ଗହଣା ଦୋକାନରୁ ଡକାୟତି ଉଦ୍ୟମ ବିଫଳ: ସିସିଟିଭି ଫୁଟେଜ୍‌ରୁ ପୁଲିସ ଛାନ୍‌ଭିନ୍‌

ଖଣ୍ଡଗିରି: ଗତକାଲି ବିଳମ୍ବିତ ରାତିରେ ଯାଁଳା ବଜାରସ୍ଥିତ ସାଗରିକା ଜୁଏଲର୍ସରୁ ଏକ ବଡ଼ଧରଣର ଡକାୟତି ଉଦ୍ୟମ ପଣ୍ଡ ହୋଇଛି। ୮ ଜଣିଆ ଏକ ଡକାୟତ ଗ୍ୟାଙ୍ଗ୍‌ ଗହଣା ଦୋକାନର ସର୍ଟର୍‌ ତାଡ଼ିବାକୁ ସକ୍ଷମ ହୋଇ ନ ଥିବା ବେଳେ ମାଲିକଙ୍କ ଘରେ ପଶିବାକୁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଛନ୍ତି। ମାଲିକ କବିରାଜ ସୁବୁଦ୍ଧିଙ୍କ ରୋଷେଇ ଘର ଝରକା ତାଡ଼ି ଘରେ ପଶିବାକୁ ଉଦ୍ୟମ କଲା ବେଳେ ସେ ଉଠି ପଡ଼ି ଚିତ୍କାର କରିବାରୁ ଡକାୟତମାନେ ପଳାଇଥିଲେ। ଖବର ପାଇ ଯାଁଳା ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଡକାୟତମାନେ ଛାଡ଼ି ଯାଇଥିବା ଶାବଳ ଜବତ କରିବା ସହ ସିସିଟିଭି ଫୁଟେଜ୍‌ ନେଇ ଛାନ୍‌ଭିନ୍‌ ଆରମ୍ଭ କରିଛି। ସିସିଟିଭି ଫୁଟେଜ୍‌ରୁ ମିଳିଥିବା ଚିତ୍ର ଅନୁସାରେ ରାତି ପ୍ରାୟ ସାଢ଼େ ୨ଟା ବେଳେ ଏହି ଡକାୟତମାନେ ପ୍ରଥମେ ଗହଣା ଦୋକାନର ସର୍ଟର୍‌ ଭାଙ୍ଗିବାକୁ ଉଦ୍ୟମ କରିଥିିଲେ। ୪/୫ଜଣ ମୁହଁରେ କପଡ଼ା ବାନ୍ଧିଥିବା ବେଳେ ୨ଜଣ ପିଠିରେ କ୍ୟାରି ବ୍ୟାଗ୍‌ ପକାଇଥିଲେ। ସେମାନଙ୍କୁ ନିର୍ଦେଶ ଦେଉଥିବା ଡକାୟତଟିର ମୁହଁ ଖୋଲାଥିଲା। ଏକ ରଙ୍ଗିନ୍‌ ହାତକଟା ଗଞ୍ଜି ପିନ୍ଧିଥିବା ଏହି ଦାଢ଼ିଆ ଓ ଚନ୍ଦାମୁଣ୍ଡିଆ ଡକାୟତଟି ସର୍ଦ୍ଦାର ବୋଲି ପୁଲିସ ସନ୍ଦେହ କରୁଛି। ସେମାନେ ଦୋକାନର ସର୍ଟର୍‌ ଭାଙ୍ଗିବାରେ ବିଫଳ ହେବା ପରେ ପାଚେରି ଡେଇଁ କବିରାଜଙ୍କ ଅଗଣାକୁ ପଶିଥିଲେ। ରୋଷେଇ ଘରର ଝରକା ତାଡ଼ି ଦେଇଥିଲେ। କିନ୍ତୁ ଏତିକିବେଳେ କବିରାଜଙ୍କ ନିଦ ଭାଙ୍ଗି ଯାଇଥିଲା ଓ ସେ ବଡ଼ ପାଟିରେ ଚିତ୍କାର କରି ପାଖ ପଡ଼ୋଶୀମାନଙ୍କୁ ଡାକ ପକାଇଥିଲେ। ତେଣୁ ଡକାୟତମାନେ ଘରେ ପଶି ନ ପାରି ଫେରାର୍‌ ହୋଇଯାଇଥିଲେ।

ସମ୍ବନ୍ଧିତ ଖବର