ନୂଆଦିଲ୍ଲୀ: ହରଦୋଇ ଜିଲ୍ଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ପୁଲିସ ଇନ୍ସପେକ୍ଟର ରେସ୍ତୋରାଁ ପରିଚାଳକଙ୍କୁ ଚାପୁଡ଼ା ମାରିବା ଘଟଣା ସାମ୍ନାକୁ ଆସିଛି। ଉକ୍ତ ପୁଲିସ ଅଧିକାରୀଙ୍କ ନାମ ନିତ୍ୟାନନ୍ଦ ସିଂହ ବୋଲି ଜଣାପଡ଼ିଛି।

Advertisment

ପୀଡ଼ିତ ରେସ୍ତୋରାଁ ପରିଚାଳକ ଅଭିଯୋଗ କରି କହିଛନ୍ତି କି, ପୁଲିସ ଅଧିକାରୀ ରେସ୍ତୋରାଁକୁ ଆସି ବିଭିନ୍ନ ପ୍ରକାର ଖାଦ୍ୟ ମଗାଇ ଖାଇଥିଲେ। ଖାଇସାରିବା ପରେ ସେ କାହାକୁ କିଛି ନକହି ଏମିତି କି ଖାଇଥିବା ଖାଦ୍ୟ ଟଙ୍କା ବି ନଦେଇ ଘଟଣାସ୍ଥଳରୁ ଚାଲି ଯାଉଥିଲେ। ୱେଟର ଏବିଷୟରେ ମୋତେ ଆସି କହିବାରୁ ମୁଁ ପୁଲିସ ଅଧିକାରୀଙ୍କୁ ଅଟକାଇ ଖାଦ୍ୟର ଟଙ୍କା ମାଗିଥିଲି। ଏତିକିରେ ସେ ରାଗିଯାଇ ତାଙ୍କ ପଦର ଧମକ ଦେଇ ମୋତେ ଶକ୍ତଚାପୁଡ଼ା ପକାଇ ରେସ୍ତୋରାଁରେ ଦାଦାଗିରି ଦେଖାଇଥିଲେ।

ଏହି ଘଟଣାର ଭିଡିଓ ରେସ୍ତୋରାଁରେ ଲାଗିଥିବା ସିସିଟିଭିରେ କୈଦ ହୋଇଯାଇଥିଲା। ଭିଡିଓ ସାମ୍ନାକୁ ଆସିବା ପରେ ଏହା ଭାଇରାଲ ହୋଇଛି।

ଏହି ଭିଡିଓ ଭାଇରାଲ ହେବାପରେ ପୁଲିସ କହିଛି କି, ଉକ୍ତ ରେସ୍ତୋରାଁ କର୍ମଚାରୀ  ଲୋକଙ୍କ ସହିତ ଖରାପ ବ୍ୟବହାର କରୁଥିଲେ। ତାଙ୍କୁ ଏପରି କରିବାକୁ ପୁଲିସ ଅଧିକାରୀ ବାରଣ କରିଥିଲେ। ସେ କିନ୍ତୁ ପୁଲିସ ଅଧିକାରୀଙ୍କ କୌଣସି କଥା ଶୁଣି ନଥିଲେ। ଏହାପରେ ପୁଲିସ ଅଧିକାରୀ ରେସ୍ତୋରାଁ ମାଲିକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ସେ ରେ‌‌ସ୍ତୋରାଁରେ ତାଙ୍କ ପଦର କୌଣସି ପ୍ରକାର ଅପବ୍ୟବହାର କରିନାହାନ୍ତି।