ଝାରସୁଗୁଡ଼ା: ଖସିଯିବେ କି ପ୍ରଭାବଶାଳୀ ଅଭିଯୁକ୍ତ ଅନୁପ ସାଏ ? କଳ୍ପନା ଦାସ ଓ ବବଲି ହତ୍ୟା ମାମଲାରେ ଜେଲରେ ରହିଥିବା ପୂର୍ବତନ ବିଧାୟକ ଖସିଯିବେ କି ? ଏବେ ଏହି ପ୍ରଶ୍ନକୁ ନେଇ ଛତିଶଗଡର ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି । ରାଜଧାନୀ ରାୟପୁରରୁ ପ୍ରକାଶିତ ‘ନବଭାରତ’ରେ ପ୍ରକାଶ ପାଇଥିବା ଖବର ଅନୁଯାୟୀ, ଅନୁପ ସାଏ ଏବଂ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ କରିବା ରାୟଗଡ଼ ପୁଲିସ ପାଇଁ ଏତେଟା ସହଜ ହେଉନାହିଁ । ତେଣୁ ପୁଲିସ ଅଧିକ ପ୍ରମାଣ ଯୋଗାଡ କରିବାରେ ଲାଗିପଡିଛି । ଚଢାଯାଇଥିବା ଗାଡି ଏଯାଏଁ ମିଳିନାହିଁ ଓ ଯେଉଁ ଲୁହାଛଡରେ ମା-ଝିଅଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା ତାହା ମଧ୍ୟ ପୁଲିସ ହାତରେ ଲାଗିନାହିଁ ।
Sambad is now on WhatsApp
Join and get latest news updates delivered to you via WhatsApp
ଅନ୍ୟପଟେ ବର୍ଦ୍ଧନ ଟପ୍ପୋ ଗଣମାଧ୍ୟମ ଆଗରେ କହିସାରିଛି କି, ତାର ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତି ନାହିଁ । ଏପରି ସ୍ଥିତିରେ ପୁଲିସ ପାଇଁ ସବୁଠୁ ବଡ ଚ୍ୟାଲେଂଜ ହୋଇଛି, ହତ୍ୟାକାଣ୍ଡରେ ଏ ଦୁହେଁ କିପରି ସମ୍ପୃକ୍ତ ତାହା ପ୍ରମାଣ କରିବା । ଡ୍ରାଇଭର ହତ୍ୟାରେ ସମ୍ପୃକ୍ତ କି ନାହିଁ ପ୍ରମାଣ କରିବାକୁ ସବୁ ଉଦ୍ୟମ ଲଗାଇ ଦେଇଛି ପୁଲିସ । ହତ୍ୟା ଘଟଣାରେ ଦୁହିଁଙ୍କ ସମ୍ପୃକ୍ତି ନେଇ ଆଉ କିଛି ପ୍ରମାଣ ଯୋଗାଡ କରିବାରେ ଲାଗିପଡିଛି ପୁଲିସ । ଏହି ମାମଲାରେ ଅଭାବ ରହିଥିବା ଦିଗଗୁଡିକ ହେଉଛି, ପ୍ରତ୍ୟକ୍ଷଦର୍ଶୀ, ବୋଲେରୋରେ ରକ୍ତର ଚିହ୍ନ, ଡ୍ରାଇଭରର ବୟାନ, ଯାହାକି ଅନୁପ ସାଏଙ୍କୁ ଖସାଇବାରେ ସାହାଯ୍ୟ କରିପାରେ ବୋଲି ଚର୍ଚ୍ଚା ହେଉଛି ।
ଅନୁପ ଜଣେ ଧନୀ ଓ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ବିଭିନ୍ନ ସ୍ତରରେ ଟଙ୍କାର ଲୋଭ ଦେଖାଇ ମାମଲାକୁ ରଫା ଦଫା କରିବା ପାଇଁ ପ୍ରୟାସ କରିପାରନ୍ତି ବୋଲି ଅନୁମାନ କରାଯାଉଛି। ବଡ କଥା ହେଉଛି କଳ୍ପନା ଏବଂ ବବଲିଙ୍କ ତରଫରୁ ଏହି ମାମଲା ଲଢିବ କିଏ ? ଏହି ମାମଲାରେ କୋର୍ଟରେ ଲଢିବା ପାଇଁ କଳ୍ପନାଙ୍କ ପୂର୍ବତନ ସ୍ୱାମୀଙ୍କ କ୍ଷମତା ନାହିଁ । ଏପରି ସ୍ଥିତିରେ ଅନୁପ ସାଏ ଏହାର ଫାଇଦା ନେଇପାରନ୍ତି ଏବଂ ସହଜରେ ଖସି ଯାଇପାରନ୍ତି ବୋଲି ଆଶଙ୍କା ସୃଷ୍ଟି ହୋଇଛି ।
ତେବେ ହତ୍ୟାକାଣ୍ଡର ଅଧିକ ତଥ୍ୟ ଜାଣିବାକୁ ଅଭିଯୁକ୍ତ ଅନୁପ ସାଏ ଏବଂ ତାଙ୍କ ଡ୍ରାଇଭରଙ୍କୁ ରିମାଣ୍ଡରେ ନେଇଛି ପୁଲିସ । ପୁଲିସ ଠୋସ୍ ପ୍ରମାଣ ଯୋଗାଡ଼ରେ ସକ୍ଷମ ହେଉଛି କି ନାହିଁ ତାହା ଦେଖିବାକୁ ରହିଲା।