ଜାଲ୍‌ କାଗଜପତ୍ର ଦେଇ ଋଣ ଠକେଇ, ଆଉ ୩ ଜଣଙ୍କୁ ବାନ୍ଧିଲା ଇଓଡବ୍ଲୁ

ଭୁବନେଶ୍ବର: ଜାଲ୍‌ କାଗଜପତ୍ର ବଳରେ ଆହ୍ଲାବାଦ ବ୍ୟାଙ୍କର ବାପୁଜୀନଗର ଶାଖାରୁ ମୋଟା ଅଙ୍କର ଋଣ ଠକେଇ ମାମଲାରେ କ୍ରାଇମ୍‌ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ) ଆଜି ଆଉ ତିନିଜଣଙ୍କୁ ଗିରଫ କରିଛି। ସେମାନେ ହେଲେ, ସାକ୍ଷୀଗୋପାଳ ଶ୍ରୀରାମଚନ୍ଦ୍ରପୁର ହାଟସାହିର ଦମ୍ପତି ଦେବୀପ୍ରସାଦ ପଟ୍ଟନାୟକ, ପତ୍ନୀ ସଂଯୁକ୍ତା ଜେନା ଓ ଗଞ୍ଜାମ ଗଙ୍ଗପୁର ବଡ଼ସଦର ଗ୍ରାମର ଖଲି ମହାନ୍ତି। ୨୦୧୩ରେ ଜାଲ କାଗଜପତ୍ର ବଳରେ ବିଭିନ୍ନ ଲୋକଙ୍କୁ ମୋଟ ୧ କୋଟି ୧୭ ଲକ୍ଷ ୭୫ ହଜାର ୯୩୭ ଟଙ୍କା ଋଣ ଦିଆଯାଇଥିଲା। ସେଥିମଧ୍ୟରେ ‌େଦବୀପ୍ରସାଦ ଓ ପତ୍ନୀ ସଂଯୁକ୍ତା ଜାଲ କାଗଜପତ୍ର ଦେଇ ୩୯ ଲକ୍ଷ ଟଙ୍କା ନେଇ ଯାଇଥିଲେ। ଏହି ଅର୍ଥରେ ସେମାନେ ଭୁବନେଶ୍ବର ବମିଖାଲରେ ଥିବା ବସେରା ଇ‌େମ୍ପ୍ରସନ ପ୍ଲସ୍‌(ବସେରା ବୃନ୍ଦାବନ)ରେ ଏକ ଫ୍ଲାଟ୍‌ କିଣିଥିଲେ। ବସେରା ଡିଜାଇନ୍‌ସ୍‌ ପ୍ରାଃ ଲିଃର ପରିଚାଳନା ନିର୍ଦ୍ଦେଶକ ମନୋଜ ପଟ୍ଟନାୟକଙ୍କ ପ୍ରରୋଚନାରେ ଏହି ବେଆଇନ କାରବାର ହୋଇଥିଲା। ସେହିଭଳି ମନୋଜ ପଟ୍ଟନାୟକଙ୍କ ଆଉ ଜଣେ ବନ୍ଧୁ ଥିଲେ ଖଲି ମହାନ୍ତି। ବିଭିନ୍ନ ଆପରାଧିକ ମାମଲାରେ ମନୋଜ ତାଙ୍କୁ ବ୍ୟବହାର କରୁଥିଲେ। ଖଲିଙ୍କୁ ମଧ୍ୟ ଜାଲ କାଗଜପତ୍ର ବଳରେ ୩୦ଲକ୍ଷ ‌ଋଣ ଦିଆ ଯାଇଥିଲା। ୨୦୧୧ରୁ ୨୦୧୭ ମସିହା ଭିତରେ ହୋଇଥିବା ଏହି ବେଆଇନ କାରବାର ସଂପର୍କରେ ବ୍ୟାଙ୍କ ମୁଖ୍ୟ ପରିଚାଳକ ଇସଦୋର କୁଜୁର ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର