ନୂଆଦିଲ୍ଲୀ: ଗୁରୁ ଓ ଶିଷ୍ୟ ସମ୍ପର୍କ ଏକ ପବିତ୍ର ସମ୍ପର୍କ। କିନ୍ତୁ ଆଜିକାଲି ଏମିତି ଘଟଣା ସବୁ ସାମ୍ନାକୁ ଆସିଛି ଯାହାକି ଗୁରୁ ଓ ଶିଷ୍ୟ ମଧ୍ୟରେ ଥିବା ସମ୍ପର୍କରେ କଳଙ୍କ ଲଗାଇ ଦିଆଯାଉଛି ବୋଲି କୁହାଯାଉଛି।

Advertisment

ଅନେକ ସମୟରେ ଗୁରୁ ଶିଷ୍ୟଙ୍କ ସହିତ ଅଶ୍ଳୀଳ ବ୍ୟବହାର କରୁଥବା ଘଟଣା ଘଟୁଥିବା ବେଳେ କେତେବେଳେ ଛାତ୍ରଛାତ୍ରୀମାନେ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ନମାନି ସେମାନଙ୍କୁ ମାଡ଼ ମାରୁଥିବାର ଖବର ସାମ୍ନାକୁ ଆସୁଛି। ଫ୍ଲୋରିଡାରୁ ଏମିତି ଏକ ଘଟଣାର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହୋଇଛି।

କୁହାଯାଉଛି କି, ଜଣେ ଛାତ୍ର ପାଠପଢ଼ା ଯାଉଥିବା ସମୟରେ ଶ୍ରେଣୀଗୃହରେ ଭିଡିଓ ଗେମ ଖେଳୁଥିଲା। ଏହି ସମୟରେ ଶିକ୍ଷୟିତ୍ରୀ ଜଣକ ଛାତ୍ରଙ୍କୁ ଗାଳି କରିବା ସହିତ ଖେଳ ବନ୍ଦ କରି ପାଠପଢ଼ିବା ପାଇଁ କହିଥିଲେ। ବାରମ୍ବାର ତାଗିଦ କରିବା ସତ୍ତ୍ବେ ଛାତ୍ର ଜଣକ ଶିକ୍ଷୟିତ୍ରୀଙ୍କ କଥା ଶୁଣି ନଥିଲା। ଫଳରେ ଶିକ୍ଷୟିତ୍ରୀ ବାଧ୍ୟ ହୋଇ ଛାତ୍ରର ଭିଡିଓ ଗେମ ଡିଭାଇସ ଜବତ କରିଥିଲେ।

ଏହାପରେ ଶିକ୍ଷୟିତ୍ରୀ ଯେମିତି ଶ୍ରେଣୀଗୃହରୁ ବାହାରିଥିଲେ ଛାତ୍ର ଜଣକ ଦୌଡ଼ି ଯାଇ ସ୍କୁଲ ବାରଣ୍ଡାରେ ତାଙ୍କୁ ଧକ୍କା ଦେଇଥିଲା। ଆଉ ଶିକ୍ଷୟିତ୍ରୀଙ୍କୁ ଚଟାଣରେ କଚାଡ଼ି ମାଡ଼ ମାରିଥିଲା। ଛାତ୍ରଙ୍କ ମାଡ଼ରେ ଶିକ୍ଷୟିତ୍ରୀ ଅଚେତ ହୋଇପଡ଼ିଥିଲେ। ପରେ ସ୍କୁଲର ଅନ୍ୟ ସଦସ୍ୟମାନେ ଆସି ଛାତ୍ର କବଳରୁ ଶିକ୍ଷୟିତ୍ରୀଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏଥିସହିତ ଏହି ଘଟଣାରେ ସମ୍ପୃକ୍ତ ଛାତ୍ର ବିରୋଧରେ ମାମଲା ରୁଜୁ କରାଯିବା ସହିତ ପୁଲିସ ତାକୁ ଗିରଫ କରି ନେଇଛି।