ଜମି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ, ଅମିନ ଗିରଫ

ଭୁବନେଶ୍ୱର: ଜମି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ଜଣେ ଅମିନକୁ ଗିରଫ କରିଛି। ସେ ହେଲେ ନୂଆପଲ୍ଲୀ ଆଇଆର୍‌ସି ଭିଲେଜ୍‌ ଲେନ୍‌-୫ ଅଞ୍ଚଳର ଦିଲ୍ଲୀପ କୁମାର ସ୍ୱାଇଁ(୪୬)। ଦିଲ୍ଲୀପ ଅମିନ ଥିବା ସମୟରେ ଚାକିରିର ଭରପୂର ଫାଇଦା ଉଠାଇଥିଲେ। ଜମି କିଣା ବିକା କରି ଲକ୍ଷ ଲକ୍ଷ ଟଙ୍କା ହରିଲୁଟ୍‌ କରିଥିଲେ। କିଛିଦିନ ତଳେ ଦିଲ୍ଲୀପ ପ୍ରଭାକର ସାମନ୍ତରାୟ ନାମକ ଜଣେ ବ୍ୟକ୍ତିଙ୍କୁ ଘାଟିକିଆ ଅଞ୍ଚଳରେ ଜମି ଦେବେ ବୋଲି କହିଥିଲେ। ଏଥିପାଇଁ ଦିଲ୍ଲୀପ ପ୍ରଭାକରଙ୍କଠାରୁ ୫୫ଲକ୍ଷ ଟଙ୍କା ନେଇଥିଲେ। ଟଙ୍କା ନେବାର ବର୍ଷେ ବିତି ଯାଇଥିଲେ ମଧ୍ୟ ଦିଲ୍ଲୀପ ପ୍ରଭାକରଙ୍କୁ ଜମି ଫେରାଇ ନଥିଲେ। ତେଣୁ ପ୍ରଭାକର ଦିଲ୍ଲୀପଙ୍କ ସହ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେ। ହେଲେ ଦିଲ୍ଲୀପ ଆଉ ପ୍ରଭାକରଙ୍କୁ ଧରାଛୁଆଁ ଦେଇ ନଥିଲେ। ଜମି ଦେବାତ ଦୂରର କଥା ଟଙ୍କା ମଧ୍ୟ ଫେରାଇ ନଥିଲେ। ଏନେଇ ପ୍ରଭାକର ଦିଲ୍ଲୀପଙ୍କ ବିରୋଧରେ କୋର୍ଟଙ୍କ ଦ୍ୱାରାସ୍ଥ ହୋଇଥିଲେ। ଫଳରେ ତାଙ୍କ ନାମରେ ଓ୍ଵାରେଣ୍ଟ ଜାରି ହୋଇଥିଲା। ଓ୍ଵାରେଣ୍ଟକୁ ଆଧାର କରି ନୂଆପଲ୍ଲୀ ଥାନା ପୁଲିସ ଗୁରୁବାର ବିଳମ୍ବିତ ରାତିରେ ତାଙ୍କୁ ଗିରଫ କରିଥିଲା। କେବଳ ଏତିକି ନୁହେଁ, ପୂର୍ବରୁ ନିଜ ନାମରେ ଥିବା ଏକ ଜିଏ ପ୍ଲଟ୍‌କୁ ଏକାଧିକ ଲୋକଙ୍କୁ ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିଥିଲେ। ଏହାଛଡ଼ା ନୂଆପଲ୍ଲୀ ଭଳି ଭିଭିଆଇପି ଅଞ୍ଚଳରେ ପ୍ଲଟ୍‌ ଦେବାକୁ କହି କାହାଠାରୁ ୩୦ଲକ୍ଷ ତ କାହାଠାରୁ ୫୦ ଲକ୍ଷ ଏମିତି ଲୁଟି ଚାଲିଥିଲେ। ଏନେଇ ବିଭିନ୍ନ ସମୟରେ ଥାନା ଓ କୋର୍ଟରେ ଦିଲ୍ଲୀପଙ୍କ ବିରୋଧରେ ମାମଲା ରୁଜୁ କରାଯଇଥିଲା। ଆଉ ପୂର୍ବରୁ ମଧ୍ୟ ତାଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ସମ୍ବନ୍ଧିତ ଖବର