ଭୁବନେଶ୍ବର: କିଛି ଦିନ ବ୍ୟବଧାନ ପରେ ରାଜଧାନୀରେ ପୁଣି ସକ୍ରିୟ ହୋଇ ଉଠିଛନ୍ତି ନିଶାଦିଆ ଲୁଟେରା ଗ୍ୟାଙ୍ଗ। ଗୋଟିଏ ଦିନରେ ପାଞ୍ଚଜଣ ଯୁବକଙ୍କୁ ନିଶା ଦେଇ ସେମାନଙ୍କଠାରୁ ୧୫ ହଜାର ଟଙ୍କା ଓ ୫ଟି ମୋବାଇଲ୍ ଲୁଟିଛନ୍ତି। ଲୁଟ୍ର ଶିକାର ହୋଇଥିବା ଯୁବକମାନେ ହେଲେ, ଢେଙ୍କାନାଳ କାଶିପୁର ଅଞ୍ଚଳର ରଣଜିତ୍ ମଲ୍ଲିକ, ଜଗନ ମଲ୍ଲିକ, ସଞ୍ଜୟ ସାହୁ, ଗଞ୍ଜାମ ଜଗନ୍ନାଥ ପ୍ରସାଦ ଅଞ୍ଚଳର ସନ୍ତୋଷ ନାୟକ ଏବଂ କେନ୍ଦୁଝର ତେଲ୍କୋଇ ଅଞ୍ଚଳର ରବି ଜୁଆଙ୍ଗ।
ସୂଚନା ମୁତାବକ, ଆଜି ସକାଳେ ରଣଜିତ୍, ଜଗନ ଓ ସଞ୍ଜୟ ଚେନ୍ନାଇରୁ ଆସି ଭୁବନେଶ୍ବର ଷ୍ଟେସନ୍ରେ ପହଞ୍ଚିଥିଲେ। କେହି ଜଣେ ଯୁବକ ସେମାନଙ୍କୁ ଥଣ୍ଡାରେ ନିଶା ଦେଇ ଚେତାଶୂନ୍ୟ କରି ଦେଇଥିଲା। ଏହାର ସୁଯୋଗ ନେଇ ଲୁଟେରାମାନେ ସେମାନଙ୍କଠାରୁ ୧୦ ହଜାରରୁ ଊର୍ଧ୍ବ ଟଙ୍କା ଓ ୩ଟି ମୋବାଇଲ୍ ନେଇ ଯାଇଥିଲେ। ସେମାନଙ୍କୁ ମାଷ୍ଟରକ୍ୟାଣ୍ଟିନ୍ ଛକ ନିକଟ ଗ୍ରିନ୍ ଚିଲ୍ଲି ସମ୍ମୁଖରେ ଫୋପାଡ଼ି ଦେଇଥିଲେ। ପିସିଆର ଭ୍ୟାନ୍ ଯୁବକମାନଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲା। କେନ୍ଦୁଝରରୁ ଆସିଥିବା ରବିଙ୍କ ସହ ମଧ୍ୟ ଷ୍ଟେସନ୍ରେ ସମାନ ଘଟଣା ଘଟିଥିଲା। କେହି ଜଣେ ଯୁବକ ତାଙ୍କୁ ଚା’ରେ ନିଶାଦେଇ ତାଙ୍କଠାରୁ ୩ହଜାର ଟଙ୍କା ମୋବାଇଲ୍ ନେଇଯାଇଥିଲା। ସେହିପରି ସୁରଟ ଯିବା ପାଇଁ ଗଞ୍ଜାମରୁ ରାଜଧାନୀକୁ ଆସିଥିବା ସନ୍ତୋଷଙ୍କଠାରୁ ଲୁଟେରାମାନେ ୨ହଜାର ଟଙ୍କା ଓ ମୋବାଇଲ୍ ନେଇଯାଇଥିଲା। ବରମୁଣ୍ଡାରୁ ବସ୍ଷ୍ଟାଣ୍ଡ ନିକଟରେ ସେ ବସିଥିବା ବେଳେ ତାଙ୍କୁ ଚା’ରେ ନିଶାଦେଇ ଲୁଟେରାମାନେ ଲୁଟ୍ କରିଥିଲେ। ପିସିଆର୍ ଭ୍ୟାନ୍ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ୍ରେ ଭର୍ତ୍ତି କରାଇଥିଲା। ଯୁବକମାନଙ୍କ ଚେତା ଫେରିବା ପରେ ପରିବାରଲୋକଙ୍କ ସହ ଯୋଗଯୋଗ କରାଯାଇଛି।