ଗୋଟିଏ ଦିନ ଭିତରେ ମହିଳାଙ୍କୁ ଦୁଇ ଥର ମୃତ ଘୋଷଣା କରାଗଲା, ଜାଣନ୍ତୁ ପୂରା ଘଟଣା

କୋଲକାତା: କୋଲକାତାରେ ଘଟିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଜଣେ ୫୫ ବୟସ୍କା ମହିଳାଙ୍କୁ ଗୋଟିଏ ଦିନରେ ଦୁଇ ଥର ମୃତ ଘୋଷଣା କରାଯାଇଛି। ଶିବାନୀ ବିଶ୍ୱାସ ନାମ୍ନୀ ଏହି ମହିଳାଙ୍କୁ ପ୍ରଥମେ କୋଲକାତାର ଏକ ସରକାରୀ ହସ୍ପିଟାଲ୍‌ରେ ମୃତ ଘୋଷଣା କରାଯାଇଥିଲା। ପରେ ସଂପର୍କୀୟମାନେ ଦେଖିବାକୁ ପାଇଲେ ଯେ ତାଙ୍କର ନିଶ୍ୱାସପ୍ରଶ୍ୱାସ ଚଳପ୍ରଚଳ ହେଉଛି। ଏ ସଂପର୍କରେ ସଂର୍ପକୀୟମାନଙ୍କୁ ଅନ୍ତିମ ସଂସ୍କାର ସମୟରେ ଜ୍ଞାତ ହୋଇଥିଲା। ସେମାନେ ଆଉ ଉକ୍ତ ସରକାରୀ ହସ୍ପିଟାଲ୍‌କୁ ନ ନେଇ ଅନ୍ୟ ଏକ ହସ୍ପିଟାଲକୁ ନେଇ ଯାଇଥିଲେ। ସେଠାରେ ଡାକ୍ତରମାନେ କିଛି ସମୟ ଚିକିତ୍ସା କରିବା ପରେ ମହିଳାଙ୍କ ମୃତ ଘୋଷଣା କରିଥିଲେ।

ମଧ୍ୟମଗ୍ରାମରେ ରହୁଥିବା ଏହି ମହିଳା ଜଣକ ସେପ୍ଟିସେମିଆ ରୋଗରେ ଆକ୍ରାନ୍ତ ଥିଲେ। ଜୁନ୍‌ ୧୧ ତାରିଖରେ ତାଙ୍କୁ ରାଜ୍ୟର ସରକାରୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଅବସ୍ଥା ଗୁରୁତର ଥିବାରୁ ପ୍ରଥମ ଦିନରୁ ହିଁ ତାଙ୍କୁ ଆଇସିୟୁ ଭିତରେ ରଖାଯାଇଥିଲା। ଶୁକ୍ରବାର ଦିନ ଚିକିିତ୍ସା କରୁଥିବା ଡାକ୍ତରମାନେ ଶିବାନୀଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଘୋଷଣା ହେବା ପରେ ତାଙ୍କ ପରିବାର ଲୋକ ମୃତ ଶରୀରକୁ  ଅନ୍ତିମ ସତ୍କାର ପାଇଁ କାଶିପୁର  ନେଇଥିଲେ। ସେଠାରେ ପରିବାର ଲୋକେ ଦେଖିବାକୁ ପାଇଲେ ଯେ ମହିଳା ନିଶ୍ୱାସ ନେଉଛନ୍ତି। ପରିବାର ଲୋକେ ତତ୍‌କ୍ଷଣାତ ଅନ୍ୟ ଏକ ହସ୍ପିଟାଲ୍‌କୁ ଶିବାନୀଙ୍କୁ ନେଇ ଯାଇଥିଲେ। ସେଠାରେ ତାଙ୍କୁ ଡାକ୍ତର ପରୀକ୍ଷା କରିବା ପରେ ଦ୍ୱିତୀୟ ଥର ମୃତ ଘୋଷଣା କରାଯାଇଥିଲା।

ଶିବାନୀଙ୍କ ମୃତ୍ୟୁ ପାଇଁ ପରିବାର ଲୋକେ   ଆର୍‌ଜି କର ସରକାରୀ ହସ୍ପିଟାଲକୁ ଦାୟୀ କରୁଛନ୍ତି। ସେଠାକାର ଡାକ୍ତରମାନଙ୍କ ଦାୟିତ୍ୱହୀନତା ହେତୁ ଶିବାନୀଙ୍କ ମୃତ୍ୟୁ ଘଟିଛି ବୋଲି ସେମାନେ ଅଭିଯୋଗ ଆଣିଛନ୍ତି।

ସମ୍ବନ୍ଧିତ ଖବର