ବେଙ୍ଗାଲୁରୁ : ଦୁଇ ଜଣ ଅଭିଯୁକ୍ତଙ୍କୁ କର୍ଣ୍ଣାଟକର କୋପାଲ ଜିଲ୍ଲାର ପୁଲିସ ଷ୍ଟେସନରେ ଚମଡ଼ା ବେଲ୍ଟରେ ମାଡ଼ ମାରିବାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଟ୍ରାଫିକ ନିୟମ ଉଲ୍ଲଂଘନ ଏବଂ ପୋଲିସକୁ ଖରାପ ବ୍ୟବହାର କରିବା ଯୋଗୁଁ ଦୁଇ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିଲା ।
ଦୁଇ ଅଭିଯୁକ୍ତ ପୁଲିସ ଷ୍ଟେସନରେ ପହଞ୍ଚିବା ପରେ ଜଣେ ପୁଲିସ କର୍ମଚାରୀ ଚମଡ଼ାର ବେଲ୍ଟ ଧରି ପ୍ରଥମେ ଜଣେ ଅଭିଯୁକ୍ତଙ୍କ ଉପରେ ପ୍ରହାର କରିଥିଲେ । ଅଭିଯୁକ୍ତ ଜଣଙ୍କ ଯନ୍ତ୍ରଣାରେ ଚିତ୍କାର କରିଥିଲେ ମଧ୍ୟ କର୍ମଚାରୀ ଜଣଙ୍କ ଅଟକି ନ ଥିଲେ । ସେହି ସମୟରେ ଅନ୍ୟ ଜଣେ ପୁଲିସ କର୍ମଚାରୀ ଆସି ଆଉ ଜଣେ ଅଭିଯୁକ୍ତଙ୍କୁ ହାତ ସିଧା କରି ଠିଆ ହେବା ପାଇଁ କହିଥିଲେ ଏବଂ ତାଙ୍କ ଉପରେ ଚମଡ଼ା ବେଲ୍ଟରେ ପ୍ରହାର କରିଥିଲେ।
ଏହି ଅମାନୁଷିକ ଘଟଣା ବେଙ୍ଗାଲୁରୁ ଠାରୁ ୩୫୦ କିଲୋମିଟର ଦୂରରେ ଅବସ୍ଥିତ ଥିବା କୋପାଲ ଜିଲ୍ଲାରେ ଘଟିଛି। ସେଠାରେ ଥିବା ଏକ ମନ୍ଦିରେ ପ୍ରବଳ ଭିଡ଼ ହୋଇଥିବାରୁ ସେଠାକାର ସୁରକ୍ଷା ବ୍ୟବସ୍ଥାକୁ କଡ଼ା କରାଯାଇଥିଲା । ସେହି ସମୟରେ ଏହି ଦୁଇ ଅଭିଯୁକ୍ତ ନିୟମ ଉଲଂଘନ କରିବାରୁ ସେଠାରେ ଉପସ୍ଥିତ ଥିବା ସବ-ଇନସ୍ପେକ୍ଟର ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ଘଟଣା ବିଷୟରେ କୋପାଲ ଜିଲ୍ଲାର ପୁଲିସ ସୁପରିଟଣ୍ଡେଣ୍ଟ ଅନିଲ ସେଠୀଙ୍କୁ ପଚାରା ଯିବାରୁ ସେ କହିଛନ୍ତି , "ମୁଁ ଏହି ଘଟଣା ବିଷୟରେ କେବଳ ଶୁଣିଛି କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ଭିଡ଼ିଓ ଦେଖିନାହିଁ । ମୁଁ ଭିଡ଼ିଓକୁ ଦେଖିବା ପରେ ଏହି ସମ୍ବନ୍ଧୀୟ ଉପଯୁକ୍ତ ପଦକ୍ଷେପ ନେବି" ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/karnatak-police.jpeg)