ପ୍ରତି ରବିବାର କୋଲକତା ପୁଲିସ ଫେସ୍‌ବୁକ୍‌ରେ ପୋଷ୍ଟ୍‍ କରୁଛି ସତ୍ୟ ଅପରାଧ କାହାଣୀ

କୋଲକତା: ୧୯୩୩ ମସିହାର ଗୋଟିଏ ଶୀତ ସକାଳ। ଟ୍ରେନ୍‌ ଚଢୁଥିବା ଜଣେ ଯୁବକଙ୍କ ବାହୁରେ କ’ଣ ଗୋଟାଏ ଫୋଡ଼ି ହୋଇଗଲା ପରି ଲାଗିଲା। ହଁ, ତାଙ୍କ ଦେହରେ ଫୋଡ଼ା ଯାଇଥିଲା ସିରିଞ୍ଜ୍‌ ଛୁଞ୍ଚିଟିଏ। ସେଥିରେ ତାଙ୍କ ଦେହକୁ ଛଡ଼ା ଯାଇଥିଲା ପ୍ଲେଗ୍‌ ରୋଗର ଭୂତାଣୁ। ଭୂତାଣୁ ଆସିଥିଲା ବମ୍ବେ ଲାବ୍ରୋଟାରିରୁ। ତାଙ୍କୁ ହତ୍ୟା କରାଇବାକୁ ଯୁବକଙ୍କ ବଡ଼ ଭାଇ ମଗାଇଥିଲେ ସୁପାରି କିଲର୍‌। ହାଓଡ଼ା ଷ୍ଟେସନ୍‌ରେ ଘଟିଥିବା ଏହି ଘଟଣାକୁ ‘ଇଣ୍ଡିଭିଜୁଆଲ୍‌ ବାୟୋ-ଟେରରିଜମ୍‌’ର ପ୍ରଥମ ଉଦାହରଣ ବୋଲି ବିବେଚନା କରାଯାଏ।

୧୯୯୧ ମସିହା, ଡିସେମ୍ବର ୨୪ ତାରିଖ ସନ୍ଧ୍ୟା। ଗୋଟିଏ ବ୍ୟବସାୟୀ ପରିବାରର ଜଣେ ୪୭ ବର୍ଷୀୟ ଗୃହିଣୀ ତାଙ୍କ ବ୍ୟବସାୟ ଅନୁଷ୍ଠାନର କର୍ମଚାରୀଙ୍କୁ ଡକାଇଥିଲେ ନିଜର ଦୁଇ ପଡ଼ୋଶୀଙ୍କୁ ହତ୍ୟା କରାଇବାକୁ। ଦୁଇ ପଡ଼ୋଶୀଙ୍କ ବୟସ ୫୦ ବର୍ଷ ଭିତରେ ହେବ। ପୁଲିସ ଏହାର କୌଣସି ଟେର୍‌ ପାଇ ନ ଥିଲା। ସହରର ଅନ୍ୟ ଅଞ୍ଚଳର ଗୋଟିଏ ଜୁଆ ଆଡ୍ଡାରେ ଜଣେ ମଦୁଆ ଯୁବକ ଏକ କ୍ୟାମେରା ଦେଖାଉଥିବା ବେଳେ ପୁଲିସକୁ ହତ୍ୟାକାଣ୍ଡର ଟେର୍‌ ମିଳିଗଲା। ହତ୍ୟାକାଣ୍ଡ କରାଇଥିବା ଗୃହିଣୀ ବିମଳା ଖେତାଓ୍ଵାତ୍‌ ଶେଷରେ ଆତ୍ମହତ୍ୟା କରିଥିଲେ। ଏ ଘଟଣା ଘଟିଥିଲା ଦକ୍ଷିଣ କୋଲକତାର ଶରତ ବୋଷ୍‌ ରୋଡ୍‌ରେ।

ଜୁଲାଇ ମାସରୁ ଏହି ଭଳି ଅନେକ ଲୋମ ହର୍ଷଣକାରୀ ସତ୍ୟ ଅପରାଧ କାହାଣୀ ପ୍ରତି ରବିବାର ସକାଳେ କୋଲକତା ପୁଲିସ ନିଜର ଫେସ୍‌ବୁକ୍‌ ଆକାଉଣ୍ଟ୍‌ରେ ପୋଷ୍ଟ୍‍ କରୁଛି। ସତ୍ୟ ଅପରାଧ କାହାଣୀ ଅନେକ ଲୋକଙ୍କୁ ଆକୃଷ୍ଟ କରେ।

Image Courtesy of Business Insider

ପୁରୁଣା ଓ ରୋମାଞ୍ଚକର ମାମଲା ବିଷୟରେ ସୂଚନା ଦେବାକୁ ବହୁ ଫେସ୍‌ବୁକ୍‌ ଫଲୋର୍‌ ପୁଲିସ ବିଭାଗକୁ ଅନୁରୋଧ କରି ଆସୁଥିଲେ। ସେମାନଙ୍କ ଅନୁରୋଧ ରକ୍ଷାକରି ସେ ମାମଲାଗୁଡ଼ିକୁ ଗଳ୍ପ ଆକାରରେ ଉପସ୍ଥାପନା କରିବାକୁ ପୁଲିସ ବିଭାଗ ସ୍ଥିର କରିଥିଲା। ଏହାର ନାଁ’ ରଖା ଯାଇଛି ‘ରହସ୍ୟ ରବିବାର’। ଏଥିରେ ପ୍ରଥମ କାହାଣୀ ଥିଲା ୧୯୯୪ର ଏକ ହତ୍ୟାକାଣ୍ଡ ସମ୍ପର୍କରେ।

ଏହି ହତ୍ୟାକାଣ୍ଡର ବର୍ଣ୍ଣନା ଲୋକଙ୍କ ଦ୍ୱାରା ଆଦୃତ ହୋଇଥିଲ। ଏହାକୁ ପ୍ରାୟ ୨୫୦ ଥର ସେୟାର୍‌ କରାଯାଇଥିଲା ଓ ବହୁ ମତାମତ ମିଳିଥିଲା। ଏଭଳି ଅନ୍ୟାନ୍ୟ ଅନେକ କାହାଣୀ ପୋଷ୍ଟିଙ୍ଗ୍‌ ବଜାୟ ରଖିବାକୁ ପୁଲିସ ବିଭାଗକୁ ଅନୁରୋଧ ଆସିଥିଲା।

ପ୍ରତି ରବିବାର ଦିନ ପୋଷ୍ଟିଙ୍ଗ୍‌ ହେଉଥିବା ଏହି କାହାଣୀର ପାଠକ ସଂଖ୍ୟା ମଧ୍ୟ କ୍ରମଶଃ ବଢ଼ି ଚାଲିଲା। ଅଗଷ୍ଟ ୨୭ ତାରିଖରେ ପୋଷ୍ଟିଙ୍ଗ୍‌ କରାଯାଇଥିଲା ଗୃହିଣୀ ଦେବଜାନୀ ବଣିକଙ୍କ ହତ୍ୟାକାଣ୍ଡ। ୧୯୮୩ରେ ଏହି ହତ୍ୟାକାଣ୍ଡ ହୋଇଥିଲା। ଏ ପୋଷ୍ଟ୍‍କୁ ୭୦୦ ଥର ସେୟାର କରାଯାଇଥିଲା। ୧୯୩୩ ମସିହାର ଏକ କାହାଣୀ ୧୨୦୦ ଥର ସେୟାର୍‌ କରାଯାଇଥିଲା। ଏହାକୁ ୮୦୦ରୁ ଊର୍ଦ୍ଧ୍ୱ କମେଣ୍ଟ୍‌ ମିଳିଥିଲା।

ଅକ୍ଟୋବର ଶେଷ ଆଡ଼କୁ ପୁଲିସ ବିଭାଗ ସାମୟିକ ଭାବେ ‘ରହସ୍ୟ ରବିବାର’ ବନ୍ଦ କରିବାରୁ ପ୍ରତିବାଦ ଉପୁଜି ଥିଲା। ପାଠକମାନଙ୍କର ପ୍ରବଳ ଅନୁରୋଧ ଯୋଗୁଁ ପୁଲିସ ବିଭାଗ ଏକ ନୂଆ ସିରିଜ୍‌ ଆରମ୍ଭ କଲା। ତାହାର ଶୀର୍ଷକ ରଖା ଗଲା ‘ପୁରୁଣା ସେଦିନର କଥା’। ଏଥିରେ ଅପରାଧ ଫାଇଲ୍‌ରୁ ସ୍ୱାଧୀନତା ସଂଗ୍ରାମୀଙ୍କ କହାଣୀ ବର୍ଣ୍ଣନା କରାଯାଇ ପୋଷ୍ଟ କରାଯାଉଛି।

ନୂଆ ସିରିଜ୍‌ ଖୁବ୍‌ ଶୀଘ୍ର ଜନପ୍ରିୟ ହୋଇ ପାରିଛି। ବଙ୍ଗଳା ଭାଷାରେ ଅତି ଜୀବନ୍ତ ଶୈଳୀରେ ବର୍ଣ୍ଣନା କରାଯାଉଥିବା ଅପରାଧ କାହାଣୀ ସବୁ ପାଠକଙ୍କୁ ଆକୃଷ୍ଟ କରୁଛି। ସେମାନେ ରବିବାର ସକାଳକୁ ଚାହିଁ ବସୁଛନ୍ତି।

ସମ୍ବନ୍ଧିତ ଖବର