ଭୋପାଲ: ମଧ୍ୟପ୍ରଦେଶରେ ରବିବାର ଜଣେ ୬ ବର୍ଷିଅ ବାଳକର ସ୍କୁଲଭ୍ୟାନରେ ବନ୍ଦ ହେବା ଫଳରେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଛି। ମୃତ ବାଳକଙ୍କ ବାପା ଆଣିଥିବା ଅଭିଯୋଗ ଅନୁଯାୟୀ, ତାଙ୍କ ପୁଅକୁ ଭୁଲ୍ବଶତଃ ଦୀର୍ଘ ସମୟ ଧରି ସ୍କୁଲ୍ କାର୍ ମଧ୍ୟରେ ବନ୍ଦ କରାଯାଇଥିବା ଫଳରେ ଅଣନିଶ୍ୱାସୀ ହୋଇ ତାଙ୍କର ମୃତ୍ୟୁ ଘଟିଛି।
ଉଲ୍ଳେଖଯୋଗ୍ୟ, ରାଜ୍ୟର ହୋସଙ୍ଗାବାଦ୍ ଜିଲ୍ଲାରେ ଥିବା ଡୋଲାରିଆ ସହରର ସାଇ ଇଣ୍ଟର୍ନେସନାଲ୍ ସ୍କୁଲ୍ରେ ପଢୁଥିବା ଏହି ବାଳକ ଜଣଙ୍କ ସ୍କୁଲ୍ ଗାଡ଼ି ଯୋଗେ ଯିବାଆସିବା କରନ୍ତି। ଗତ ମାର୍ଚ ୧୯ ତାରିଖ ଦିନ ବାଳକ ଜଣକ ଗାଡ଼ିରେ ଥିବା ଅବସ୍ଥାରେ ଭୁଲବଶତଃ ଗାଡ଼ିରେ ବନ୍ଦ କରି ଦିଆ ଯାଇଥିଲା। ଯେତେବେଳେ ଗାଡ଼ି ଖୋଲାଗଲା ସେତେବେଳକୁ ସେ ଅଚେତ ଅବସ୍ଥାରେ ପଡ଼ି ରହିଥିଲା। ବାଳକଟିକୁ ତୁରନ୍ତ ଭୋପାଳରେ ଥିବା ରେନ୍ବୋ ହସ୍ପିଟାଲକୁ ନିଆ ଯାଇଥିଲା। ହସ୍ପିଟାଲ୍ରେ ଡାକ୍ତରମାନେ ତାକୁ ମୃତ ଘୋଷଣା କରିଥିଲେ।
ମୃତ ବାଳକର ବାପା ସୁରେନ୍ଦର ଗୌର ଜଣେ କୃଷକ। ପୁଅର ମୃତ୍ୟୁ ପରେ ସେ କାନ୍ଦି କାନ୍ଦି ବୟାନ ଦେଇଛନ୍ତି ଯେ ‘ସ୍କୁଲ୍ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ହେତୁ ହିଁ ମୋ ପୁଅର ମୃତ୍ୟୁ ହୋଇଛି। ଏତେ ବଡ଼ ସ୍କୁଲ୍ରେ ପଢ଼ାଇବା ମୋ ହାତର କଥା ନ ଥିଲା। କେବଳ ସ୍କୁଲ୍ ନିର୍ଦ୍ଦେଶକ ମୋ ସଂପର୍କୀୟ ବୋଲି ମୁଁ ଏତେ ବଡ଼ ସାହସ କରିଥିଲେ। ମାତ୍ର ଏବେ ମୋତେ ନ୍ୟାୟ ଦରକାର। ଉପଯୁକ୍ତ ନ୍ୟାୟ ପାଇବା ପାଇଁ ଆବଶ୍ୟକ ପଡ଼ିଲେ ମୁଁ ସିିବିଆଇର ସହାୟତା ନେବି।’
ଏ ସଂପର୍କରେ ସ୍କୁଳ୍ର ନିର୍ଦ୍ଦେଶକ ନିତିନ ଗୌର କହନ୍ତି, ‘ଏକଥା ମୁଁ ସ୍ୱୀକାର କରୁଛି ଯେ କାର୍ରେ ଭୁଲ୍ବଶତଃ ଦୀର୍ଘ ସମୟ ଧରି ବନ୍ଦ ରହିବା ପରେ ବାଳକଟିର ମୃତ୍ୟୁ ଘଟିଛି। ସବୁଦିନ ସ୍କୁଲ୍ର ଆଟେଣ୍ଡାଣ୍ଟ୍ ପିଲାଙ୍କୁ ଆଣିଥାନ୍ତି। ମାତ୍ର ସେଦିନ ସେ କାର୍ ବାହରକୁ ବାହର କରିବା ପାଇଁ ସେ ଭୁଲି ଯାଇଥିଲେ।’
ତେବେ, ଏ ନେଇ ଏକ ଜିରୋ ମାମଲା( ଜିରୋ ଏଫ୍ଆଇଆର୍)ରୁଜୁ ହୋଇଛି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଜିରୋ ଏଫ୍ଆଇଆର୍ କେଉଁ ବି ପୁଲିସ୍ ଷ୍ଟେସନ୍ରେ ରୁଜୁ କରାଯାଇ ପାରେ। ପରବର୍ତ୍ତୀ ମୂହୂର୍ତ୍ତରେ ଏହାର ତଦନ୍ତ ପାଇଁ ଅନ୍ୟ କେଉଁ ବି ଥାନାକୁ ସ୍ଥାନାନ୍ତରିତ କରାଯାଇ ଥାଏ।