ରାଉରକେଲା: ପଡୋଶୀଙ୍କୁ ହତ୍ୟା ଘଟଣାର ରାୟ ପ୍ରକାଶ ପାଇଛି। ରାଉରକେଲା ଅତିରିକ୍ତ ଜିଲ୍ଲା ଦୌରାଜଜ୍ ମନୋଜ କୁମାର ମାମଲାର ବିଚାର କରି ହତ୍ୟାକାରୀ ଭରତ ବଡାଇକକୁ ଆଜୀବନ ଜେଲ୍ ସହ ୫ ହଜାର ଟଙ୍କା ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟରେ ଅଧିକ ତିନିମାସ ଜେଲ୍ ନିର୍ଦ୍ଦେଶ ଦେଇଛନ୍ତି।
୧୨ ସାକ୍ଷୀଙ୍କ ସାକ୍ଷ୍ୟପ୍ରମାଣ, ୧୯ ଦସ୍ତାବିଜ୍ ଓ ସରକାରୀ ଓକିଲଙ୍କ ଯୁକ୍ତିକୁ ଭିତ୍ତିକରି ବିଚାରପତି ଏହି ରାୟ ଶୁଣାଇଛନ୍ତି। ଗତ ୨୦୨୦ ଡିସେମ୍ବର ୧୧ରେ ବିଶ୍ରା ଥାନା ଅନ୍ତର୍ଗତ ଚେଙ୍ଗଝରଣ ଝରିଆଟୋଲିର ବିବାହ ଭୋଜିରେ ଏହି ହତ୍ୟାକାଣ୍ଡ ଘଟିଥିଲା।
ଝରିଆଟୋଲିରେ ଜିତେନ୍ଦ୍ର ମୁଣ୍ଡା, ଦୁଇପତ୍ନୀ ଶାନ୍ତି ମୁଣ୍ଡା ଓ କର୍ମି ମୁଣ୍ଡା ଏବଂ ୮ ବର୍ଷର ପୁଅ ରହନ୍ତି। ସେହି ବସ୍ତିରେ ଭରତ ବଡାଇକ ମଧ୍ୟ ରହନ୍ତି। ପାରିବାରିକ ବିବାଦକୁ ନେଇ ଉଭୟ ଜିତେନ୍ଦ୍ର ଓ ଭରତ ମଧ୍ୟରେ ଅଧିକାଂଶ ସମୟରେ କଳିଝଗଡ଼ା ଲାଗୁଥିଲା।
ଏଥିରେ ଉତ୍କ୍ଷିପ୍ତ ହୋଇ ଭରତ ଜିତେନ୍ଦ୍ରକୁ ହତ୍ୟା କରିଦେବାକୁ ଶାନ୍ତି ଓ କର୍ମିଙ୍କୁ ଘଟଣାର କିଛି ଦିନ ପୂର୍ବରୁ ଧମକ ଦେଇଥିଲା। ହେଲେ ଭରତର ଏହି କଥାକୁ ଜିତେନ୍ଦ୍ରଙ୍କ ଦୁଇ ପତ୍ନୀ ଶାନ୍ତି ଓ କର୍ମି ଏତେଟା ଗୁରୁତ୍ବ ଦେଇନଥିଲେ।
ଗତ ୨୦୨୦ ଡିସେମ୍ବର ୧୧ରେ ଝରିଆଟୋଲିରେ ଏକ ବିବାହଭୋଜି ଚାଲିଥିଲା। ଜିତେନ୍ଦ୍ରଙ୍କ ଦୁଇ ପତ୍ନୀ ଶାନ୍ତି, କର୍ମି ଓ ତାଙ୍କ ୮ ବର୍ଷର ପୁଅ ଭୋଜି ଖାଇିବାକୁ ପ୍ରଥମେ ଘରୁ ବାହାରିଥିଲେ। କିଛି ସମୟ ପରେ ଜିତେନ୍ଦ୍ର ବାଇକ୍ରେ ଆସି ବିବାହ ଭୋଜିରେ ପହଞ୍ଚିଥିଲେ।
ବିବାହ ଭୋଜିସ୍ଥଳରେ ବାଇକ୍ ରଖିବାକୁ ଜାଗା ନଥିବାରୁ ଜିତେନ୍ଦ୍ର ଭରତଙ୍କ ଘର ଆଗରେ ବାଇକ୍କୁ ଛିଡ଼ା କରିଥିଲେ। ଭରତ ଘର ଆଗରେ ବାଇକ୍ ନ ରଖିବାକୁ ଜିତେନ୍ଦ୍ରକୁ କହିଥିଲା, ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଭରତ ରାଗିଯାଇ ଗଇଁତିରେ ଜିତେନ୍ଦ୍ରର ମୁଣ୍ଡକୁ ପ୍ରହାର କରିଥିଲା। ଫଳରେ ଜିତେନ୍ଦ୍ର ରକ୍ତଜୁଡୁବୁଡୁ ଅବସ୍ଥାରେ ଅଚେତ ହୋଇ ତଳେ ପଡ଼ିଯାଇଥିଲେ।
ଅଧିକ ପଢ଼ନ୍ତୁ: କ୍ରାଇମ୍ବ୍ରାଞ୍ଚ କହି ଠକିଥିଲେ ୨୩ଲକ୍ଷ:ରାଜସ୍ଥାନରୁ ୨ଜଣଙ୍କୁ ବାନ୍ଧିଲା ପୁଲିସ୍
ସେହି ସମୟରେ ସେଠାରେ ଥିବା ଜିତେନ୍ଦ୍ରର ପୁଅ ଦୌଡ଼ିଯାଇ ଶାନ୍ତି ଓ କର୍ମିଙ୍କୁ ସବୁ କଥା କହିଥିଲେ। ଶାନ୍ତି ଓ କର୍ମି ଘଟଣାସ୍ଥଳରେ ପହଞ୍ଚି ଜିତେନ୍ଦ୍ରଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।
ପରଦିନ ଅର୍ଥାତ୍ ୧୨.୧୨.୨୦୨୦ରେ ଶାନ୍ତି ସ୍ବାମୀଙ୍କ ହତ୍ୟାକାଣ୍ଡ ସଂକାନ୍ତରେ ବିଶ୍ରା ଥାନାରେ ଲିଖିତ ଏତଲା ଦେଇଥିଲେ। ପୁଲିସ ହତ୍ୟା ମାମଲା ରୁଜୁ କରିବା ସହ ହତ୍ୟାକାରୀ ଭରତକୁ ଗିରଫ କରି କୋର୍ଟଚାଲାଣ କରିଥିଲା। ସରକାରୀ ଓକିଲ (ଏପିପି) କୈଳାସ ପ୍ରଧାନ ମାମଲା ପରିଚାଳନା କରୁଥିଲେ।
ଅଧିକ ପଢ଼ନ୍ତୁ: ବିମାନ ଦୁର୍ଘଟଣା ନେଇ ଆମକୁ ଦୋଷ ଦିଅ ନାହିଁ: ଆମେରିକାକୁ ରୁଷିଆର ଜବାବ