ବାଲିପାଟଣା : ପୁଣି ବାଲିପାଟଣା ଥାନା ଅଞ୍ଚଳରେ ଘଟିଛି ଏକ ରାହାଜାନୀ। ଆଜି ଜଣେ ଯୁବକଙ୍କ ବେକରେ କଟୁରି ଲଗାଇ ଦୁର୍ବୃତ୍ତମାନେ ୧ ଲକ୍ଷ ୪୧ ହଜାର ଟଙ୍କା ଲୁଟି ନେଇଛନ୍ତି। ଦିନ ଦି’ ପହରରେ ଜନଗହଳିପୂର୍ଣ୍ଣ ରାସ୍ତାରେ ଦୁର୍ବୃତ୍ତଦ୍ବୟ ଲୁଟ୍ କରିବା ପରେ ଫେରାର୍ ହୋଇଯାଇଛନ୍ତି। ଅଭିଯୋଗ ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ବି ଲୁଟେରାମାନଙ୍କୁ ଟେର୍ ପାଇ ନାହିଁ।
ସୂଚନାନୁସାରେ, ଲୁଟ୍ର ଶିକାର ହୋଇଛନ୍ତି ରାଜେଶ କୁମାର ରାଉଳ। ସେ ଭୁବନେଶ୍ୱର ଝାରପଡ଼ା ଅଞ୍ଚଳରେ ଥିବା ସାଇ ଟ୍ରେଡ୍ ଲିଙ୍କ୍ ସଂସ୍ଥାର ଜଣେ କର୍ମଚାରୀ। ସେ ଆଜି ବାଲିଅନ୍ତା ଓ ବାଲିପାଟଣା ଅଞ୍ଚଳର ଖୁଚୁରା ସିମେଣ୍ଟ ବେପାରୀଙ୍କଠାରୁ ଟଙ୍କା ଆଦାୟ କରିବା ପାଇଁ ଆସିଥିଲେ। ପ୍ରଥମେ ସେ ବାଳକାଟି ଅଞ୍ଚଳର ଜଣେ ବ୍ୟବସାୟୀଙ୍କଠାରୁ ୧ ଲକ୍ଷ ୧୬ ହଜାର ଆଦାୟ କରିଥିଲେ। ସେଠାରୁ ସେ ଚଣାହାଟ ହାଇସ୍କୁଲ ନିକଟସ୍ଥ ଆଉ ଜଣେ ବ୍ୟବସାୟୀଙ୍କଠାରୁ ୨୫ ହଜାର ଟଙ୍କା ଆଦାୟ କରିଥିଲେ। ଅପରାହ୍ଣ ପ୍ରାୟ ୧ଟାରେ ଚଣାହାଟରୁ ବାହାରି ବାଲିପାଟଣା ବଜାର ଦିଗରେ ଫେରୁଥିଲେ। ସେ ସରାଟ ଶ୍ମଶାନ ପାଖ ଦେଇ ଅତିକ୍ରମ କରୁଥିବା ବେଳେ ହଠାତ୍ ୨ ଜଣ ଦୁର୍ବୃତ୍ତ ଏକ ନାଲି ଆପାଚି ବାଇକ୍ରେ ଆସି ତାଙ୍କ ବାଇକ୍ ସମ୍ମୁଖରେ ବ୍ରେକ୍ ମାରିଥିଲେ। ତେଣୁ ରାଜେଶ ବାଧ୍ୟ ହୋଇ ବାଇକ୍ ଅଟକାଇଥିଲେ। ସଙ୍ଗେ ସଙ୍ଗେ ଦୁର୍ବୃତ୍ତଦ୍ବୟ ବାଇକ୍ରୁ ଓହ୍ଲାଇ ରାଜେଶଙ୍କ ବେକରେ କଟୁରି ରଖିଦେଲେ। ସେ ଭୟରେ ଥରୁଥିବା ବେଳେ ଜଣେ ଦୁର୍ବୃତ୍ତ ତାଙ୍କ କାନ୍ଧରୁ ଟଙ୍କା ଭର୍ତ୍ତି ବ୍ୟାଗ୍ ଛଡ଼ାଇ ନେଇଥିଲା। ଅନ୍ୟ ଜଣେ ତାଙ୍କୁ ବାଇକ୍ ଡିକି ଖୋଲିବାକୁ ଧମକାଇଥିଲା। ଭୟରେ ରାଜେଶ ଡିକି ଖୋଲି ଦେଇଥିଲେ, ମାତ୍ର ସେଥିରେ କିଛି ନଥିବା ଦେଖି ଦୁର୍ବୃତ୍ତଦ୍ବୟ ସେଠାରୁ ବିଜୁଳି ବେଗରେ ପଳାଇଥିଲେ। ସେମାନେ ରାଜସ ରାସ୍ତାରେ ଫେରାର୍ ହୋଇ ଯାଇଥିଲେ।
ଚଳନ୍ତା ବାଇକ୍କୁ ଠେଲିଦେଲେ, ଲୁଟିଲେ
ବାରଙ୍ଗ/ତ୍ରିଶୂଳିଆ : ସୋମବାର ଅପରାହ୍ଣ ପ୍ରାୟ ୩ଟା ବେଳେ ସ୍ଥାନୀୟ ବିଦ୍ୟାଧରପୁର ରାସ୍ତାରେ ଜଣେ ଫାଇନାନ୍ସ କମ୍ପାନିର କର୍ମଚାରୀ ଲୁଟ୍ର ଶିକାର ହୋଇଛନ୍ତି। ଦୁର୍ବୃତ୍ତମାନେ ତାଙ୍କ ଚଳନ୍ତା ବାଇକ୍କୁ ଗୋଇଠା ମାରି ତାଙ୍କୁ ରାସ୍ତାରେ ପକାଇଦେବା ପରେ ତାଙ୍କ ଟଙ୍କା ଭର୍ତ୍ତି ବ୍ୟାଗ୍ ଛଡ଼ାଇ ଫେରାର୍ ହୋଇଯାଇଛନ୍ତି। ଖବର ପାଇ ବାରଙ୍ଗ ଥାନା ପୁଲିସ ତଦନ୍ତ ଆରମ୍ଭ କରିଥିଲେ ହେଁ ଦୁର୍ବୃତ୍ତମାନଙ୍କ ପତ୍ତା ମିଳିନାହିଁ।ସୂଚନାନୁସାରେ, ଭାରତ ଫାଇନାନ୍ସ କମ୍ପାନିର ଏହି କର୍ମଚାରୀ ବିଦ୍ୟାଧରପୁର ଗ୍ରାମରୁ ମହିଳା ମଣ୍ଡଳଙ୍କଠାରୁ ଋଣ ଟଙ୍କା ଆଦାୟ କରି ଫେରୁଥିଲେ। ସେ ପ୍ରାୟ ୧ ଲକ୍ଷ ୨୦ ହଜାର ଟଙ୍କା ଆଦାୟ କରିଥିଲେ। ବିଦ୍ୟାଧରପୁର ରାସ୍ତାରେ ଏକ ନିଛାଟିଆ ସ୍ଥାନରେ ସେ ପହଞ୍ଚିଥିବା ବେଳେ ପଛରୁ ଆସୁଥିବା ଏକ ପଲ୍ସର ବାଇକ୍କୁ ଦେଖି ସେ ତାଙ୍କ ଗାଡ଼ିର ବେଗ କମାଇବା ସହ ଉକ୍ତ ବାଇକ୍କୁ ସାଇଡ୍ ଦେଇଥିଲେ। ଉକ୍ତ ବାଇକ୍ରେ ୩ଜଣ ଯୁବକ ଥିଲେ। ହଠାତ୍ ଜଣେ ଦୁର୍ବୃତ୍ତ ତାଙ୍କ ବାଇକ୍କୁ ଶକ୍ତ ଗୋଇଠା ମାରିଥିଲା। ଫଳରେ କର୍ମଚାରୀଜଣକ ଭାରସାମ୍ୟ ହରାଇ ରାସ୍ତାରେ ପଡ଼ିଥିଲେ। ବାଇକ୍ଟି ତାଙ୍କ ଗୋଡ଼ ଉପରେ ମାଡ଼ି ବସିବାରୁ ସେ ଆଉ ଉଠି ପାରିନଥିଲେ। ଏହି ମଉକାରେ ବାଇକ୍ରୁ ଓହ୍ଲାଇ ଜଣେ ଦୁର୍ବୃତ୍ତ ତାଙ୍କ ପାଖରୁ ଟଙ୍କା ଭର୍ତ୍ତି ବ୍ୟାଗ୍ ଟାଣି ନେଇଥିଲା। ତା’ପରେ ସେମାନେ ଦ୍ରୁତ ବେଗରେ ସେଠାରୁ ପଳାଇଥିଲେ। ଫାଇନାନ୍ସ କର୍ମଚାରୀ ସେମିତି ଆବାକାବା ହୋଇ ଚାହିଁ ରହିଥିଲେ। କିଛି ସମୟ ପରେ ସେହି ରାସ୍ତାରେ ଯାଉଥିବା ଅନ୍ୟ କିଛି ଲୋକ ତାଙ୍କୁ ଉଦ୍ଧାର କରିବା ପରେ ସେ ଫୋନ୍ କରି ବାରଙ୍ଗ ଥାନା ପୁଲିସକୁ ଜଣାଇଥିଲେ।