ଖଣ୍ଡଗିରି : ବରମୁଣ୍ଡା ବସ୍ଷ୍ଟାଣ୍ଡରେ ଲୁଟେରାମାନେ ପୁଣି ଜଣେ ଯୁବକଙ୍କୁ ନିଶା ଦେଇ ଲୁଟିଛନ୍ତି। ଲୁଟ୍ର ଶିକାର ହୋଇଥିବା ଯୁବକ ହେଲେ କନ୍ଧମାଳ ଦାରିଙ୍ଗିବାଡ଼ି କେରୁବାଡ଼ି ଗାଁର ଆମାସ୍ ମଲ୍ଲିକ (୨୦)। ଲୁଟେରାମାନେ ତାଙ୍କଠାରୁ ୧୪ ହଜାର ଟଙ୍କା ଓ ବ୍ୟାଗ୍ ଲୁଟି ନେଇଛନ୍ତି। ବ୍ୟାଗ୍ରେ ଆମାସ୍ଙ୍କର ସମସ୍ତ ସାର୍ଟିଫିକେଟ୍, ଆଧାରକାର୍ଡ ଆଦି ଥିଲା।
ସୂଚନାନୁସାରେ, ଆମାସ୍ ଗତକାଲି କନ୍ଧମାଳରୁ ବସ୍ ଯୋଗେ ଭୁବନେଶ୍ୱର ଆସିଥିଲେ। ଭୁବନେଶ୍ୱରରେ ରହୁଥିବା ତାଙ୍କ ବଡ଼ ଭାଇ ସିନୁଙ୍କ ନିକଟରେ ରହି ସେ କମ୍ପ୍ୟୁଟର୍ କୋର୍ସ କରିବା ପାଇଁ ଗାଁରୁ ପ୍ରସ୍ତୁତ ହୋଇ ଆସିଥିଲେ। ଗତକାଲି ସନ୍ଧ୍ୟାରେ ସେ ବରମୁଣ୍ଡାରେ ବସ୍ରୁ ଓହ୍ଲାଇବା ପରେ ଲୁଟେରାଙ୍କ ହାବୁଡ଼ରେ ପଡ଼ି ଯାଇଥିଲେ। ଜଣେ ଯୁବକ ତାଙ୍କ ସହ ବନ୍ଧୁତା କରି ବାଇକ୍ରେ ବସାଇ ବଡ଼ ଭାଇଙ୍କ ନିକଟରେ ଛାଡ଼ି ଦେବ ବୋଲି କହିଥିଲା। ତାକୁ ବିଶ୍ୱାସ କରି ଆମାସ୍ ଲୁଟ୍ର ଶିକାର ହୋଇଥିଲେ। ଉକ୍ତ ଯୁବକଜଣଙ୍କ ତାଙ୍କୁ ଚା’ ପିଇବାକୁ ଦେଇ ବରମୁଣ୍ଡାରୁ ବାଇକ୍ରେ ବସାଇ ନେଇଥିଲା। ନିଶାଯୁକ୍ତ ଚା’ ପିଇବାର କିଛି ସମୟ ପରେ ସେ ବେହୋସ୍ ହୋଇ ଯାଇଥିଲେ ଓ ଲୁଟେରାଜଣଙ୍କ ତାଙ୍କୁ ରାସ୍ତାକଡ଼ରେ ଫିଙ୍ଗି ଚାଲି ଯାଇଥିଲା। କିନ୍ତୁ ଆଜି ସକାଳୁ ତାଙ୍କୁ ପିସିଆର୍ ଭ୍ୟାନ୍ ରୁଚିକା ମାର୍କେଟ୍ ଅଞ୍ଚଳରୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଇଥିଲା। ସ୍ୱେଚ୍ଛାସେବୀ ସଂଗଠନ ‘ସହାୟ’ ସହଯୋଗରେ ତାଙ୍କ ଭାଇଙ୍କ ସହ ଯୋଗାଯୋଗ କରାଯାଇଥିଲା। କମ୍ପ୍ୟୁଟର୍ କୋର୍ସ କରିବା ପାଇଁ ଘରୁ ବଡ଼ କଷ୍ଟରେ ଯୋଗାଡ଼ କରି ଆଣିଥିବା ୧୪ ହଜାର ଟଙ୍କା ଲୁଟ୍ ହୋଇଥିବାରୁ ତାଙ୍କ ପାଠପଢ଼ା ବନ୍ଦ ହୋଇଗଲା ବୋଲି ସେ କହିଛନ୍ତି।