ଖଣ୍ଡଗିରି: ମଙ୍ଗଳବାର ସକାଳେ ଦୁଇ ଜଣ ଦୁର୍ବୃତ୍ତ ଗ୍ରାହକ ସାଜି ଜଟଣୀ ଥାନା ଯାଁଳା ବଜାରସ୍ଥିତ ସ୍ୱାତି ଜୁଏଲର୍ସ ମାଲିକ ଭଗବାନ ସୁବୁଦ୍ଧିଙ୍କୁ ଚୁନ ଲଗାଇ ଫେରାର୍ ହୋଇଯାଇଛନ୍ତି। ଗହଣା କିଣିବା ଆଳରେ ଦୋକାନୀଙ୍କ ଆଖି ଆଗରୁ ହାତ ସଫେଇ କରି ପ୍ରାୟ ୪୦/୫୦ ଗ୍ରାମ୍ ଓଜନର ସୁନା ଗହଣା ଚୋରି କରିଥିବା ଅଭିଯୋଗ ହୋଇଛି। ଚୋରି ହୋଇଥିବା ଗହଣାର ଆନୁମାନିକ ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଅଭିଯୋଗ ହୋଇଛି। ଯାଁଳା ଫାଣ୍ଡି ସିସିଟିଭି ଫୁଟେଜ୍ ଆଧାରରେ ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଥିଲେ ବି କିଛି ସୁଫଳ ମିଳିନାହିଁ। ଜୁଏଲର୍ସ ମାଲିକ ଭଗବାନଙ୍କ ଅଭିଯୋଗ ଅନୁସାରେ ସକାଳ ପ୍ରାୟ ୧୦ଟା ସମୟରେ ସେ ଦୋକାନରେ ଏକାକୀ ଥିଲେ। ଏହି ସମୟରେ ଦୁଇ ଜଣ ଯୁବକ ଗହଣା କିଣିବାକୁ ଆସିଲେ। ସେମାନେ ହିନ୍ଦୀ ଭାଷାରେ କଥା ହେଉଥିଲେ। ଗହଣା କିଣିବା ପୂର୍ବରୁ ସେମାନେ ଟଙ୍କା ଆଣିଛନ୍ତି କି ନା ବୋଲି କୁହାକୁହି ହୋଇଥିଲେ। ଜଣେ ପକେଟ୍ରୁ ୨ ହଜାର ଟଙ୍କିଆର ନୋଟ୍ ବିଡ଼ା ବାହାର କରି ଦେଖାଇଥିଲା। ଏହା ପରେ ଭଗବାନ ସେମାନଙ୍କୁ ବିଭିନ୍ନ ଗହଣା ଦେଖାଇଥିଲେ ଓ ସେମାନେ ପସନ୍ଦ କରିଥିଲେ। ଗହଣା ପସନ୍ଦ କରୁଥିବାବେଳେ ସେମାନେ ବଡ଼ କାଇଦାରେ ଥର ଥର କରି ଗୋଟା ଗୋଟା ଗହଣା ପକେଟ୍ରେ ପୁରାଇ ଚାଲିଥିିଲେ। କିଛି ସମୟ ଦେଖାଦେଖି କରିବା ପରେ ଡିଜାଇନ୍ ପସନ୍ଦ ହେଉନାହିଁ ବୋଲି କହିଥିଲେ। ସନ୍ଧ୍ୟା ସୁଦ୍ଧା ଭଲ ଡିଜାଇନ୍ର ଗହଣା ଦେବାକୁ କହିବାରୁ ଭଗବାନ ସମ୍ମତି ଜଣାଇଥିଲେ। ଜଣେ ଯୁବକ ଏକ ହଜାର ଟଙ୍କା ବଇନା ବାବଦରେ ଦେବା ସହ ଏକ ଫୋନ୍ ନମ୍ବର ଦେଇ ଗହଣା ଆଣି ସନ୍ଧ୍ୟା ସୁଦ୍ଧା ଡାକିବାକୁ କହିଥିଲା। ଏହା ପରେ ସେମାନେ ଚାଲି ଯାଇଥିଲେ। ପରେ ଭଗବାନ ଦେଖାଇଥିବା ଗହଣାଗୁଡ଼ିକ ସଜେଇବାବେଳକୁ ଜାଣିବାକୁ ପାଇଲେ ଯେ କିଛି ଗହଣା ଗାଏବ୍ ହୋଇ ଯାଇଛି। ସିସିଟିଭି ଫୁଟେଜ୍ରୁ ଦେଖିବାବେଳକୁ ଅସଲ ସତ ଜଣା ପଡ଼ିଥିଲା। କିନ୍ତୁ ସେତେବେଳକୁ ଦୁର୍ବୃତ୍ତମାନେ ପାର୍ ହୋଇ ଯାଇଥିଲେ।
ଗ୍ରାହକ ସାଜି ଗହଣା ଲୁଟିନେଲେ
/sambad/media/post_attachments/wp-content/uploads/2018/01/arjun-cctv.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)