ଖଣ୍ଡଗିରି: ଚନ୍ଦକା ଥାନା ମଳିପଡ଼ା ନିକଟରେ ଏକ ନିର୍ମାଣାଧୀନ ଘରର ପାଇଖାନା ଟାଙ୍କିରୁ ପୁଲିସ ମଙ୍ଗଳବାର ସନ୍ଧ୍ୟାରେ ଜଣେ ଶ୍ରମିକଙ୍କ ମୃତଦେହ ଜବତ କରିଛି। ମୃତକ ହେଲେ, ରାଞ୍ଚି ପା’ପୁର ଗ୍ରାମର ବିନ୍ ସୟିଦ୍(୨୨)। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଚନ୍ଦକା ଥାନା ପୁଲିସ ସୂଚନା ଦେଇଛି। ମୃତଦେହକୁ କ୍ୟାପିଟାଲ ହସ୍ପିଟାଲର ଶବ ସଂରକ୍ଷଣ ଗୃହରେ ରଖାଯାଇଛି। ସୂଚନାନୁସାରେ, ଉକ୍ତ ନିର୍ମାଣାଧୀନ ଘରର କାମ ନେଇଥିବା ଠିକାଦାର ଆଜି କୌଣସି କାମ ପାଇଁ ସୟିଦ୍କୁ ପଠାଇଥିଲେ। କମ୍ କାମ ଥିବାରୁ ସେ ସେଠାକୁ ଏକାକୀ ଯାଇଥିଲେ। ଅପରାହ୍ଣ ୩ଟା ବେଳେ ଠିକାଦାର ତା’ ମୋବାଇଲ୍କୁ ବାରମ୍ବାର କଲ୍ କରି ବିଫଳ ହେବା ପରେ ସେଠାକୁ ଆସିଥିଲେ। ମାତ୍ର ଘର ଭିତରେ ସେ ସୟିଦ୍କୁ ନ ପାଇ ପୁଣି ମୋବାଇଲ୍କୁ କଲ୍ କରିବାରୁ ରିଂ ଟୋନ୍ ପାଇଖାନା ଟାଙ୍କି ଭିତରୁ ଆସିଥିଲା। ଠିକାଦାର ତାକୁ ଭିତରେ ମରି ପଡ଼ିଥିବା ଦେଖି ଚନ୍ଦକା ଥାନାକୁ ଜଣାଇଥିଲେ। ସୟିଦ୍ ଏକ ରଶି ବାନ୍ଧି ପାଇଖାନା ଟାଙ୍କି ଭିତରକୁ ଯିବା ପରେ ସେଠାରେ ଶ୍ବାସରୁଦ୍ଧ ହୋଇଯିବା କାରଣରୁ ମୃତ୍ୟୁବରଣ କରିଥିବା ଅନୁମାନ କରାଯାଉଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp