ବନ୍ଧୁକ ଦେଖାଇ ବ୍ୟାଙ୍କ କର୍ମଚାରୀଙ୍କଠାରୁ ୩୦ ଲକ୍ଷ ଲୁଟ୍‌ : ସନ୍ଦେହରେ ଡ୍ରାଇଭର ଅଟକ

ଭଦ୍ରକ : ଆଜି ଅପରାହ୍‌ଣ ସାଢେ ୩ଟା ବେଳେ ବନ୍ଧୁକ ଦେଖାଇ ଭଦ୍ରକର ଜଳଙ୍ଗା ୟୁକୋ ବ୍ୟାଙ୍କର ଦୁଇ କର୍ମଚାରୀଙ୍କ ଠାରୁ ଲୁଟେରାମାନେ ୩୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ସହିତ କାର ଡ୍ରାଇଭରକୁ ସନ୍ଦେହରେ ଅଟକ ରଖି ପଚରାଉଚରା କରୁଛି।

ପ୍ରକାଶ ଯେ, ଆଜି ଅପରାହ୍ନ ସାଢେ ୩ଟା ବେଳେ ଭଦ୍ରକର ଜଳଙ୍ଗା ୟୁକୋ ବ୍ୟାଙ୍କର କର୍ମଚାରୀ ଶଶାଙ୍କ ପଲେଇ (ବ୍ୟାଙ୍କ କ୍ଲର୍କ) ଓ ହରେନ୍ଦ୍ର ପଣ୍ଡା ବାଇପାସ ନିକଟସ୍ଥ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୩୦ ଲକ୍ଷ ଟଙ୍କା ଉଠାଇ ଇଣ୍ଡିଗୋ କାର (ଓଆର-୦୨-ବିକେ-୦୯୦୭)ରେ ବ୍ୟାଙ୍କକୁ ଆସୁଥିଲେ। ରାସ୍ତାର କୁଆପଦା ଛକର ଅଳ୍ପ କିଛି ଦୂର ନିଛାଟିଆ ସ୍ଥାନରେ ହଠାତ ଏକ କଳା ପଲସର୍‌ରେ ୩ ଜଣ କଳା ମୁଖାପିନ୍ଧା ଲୁଟେରା ଗାଡ଼ିକୁ ଅଟକାଇଥିଲେ। ଦୁର୍ବୃତ୍ତମାନେ ଭୁଜାଲି, ଖଣ୍ଡା ଓ ବନ୍ଧୁକ ଦେଖାଇ ଡ୍ରାଇଭରଠାରୁ ଚାବି ଛଡାଇ ନେଇଥିଲେ। ଲୁଟେରାମାନେ ବ୍ୟାଙ୍କର ଦୁଇ କର୍ମଚାରୀ ଓ କାର ଡ୍ରାଇଭରକୁ ଭୟଭୀତ କରାଇ ୩୦ ଲକ୍ଷ ଟଙ୍କା କାର ଡିକିରୁ ନେଇ ଜଳଙ୍ଗା-କାଉପୁର ରାସ୍ତାରେ ଚମ୍ପଟ ମାରିଥିଲେ। ଖବର ପାଇ ଏସପି ରାଜେଶ ପଣ୍ଡିତ, ଭଦ୍ରକ ଟାଉନ ଆଇଆଇସି ଦିଲ୍ଲୀପ୍‌ ସାହୁ, ଗ୍ରାମାଞ୍ଚଳ ଆଇଆଇସି ଦୟାନିଧି ଦାସଙ୍କ ସମେତ ୩ଟି ପୁଲିସ ଟିମ୍‌ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ। ପୁଲିସ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ଲୁଟେରାଙ୍କ ସଂପର୍କରେ କୌଣସି ଟେର୍‌ ପାଇପାରି ନାହିଁ। ଭଦ୍ରକ ୟୁକୋ ବ୍ୟାଙ୍କର ମ୍ୟାନେଜର ପ୍ରଶାନ୍ତ କୁମାର ବାରିକ ଲୁଟ୍‌ ଘଟଣା ନେଇ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଛନ୍ତି।

ମାରଣାସ୍ତ୍ରରେ ଆକ୍ରମଣ କରି ଅଢ଼େଇ ଲକ୍ଷ ଲୁଟ୍‌

ବାହାନଗା : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ଏସ୍‌ବିଆଇ କିଓସ୍କୋ ଅପରେଟର ପବିତ୍ର ଲେଙ୍କା ଓ କର୍ମଚାରୀ ଜ୍ୟୋତ୍ସ୍ନାରାଣୀ ମହାରଣାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ଦୁବୃର୍ତ୍ତମାନେ ଅଢ଼େଇ ଲକ୍ଷ ଟଙ୍କା ଲୁଟ୍‌ କରିଛନ୍ତି। ସୂଚନା ଅନୁଯାୟୀ, ଆଜି ବିଳମ୍ବିତ ରାତିରେ ପବିତ୍ର ଓ ଜ୍ୟୋତ୍ସ୍ନାରାଣୀ ଏକ ବାଇକ୍‌ରେ ତାଳକୁରୁଣିଆ ପଞ୍ଚାୟତର ରହଣିଆଗଞ୍ଜ ଗାଁକୁ ଫେରୁଥିଲା ବେଳେ ଦୁବୃର୍ତ୍ତମାନେ ସେମାନଙ୍କୁ ଅଟକାଇ ପବିତ୍ରଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ସେମାନଙ୍କଠାରୁ କିଓସ୍କୋ ଶାଖାର ଚାବି, ଗାଡ଼ି ଚାବି, ଲାପ୍‌ଟପ୍‌, ୩ଟି ମୋବାଇଲ, କାନଫୁଲ, ଏଟିଏମ୍‌ କାର୍ଡ ଓ ଅଢ଼େଇ ଲକ୍ଷ ଟଙ୍କା ଲୁଟି ନେଇଯାଇଛନ୍ତି। ସ୍ଥାନୀୟ ଲୋକେ ପବିତ୍ର ଓ ଜ୍ୟୋତ୍ସାରାଣୀଙ୍କୁ ଉଦ୍ଧାର କରି ଗୋପାଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।

ବ୍ୟାଙ୍କ୍‌ ସାମ୍ନାରୁ ଝାମ୍ପି ନେଲେ ୩ ଲକ୍ଷ

ଅନୁଗୁଳ : ଆଜି ଅନୁଗୁଳ ସହର ଶଙ୍କର ସିନେମା ରୋଡ୍‌ରେ ଥିବା ଏଚ୍‌ଡିଏଫସି ବ୍ୟାଙ୍କ୍‌ ସାମ୍ନାରୁ ଦୁଇଜଣ ଦୁର୍ବୃତ୍ତ ଜମାକାରୀଙ୍କ ହାତରୁ ୩ ଲକ୍ଷ ଝାମ୍ପି ନେଇଛନ୍ତି। ଅପରାହ୍ନ ୩ଟା ବେଳେ ଏହି ଅଘଟଣ ଘଟିଛି। ଲୁଟ୍‌ର ଶିକାର ହୋଇଥିବା ଜମାକାରୀ ହେଉଛନ୍ତି ମନଜିତ କୁମାର। ସେ ଏକ ଟ୍ରାନ୍‌ସ୍‌ପୋର୍ଟ କମ୍ପାନୀରେ କାମ କରନ୍ତି।

ସମ୍ବନ୍ଧିତ ଖବର