ଅହମ୍ମଦାବାଦ: କିଛି ମାସ ପୂର୍ବରୁ ମୁମ୍ବାଇରେ ଆଇସକ୍ରିମରେ ଏକ କଟା ଆଙ୍ଗୁଠି ମିଳିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ଏମିତି ଏକ ଘଟଣା ଗୁଜରାଟର ଅହମଦାବାଦରୁ ସାମ୍ନାକୁ ଆସିଛି। 

Advertisment

ଏଠାରେ ଜଣେ ମହିଳା ଆଇସକ୍ରିମ କୋନରେ ଏକ ଝିଟିପିଟିର ଲାଞ୍ଜ ପାଇଥିବା ଅଭିଯୋଗ କରିଛନ୍ତି। ମହିଳା ଜଣକ ଅଭିଯୋଗ କରି କହିଛନ୍ତି, ‘ ମୁଁ ଅହମ୍ମଦାବାଦର ମଣିନଗରରେ ଥିବା ଏକ ଦୋକାନରୁ ପିଲାଙ୍କ ପାଇଁ ଚାରିଟି ଆଇସକ୍ରିମ କିଣିଥିଲି। 

ମୋ ପିଲାମାନଙ୍କୁ ତିନିଟି ଆଇସକ୍ରିମ ଦେଇ ମୁଁ ଗୋଟିଏ ଆଇସକ୍ରିମ ଖାଇଥିଲି। ମୁଁ ଯେଉଁ ଆଇସକ୍ରିମ ଖାଇଥିଲି ସେଥିରୁ  ଝିଟିପିଟି ଲାଞ୍ଜ ବାହାରିଥିଲା। ଏହି ଆଇସକ୍ରିମ ଖାଇ ମୁଁ କ୍ରମାଗତ ଭାବେ ବାନ୍ତି କରି ଚାଲିଛି ମୋ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି।  

ସୌଭାଗ୍ୟବଶତଃ ଝିଟିପିଟି ଲାଞ୍ଜ ପଡ଼ିଥିବା ଆଇସକ୍ରିମ ମୋ ପିଲାମାନେ ଖାଇନାହାନ୍ତି। ନଚେତ କ’ଣ ଯେ ହୋଇଥାଆନ୍ତା ମୁଁ ଚିନ୍ତା ବି କରି ପାରୁନାହିଁ।

ମୋର ସମସ୍ତ କମ୍ପାନିକୁ ଅନୁରୋଧ ଗ୍ରାହକଙ୍କ ଜୀବନ ସହିତ ଏପରି ଖେଳ ଖେଳନ୍ତୁ ନାହିଁ। ଗ୍ରାହକଙ୍କୁ ବି ଅନୁରୋଧ କିଛି ଖାଇବା ପୂର୍ବରୁ ଦୟାକରି ଜିନିଷକୁ ଯାଞ୍ଚ କରନ୍ତୁ।’ 

ପୀଡ଼ିତା ମହିଳା ଘଟଣା ସମ୍ପର୍କରେ ଅହମ୍ମଦାବାଦ ମ୍ୟୁନିସିପାଲ କର୍ପୋରେସନରେ ଅଭିଯୋଗ କରିଥିଲେ। ମହିଳାଙ୍କ ଅଭିଯୋଗକୁ କେନ୍ଦ୍ରକରି ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ଆଇସକ୍ରିମ ପାର୍ଲର ମହାଲକ୍ଷ୍ମୀ କର୍ଣ୍ଣରକୁ ଲାଇସେନ୍ସ ନଥିବାରୁ ସିଲ୍ କରି  ୫୦,୦୦୦ ଟଙ୍କା ଜରିମାନା କରାଯାଇଛି।

ଖାଦ୍ୟ ବିଭାଗର ଅଧିକାରୀ ଡକ୍ଟର ଭାବିନ ଜୋଶୀ କହିଛନ୍ତି ଯେ ମଣିନଗର ଅଞ୍ଚଳରେ ଏକ ଆଇସକ୍ରିମ କୋନରେ ଏକ ଝିଟିପିଟି ମିଳିବା ସମ୍ପର୍କରେ ଆମେ ଗଣମାଧ୍ୟମ ମାଧ୍ୟମରେ ଅଭିଯୋଗ ପାଇଥିଲୁ। ଏହାପରେ ଆମେ ତୁରନ୍ତ ଅଭିଯୋଗ କରିଥିବା ମହିଳାଙ୍କ ସହିତ ଯୋଗାଯୋଗ କରି ଘଟଣା ବିଷୟରେ ଜାଣିବାକୁ ପାଇଥିଲୁ। ଆଇସକ୍ରିମ କୋନର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି ।