ଖଣ୍ତଗିରି : ଜମି ବିକିବା ବାହାନାରେ ଭୁଲ୍ ପ୍ଲଟ ଦେଖାଇ ଜଣେ କ୍ରେତାଙ୍କଠାରୁ ୪.୭ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ଆଜି ଯାଁଳା ଫାଣ୍ତି ପୁଲିସ ଜମି କିଣାବିକାର ଦଲାଲ୍କୁ ଗିରଫ କରି କୋର୍ଟ ଚାଲାଣ କରିଛିି। ଅଭିଯୁକ୍ତ ହେଲେ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦର ପ୍ରଣବ କୁମାର ନାୟକ। ଜାମିନ୍ ନାମଞ୍ଜୁର ହେବାରୁ ତାକୁ ଝାରପଡ଼ା ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ଏହି ମାମଲାରେ ପୂର୍ବରୁ ନକଲି ମାଲିକ ସରୋଜ ପରିଡ଼ା ଗିରଫ ହୋଇ ଜେଲ୍ ଯାଇଥିବାବେଳେ ଦଲାଲ୍ ପ୍ରଣବ ଫେରାର୍ ହୋଇ ଯାଇଥିଲା। ସରୋଜ ଓ ପ୍ରଣବ ମିଳିତଭାବେ ଏହି ଠକାମୀ କରିଥିଲେ। ତମାଣ୍ତୋ ଅଞ୍ଚଳର ମଙ୍ଗୁଳି ସାହୁଙ୍କୁ ଯାଁଳା ଓଗାଳପଡ଼ାରେ ଏକ ପ୍ଲଟ ବିକିବା ପାଇଁ ସେମାନେ ତାଙ୍କଠାରୁ ୪ ଲକ୍ଷ ୭୦ ହଜାର ଟଙ୍କା ଗଣି ନେଇଥିଲେ। ସରୋଜ ନକଲି ଜମି ମାଲିକ ସାଜିଥିଲା ଓ ପ୍ରଣବ ମଧୢସ୍ଥତା କରିଥିଲା। ମାତ୍ର ପରେ ମଙ୍ଗୁଳି ଜାଣିବାକୁ ପାଇଲେ ଯେ ତାଙ୍କୁ ଯେଉଁ ପ୍ଲଟ୍ଟି ଦେଖାଯାଇଛି, ତାହା ଅନ୍ୟ ଜଣଙ୍କର। ସରୋଜଙ୍କ ନାମରେ ଉକ୍ତ ପ୍ଲଟ ନଥିଲା। ତେଣୁ ସେ ଠକାମିର ଶିକାର ହୋଇଥିବା ସ୍ପଷ୍ଟ ହେବା ପରେ ୨୦୧୭ ମସିହାରେ ପୁଲିସର ଦ୍ବାରସ୍ଥ ହୋଇଥିଲେ। ପୁଲିସ ଛାନ୍ଭିନ୍ କରିବା ପରେ ନକଲି ମାଲିକ ସରୋଜକୁ ଗିରଫ କରି ଜେଲ୍ ପଠାଇଥିଲା। ମାତ୍ର ସେତେବେଳେ ଦଲାଲ୍ ପ୍ରଣବ ଧରାଛୁଆଁ ଦେଇ ନଥିଲା।
ବ୍ୟବସାୟୀଙ୍କୁ ଅପହରଣ, ୨ ଗିରଫ
ଚନ୍ଦ୍ରଶେଖରପୁର : ଜଣେ ବ୍ୟବସାୟୀଙ୍କୁ ଚନ୍ଦ୍ରଶେଖରପୁର ନୀଳାଦ୍ରିବହାରରୁ ଅପହରଣକରି ମୋଟା ଅଙ୍କର ଅର୍ଥ ଦାବି କରୁଥିବା ୨ ଅପହର୍ତାଙ୍କୁ ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ଗିରଫକରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଆଶୁତୋଷ ମୁନି ଓ ଆଶିଷ ମହାନ୍ତି। ଗତ ୧ତାରିଖରେ ଉଭୟ ନୀଳାଦ୍ରିବହାରରେ ରହୁଥିବା ସ˚ଜୟ କୁମାର ବିଶ୍ବାଳ ନାମକ ଜଣେ ବ୍ୟବସାୟୀଙ୍କଠାରୁ ୫ଲକ୍ଷ ଟଙ୍କା ଦାଦା ବଟି ମାଗିଥିଲେ। ବ୍ୟବସାୟୀ ଜଣଙ୍କ ବାରଣ କରିବାରୁ ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ସ˚ଜୟଙ୍କୁ ଏକ କାର୍ରେ ଚନ୍ଦକା ଅଭୟାରଣ୍ୟ ଅଞ୍ଚଳକୁ ନେଇଯାଇଥିଲେ। ପରେ ସ˚ଜୟଙ୍କ ପରିବାର ଲୋକଙ୍କୁ ମୋଟା ଅଙ୍କର ଅର୍ଥ ମାଗିିଥିଲେ। ଏନେଇ ପରିବାର ଲୋକ ଥାନାରେ ଜଣାଇବା ପରେ ପୁଲିସ୍ ଶ୍ରୀ ବିଶ୍ବାଳ ଓ ଅପହର୍ତାଙ୍କ ଫୋନ୍କୁ ଟ୍ରାକ୍ କରିଥିଲା। ଆଜି ପୁଲିସ୍ର ଏକ ସ୍ବତନ୍ତ୍ର ଦଳ ଖୋର୍ଦ୍ଧା ଅଞ୍ଚଳର ଭରତପୁର ଜଙ୍ଗଲ ନିକଟରୁ ଉଭୟଙ୍କୁ ଗିରଫ କରିଥିଲା। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରିଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/aa.jpg)