ଭୁବନେଶ୍ବର : ୨୧ ଲିଟର ମଦ ସହ ଯୁବକ ଗିରଫ

ଭୁବନେଶ୍ବର : ଦେଶ ତଥା ରାଜ୍ୟସାରା ତାଲାବନ୍ଦ। ସମସ୍ତେ ଘରେ ଗୃହବନ୍ଦୀ। ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡ଼ିଦେଲେ ଅନ୍ୟ କିଛି ମିଳୁ ନାହିଁ। ଏଭଳି ସ୍ଥିତିରେ ମଦୁଆ ଉଚ୍ଛନ୍ନ ହେଉଛନ୍ତି ଟିକେ ମଦ ପିଇବା ପାଇଁ। ଏପରି ମଦୁଆଙ୍କ ପାଖରେ ମଦ ପହଞ୍ଚାଇବା ପାଇଁ ମଧ୍ୟ ଲୋକ ଅଛନ୍ତି। ବିକ୍ରି ଦରଠାରୁ ୪ ଗୁଣ ଟଙ୍କା ନେଇ ଘର ପାଖରେ ମଦ ପହଞ୍ଚାଉଛନ୍ତି। ଏଭଳି କାରବାରରେ ଲିପ୍ତ ଜଣେ ଦଲାଲକୁ ନୂଆପଲ୍ଲୀ ଥାନା ପୁଲିସ ଗିରଫ କରିଛି। ସେ ହେଉଛି, ଗଞ୍ଜାମ ଦିଗପହଣ୍ଡି କିଲେଶ୍ବର ଗ୍ରାମର ବଳରାମ ପଣ୍ଡା ଓରଫ ପିଣ୍ଟୁ। ନୂଆପଲ୍ଲୀ ଭଡ଼ାଘରୁ ତାକୁ ଗିରଫ କରାଯାଇଛି। ତା’ଠାରୁ ୧୦୪ ବୋତଲ ତଥା ୨୧ଲିଟର ବିଦେଶୀ ମଦ ଜବତ କରାଯାଇଛି। ଆଜି କୋର୍ଟଚାଲାଣ ହେବା ପରେ ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ୍‌ ପଠାଇ ଦିଆଯାଇଛି।

ସେ ଆଇଆରସି ଭିଲେଜ୍‌ ଏନ୍‌-୪ ୧୬୮ରେ ତିନି ମାସ ହେବ ଭଡ଼ା ଘରେ ରହୁଥିଲା। ତାଲାବନ୍ଦ ସମୟରେ ମଦର ଘୋର ଚାହିଦା ଦେଖି ତାର କାରବାର ଆରମ୍ଭ କରି ଦେଇଥିଲା। ଲୋକଙ୍କ ପାଖରେ ମଦ ପହଞ୍ଚାଇ ବେଶ୍‌ ମୋଟା ଅଙ୍କର ରୋଜଗାର କରିବାକୁ ଚିନ୍ତା କରିଥିଲା। ଖୋର୍ଦ୍ଧାରୁ ମଦ ଆଣି ଭଡ଼ା ଘରେ ରଖୁଥିଲା। ଯେଉଁ ମଦର ମୂଳ ଦର ୧୩୫ ଟଙ୍କା ଥିଲା, ତାହାକୁ ସେ ୩୫୦ ଟଙ୍କାରେ ବିକ୍ରି କରୁଥିଲା। ଏଭଳି ବେପାର କିଛି ଦିନ କରିବା ପରେ ପୁଲିସ ପାଖରେ ଖବର ପହଞ୍ଚିଥିଲା। ପୁଲିସ ତାକୁ ଛକିବା ପରେ ଗତ ରାତିରେ ଚଢ଼ଉ କରି ଧରିଥିଲା। ଚଢ଼ଉ ବେଳେ ଘରେ ଥିବା ଏହି ବିଦେଶୀ ମଦ ଜବତ କରିବାକୁ ସକ୍ଷମ ହୋଇଥିଲା।

ସମ୍ବନ୍ଧିତ ଖବର