କୋଲକାତା: କୋଲକାତାରେ ଗତବର୍ଷ ଅଗଷ୍ଟରେ ଘଟିଥିବା ଏକ ଘଟଣା ପାଇଁ ସାରା ଦେଶର ମୁଣ୍ଡ ବିଶ୍ବ ଦରବାରରେ ନଇଁ ଯାଇଥିଲା। ଜଣେ ଟ୍ରେନି ଡାକ୍ତରଙ୍କୁ ହସ୍ପିଟାଲ ଭିତରେ ଦୁଷ୍କର୍ମ କରାଯାଇ ଅତି ନୃଶଂସ ଭାବେ ହତ୍ୟା କରାଯାଇଥିଲା। ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ମାସ ମାସ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିଥିଲା। ଅଭିଯୁକ୍ତ ଗିରଫ ହେବା ପରେ ସରକାର ମହିଳାଙ୍କ ସୁରକ୍ଷା ପ୍ରତି ସଜାଗ ହେବେ ବୋଲି ଆଶା କରୁଥିଲେ ରାଜ୍ୟବରସୀ। ହେଲେ ଏହି ଘଟଣାକୁ ବର୍ଷେ ନପୁରୁଣୁ ଏବେ ପୁଣି ଜଣେ ମହିଳା ଦେହର ଭୋକ ମେଣ୍ଟାଇବାକୁ ଚାହୁଁଥିବା ପୁରୁଷର ଶିକାର ହୋଇଛନ୍ତି।
ଆମେ ଏଠାରେ କୋଲକାତାର ଆଇନ୍ କଲେଜ୍ ଭିତରେ ଜଣେ ଛାତ୍ରୀଙ୍କ ସହିତ ହୋଇଥିବା ଦୁଷ୍କର୍ମ ବିଷୟରେ କହୁଛୁ। ଏହି ଘଟଣା ଏବେ ଚର୍ଚ୍ଚାରେ ରହିଛି। ନାରୀ ଶିକ୍ଷା, ସୁରକ୍ଷା ପାଇଁ କାମ କରୁଥିବା ଯୁବକର ମାନସିକତା ଯେ, ଏତେ ନିଚ ହୋଇଥିବ ତାହା କେହି ଭାବିପାରୁନାହାନ୍ତି। ଏହି ଘଟଣାକୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ଆସୁଥିବା ବେଳେ ଆଜି ଆଉ ଏକ ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟା ସାମ୍ନାକୁ ଆସିଛି।
କୁହାଯାଉଛି ଯେ, ଯେତେବେଳେ ଅଭିଯୁକ୍ତମାନେ ଦୁଷ୍କର୍ମ ଉଦ୍ୟମ କରିଥିଲେ, ସେତେବେଳେ ପୀଡ଼ିତା ଡରରେ ଅଣନିଶ୍ବାସୀ ହୋଇପଡ଼ିଥିଲେ। ଏହା ଦେଖି ମୁଖ୍ୟ ଅଭିଯୁକ୍ତ ତଥା ଆଇନ୍ କଲେଜର ପୂର୍ବତନ ଛାତ୍ର ମନୋଜିତ୍ ମିଶ୍ର, ଅଭିଯୁକ୍ତ ଜୈବ ଅହମ୍ମଦ ଓ ପ୍ରମିତ୍ ମୁଖୋପାଧ୍ୟାୟଙ୍କ ପୀଡ଼ିତାଙ୍କ ପାଇଁ ଇନ୍ହେଲର ଆଣିବାକୁ କହିଥିଲେ। ଇନହେଲର ନେବା ପରେ ପୀଡ଼ିତାଙ୍କ ଅବସ୍ଥା ସ୍ଥିର ହେବାରୁ ସେ ଖସିଯିବାକୁ ଚେଷ୍ଟା କରିଥିଲେ। କିନ୍ତୁ ମନୋଜିତ୍ ତାଙ୍କୁ ଘୋଷାଡି ଆଣି ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଏହି ସମୟରେ ଅନ୍ୟ ଦୁଇ ଅଭିଯୁକ୍ତ ଏହି ଅପରାଧର ରେକର୍ଡ କରିଥିଲେ ବୋଲି ଜଣାଯାଇଛି।