ମୁମ୍ବାଇ: ‘ଲିଭ୍-ଇନ୍ ପାର୍ଟନର୍’ଙ୍କ ଉପରେ ଏସିଡ୍ ଫିଙ୍ଗିଥିବା ଅଭିଯୋଗରେ ଶୁକ୍ରବାର ଦିନ ମୁମ୍ବାଇର ଗିର୍ଗାଓଁ ଅଞ୍ଚଳରୁ ଜଣେ ୬୨ ବର୍ଷିୟ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।
ଏସିଡ୍ ମାଡ଼ ଯୋଗୁଁ ୪୦% ପୋଡ଼ି ଯାଇଥିବା ଉକ୍ତ ୫୪ ବର୍ଷୀୟ ପୀଡ଼ିତା ସମ୍ପ୍ରତି ଚିକିତ୍ସାଧୀନା ଅଛନ୍ତି। ସେ ଗିର୍ଗାଓଁ ଅନ୍ତର୍ଗତ ଫନସ୍ ୱାଡ଼ି ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି। କିଛି ଦିନ ହେବ ଉଭୟଙ୍କ ମଧ୍ୟରେ ପଡୁ ନ ଥିଲା। ସବୁବେଳେ କଳିଗୋଳ ହେଉଥିବାରୁ ମହିଳାଜଣଙ୍କ ଅଭିଯୁକ୍ତଙ୍କୁ ଘରୁ ବାହାରିଯିବାକୁ ବାଧ୍ୟ କରୁଥିଲେ।
ସଂଗୃହୀତ ତଥ୍ୟ ଅନୁସାରେ, ଦୁଇ ଦିନ ତଳୁ ପୀଡ଼ିତାଙ୍କ ଘରୁ ଚାଲି ଯାଇଥିବା ମହେଶ ନାମକ ଉକ୍ତ ଅଭିଯୁକ୍ତ ଶୁକ୍ରବାର ଭୋର୍ ୫.୩୦ରେ ଫେରିଆସି ପାଣି ପାଇଁ ବାହାରକୁ ଆସିଥିବା ସେ ମହିଳାଙ୍କ ଉପରକୁ ପ୍ଲାଷ୍ଟିକ୍ ବୋତଲରେ ଆଣିଥିବା ଏସିଡ୍ ଫିଙ୍ଗିଥିଲେ।
ଏସିଡ୍ ପ୍ରଭାବରେ ସାଙ୍ଘାତିକ ଆହତ ହୋଇଥିବା ଉକ୍ତ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅଭିଯୁକ୍ତଙ୍କୁ ମୁମ୍ବାଇର ଏଲ୍. ଟି. ମାର୍ଗ ପୁଲିସ ଗିରଫ କରିଛି।
ଏଲ୍. ଟି. ମାର୍ଗ ଥାନାର ବରିଷ୍ଠ ପୁଲିସ ଇନ୍ସ୍ପେକ୍ଟର୍ ଜ୍ୟୋତି ଦେଶାଇ କହିଛନ୍ତି, ପୀଡ଼ିତାଙ୍କୁ ଭର୍ତ୍ତି କରାଯାଇଥିବା ଘରୋଇ ଡାକ୍ତରଖାନା ପୁଲିସ କଣ୍ଟ୍ରୋଲ୍ ରୁମ୍କୁ ଘଟଣା ବିଷୟରେ ସୂଚନା ଦେଇଥିଲା। ୧୫ ମିନିଟ୍ ମଧ୍ୟରେ ଆମ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ ଗିରଫ କରିଛି। ଗତ ୨୫ ବର୍ଷ ହେବ ଏକତ୍ର ରହୁଥିବା ସେ ପୁରୁଷ ଓ ମହିଳାଙ୍କ ମଧ୍ୟରେ କିଛି ଦିନ ହେବ ବିବାଦ ଚାଲିଥିଲା। ବିବାଦର କାରଣ ମହେଶଙ୍କ ମଦ୍ୟପାନ ବୋଲି କୁହାଯାଉଛି।