ଅଟୋ ଚାଳକଙ୍କୁ ଉଠାଇନେଲା କୋଲକାତା ପୁଲିସ

ଲୁଚି ଲୁଚି ଦ୍ବିତୀୟ ବିବାହ କରିଥିଲେ

ଭୁବନେଶ୍ବର: ଦୀର୍ଘ ୪ ବର୍ଷ କାଳ ରହଣି ଭିତରେ ସେ କୋଲକାତାରେ ବିବାହ କରିଥିଲେ। କିନ୍ତୁ ପତ୍ନୀଙ୍କୁ ଧୋକା ଦେଇ ଗାଁକୁ ଫେରିଗଲେ। ସେଠାରେ ଦ୍ବିତୀୟ ବିବାହ କରି ନୂଆ ଜୀବନ ଆରମ୍ଭ କରିଥିଲେ। ହେଲେ ଲୁଚି ଲୁଚି ଦ୍ବିତୀୟ ବିବାହ ମହଙ୍ଗା ପଡ଼ିଗଲା। ପ୍ରଥମ ପତ୍ନୀଙ୍କ ଅଭିଯୋଗକ୍ରମେ ସ୍ବାମୀଙ୍କୁ ଉଠାଇ ନେଇଛି ପୁଲିସ। ଏଭଳି ଏକ ବିଚିତ୍ର ଘଟଣା ରାଜଧାନୀ‌ରେ ଚର୍ଚ୍ଚାର ବିଷୟ ପାଲଟିଛି। ୟୁନିଟ୍‌-୬ସ୍ଥିତ ଭଡ଼ା ଘରୁ ଆଜି ଅପରାହ୍‌ଣରେ ଅଭିଯୁକ୍ତ ସ୍ବାମୀକୁ କୋଲକାତା ପୁଲିସ ଉଠାଇ ନେଇଛି। ଅଭିଯୁକ୍ତଜଣଙ୍କ ହେଉଛନ୍ତି, ଢେ‌ଙ୍କାନାଳର ଜିତେନ୍ଦ୍ର ସ୍ବାଇଁ। ଘଟଣା ଏହିପରି; ୪ବର୍ଷ ତଳେ ଜିତେନ୍ଦ୍ର ରୋଜଗାର ଆଶାରେ କୋ‌ଲକାତା ଯାଇଥିଲେ। ସେଠାରେ ଅଟୋ ଚଳାଇବା ସହ ଆଉ କିଛି ପାର୍ଟ ଟାଇମ୍‌ କାମ କରୁଥିଲେ। ସେତିକିବେଳେ ସେଠାକାର ଜଣେ ଯୁବତୀଙ୍କୁ ଜିତେନ୍ଦ୍ର ପ୍ରେମ ବିବାହ କରିଥିଲେ। ବେଶ୍‌ କିଛି ଦିନ ବୈବାହିକ ଜୀବନ ବିତାଇବା ପରେ ଜିତେନ୍ଦ୍ର କୋଲକାତା ଛାଡ଼ିବାର ନିଷ୍ପତ୍ତି ନେଇଥିଲେ। ହେଲେ ପତ୍ନୀଙ୍କୁ କହିନଥିଲେ। ‘କିଛି ଦିନ ଓଡ଼ିଶା ଯାଉଛି, ଫେରି ଆସିବି’ ବୋଲି ପ୍ରତିଶ୍ରୁତି ଦେଇ ସେ ଢେଙ୍କାନାଳ ଚାଲି ଆସିଥିଲେ। ଏଠାରେ ମଧ୍ୟ କୋଲକାତାର ବିବାହ, ପତ୍ନୀ ବା ପାରିବାରିକ ସମ୍ପର୍କ ନେଇ କିଛି କହିନଥିଲେ। ଏଣୁ ଏଠାରେ ଧୂମ୍‌ଧାମ୍‌ରେ ବିବାହ କଲେ। ବିବାହ ପରେ ପେଟ ପୋଷିବା ପାଇଁ ଭୁବନେଶ୍ବର ଚାଲି ଆସିଲେ। ଏ ସଂପର୍କରେ ପ୍ରଥମ ପତ୍ନୀ ଜାଣିବା ପରେ କୋଲକାତାର ଏକ ଥାନାରେ ଏତଲା ଦେଇଥିଲେ। ପୁଲିସ ଜିତେନ୍ଦ୍ରଙ୍କ ମୋବାଇଲ ଟ୍ରାକ୍‌ କରି ୟୁନିଟ୍‌-୬ସ୍ଥିତ ତାଙ୍କ ଭଡ଼ା ଘରୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର