍ୟା ଘଟଣାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଚାଲିଛି। ଆରଜି କର ମେଡିକାଲ କଲେଜ ଏବଂ ହସପିଟାଲ ପରିସର ଭିତରେ ଜଣେ ଡାକ୍ତରାଣୀଙ୍କୁ ହତ୍ୟା କରାଯିବା ପରେ କଲେଜରେ ଡାକ୍ତରମାନେ କେତେ ସୁରକ୍ଷିତ ତାକୁ ନେଇ ପ୍ରଶ୍ନ ଉଠିଛି। ଶନିବାର ପୁଲିସ ଅଭିଯୁକ୍ତ ସାମଜିକ ସ୍ବେଚ୍ଛାସେବୀ ସଞ୍ଜୟ ରଏକୁ ଗିରଫ କରିଥିବା ବେଳେ ଏହି ଘଟଣାରେ ଅନ୍ୟ କେହି ସାମିଲ ଥିଲେ କି ନାହିଁ, ତାହା ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି। ଏମଧ୍ୟରେ ଅଭିଯୁକ୍ତ କରିଥିବା ଅପରାଧର ପଶ୍ଚାତାପ କରୁନଥିବା ଜଣାଯାଇଛି। ଗିରଫ ପରେ ଚାହୁଁଛ ଯଦି ମୋତେ ଫାଶୀ ଦେଇଦିଅ ବୋଲି କହିଛି ଅଭିଯୁକ୍ତ।
ରଏ କୋଲକାତା ପୁଲିସ ସହିତ ସାମଜିକ ସ୍ୱେଚ୍ଛାସେବୀ ଭାବରେ କାର୍ଯ୍ୟ କରୁଥିଲା। ସାମଜିକ ସ୍ବେଚ୍ଛାସେବୀମାନେ ଟ୍ରାଫିକ୍ ପରିଚାଳନା ଏବଂ ବିପର୍ଯ୍ୟୟ ମୁକାବିଲା ସହିତ ବିଭିନ୍ନ ପ୍ରକାରର କାର୍ଯ୍ୟରେ ସାହାଯ୍ୟ କରିବାକୁ ନିୟୋଜିତ ହୋଇଥାନ୍ତି। ହେଲେ ଏହି ସ୍ୱେଚ୍ଛାସେବୀମାନଙ୍କୁ ନିୟମିତ ପୁଲିସ କର୍ମଚାରୀଙ୍କ ପାଇଁ ଉପଲବ୍ଧ ସୁବିଧା ମିଳେ ନାହିଁ।
ଖବର ଅନୁଯାୟୀ, ରଏ ୨୦୧୯ରେ ସ୍ବେଚ୍ଛାସେବୀ ଭାବରେ କୋଲକାତା ପୁଲିସର ବିପର୍ଯ୍ୟୟ ପରିଚାଳନା ଟିମରେ ଯୋଗ ଦେଇଥିଲେ। କିନ୍ତୁ ପରେ ପୁଲିସ କଲ୍ୟାଣ ସେଲକୁ ସ୍ଥାନାନ୍ତର ହୋଇଥିଲା। ଏହା ପରେ ସେ ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ପୁଲିସ ଆଉଟପୋଷ୍ଟରେ ନିୟୋଜିତ ହୋଇଥିଲେ। ସେଠାରେ ସେ ରୋଗୀଙ୍କୁ ଶଯ୍ୟା ଯୋଗାଇବାରେ ସାହାଯ୍ୟ କରୁଥିଲା। ହେଲେ ପୁଲିସ ନହୋଇ ବି ସେ ନିଜ ଗାଡ଼ି ଓ ୟୁନିଫର୍ମରେ କୋଲକାତା ପୁଲିସ ଲେଖିଥିଲା। କୁହାଯାଉଛି ଯେ, ଗିରଫ ପରେ ପରେ ସଞ୍ଜୟ ଏହି ଅପରାଧ କରିଥିବା ମାନିଥିଲା ଏବଂ ଚାହୁଁଛ ଯଦି ମୋତେ ଫାଶୀ ଦେଇଦିଅ ବୋଲି କହିଥିଲା। ଏହା ସହ ସଞ୍ଜୟର ଫୋନରେ ଏକାଧିକ ଅଶ୍ଲୀଳ ଫିଲ୍ମ ଥିଲା ବୋଲି ସାମ୍ନାକୁ ଆସିଛି।