କୋଲକାତା: ନିକଟରେ କ୍ୟାବ୍ ଚାଳକମାନଙ୍କ ସଂପର୍କରେ ବହୁ ଅଭିଯୋଗ ହୋଇସାରିଛି। କୋଲକାତାର ପୁଣି ଜଣେ ଉବେର ଚାଳକ ଜଣେ ମହିଳା କଣ୍ଠଶିଳ୍ପୀଙ୍କୁ ଦୁଷ୍କର୍ମ ଧମକ ଦେଇଥିବା ଅଭିଯୋଗ ହୋଇଛି। ଜାଣିବାକୁ ମିଳିଛି ଯେ ଉବେର ଚାଳକ ଜଣକ ଗାଡ଼ି ଚଳାଇବା ସମୟରେ ଦୀର୍ଘ ସମୟ ଧରି ଫୋନ୍ରେ କଥା ହେଉଥିଲେ। ଫଳରେ ତାଙ୍କ ଧ୍ୟାନଚ୍ୟୁତ ହେବାରୁ ସେ ବାରମ୍ବାର ଭୁଲ୍ଭାଲ୍ ଗାଡ଼ି ଚଳାଉଥିଲେ। ଗାଡ଼ିରେ ବସିଥିବା ମହିଳା କଣ୍ଠଶିଳ୍ପୀ ଜଣକ ଭୟଭୀତ ହୋଇ ଉବେର ଚାଳକଙ୍କୁ ଫୋନ୍ ରଖିବା ପାଇଁ କହିଥିଲେ। ଏହି କଥାରେ କ୍ରୋଧାନ୍ଵିତ ହୋଇ ଚାଳକ ଜଣକ ମହିଳାଙ୍କୁ ଦୁଷ୍କର୍ମ ଧମକ ଦେଇଥିଲେ। ଗାଡ଼ିରେ ମହିଳାଙ୍କ ସମେତ ତାଙ୍କ ବୃଦ୍ଧା ମାଆ ମଧ୍ୟ ଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ମହିଳା ଜଣକ ସୁରକ୍ଷିତ ଭାବେ ଗାଡ଼ି ଚଳାଇବା ପାଇଁ ଚାଳକଙ୍କୁ କହିଥିଲେ। ମାତ୍ର ପ୍ରତିବଦଳରେ ଚାଳକ ଜଣକ ଉତ୍ତର ଦେଇଥିଲେ ଯେ ‘ମୋ ପାଖରେ ତୁମ ଘର ଠିକଣା ଅଛି। ଯଦି ତୁମେ ଚୁପ୍ ହୋଇ ନ ବସି ବେଶୀ ପାଟିତୁଣ୍ଡ କର ତ ମୁଁ ତୁମ ସହ ଦୁଷ୍କର୍ମ କରିବି।’
ମହିଳା ଜଣକ ଆଉ କିଛି ଉପାୟ ନପାଇ ଟ୍ରାଫିକ୍ରେ ଯେତେବେଳେ ଗାଡ଼ି ଅଟକିଥିଲା ସେ ଚିଲେଇ ଚିଲେଇ ଟ୍ରାଫିକ୍ ପୁଲିସ୍କୁ ସାହାଯ୍ୟ ମାଗିଥିଲେ। ପୁଲିସ୍ ଗାଡ଼ିକୁ ଘେରଉ କରି ଚାଳକକୁ ଗିରଫ କରିବା ସହିତ ଗାଡ଼ି ଜବତ କରି ଦେଇଥିଲା।