ଖଣ୍ଡଗିରି : କିଛି ଦିନର ନିରବତା ପରେ ଚୋରମାନେ ହାତ ଚଲେଇବା ଆରମ୍ଭ କରିଛନ୍ତି। ଗୁରୁବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ତମାଣ୍ଡୋ ବଜାରରେ ସିରିଜ୍ ଲୁଟ୍ କରିଛନ୍ତି। ଓମ୍ଫେଡ୍ ବୁଥ୍, ଆଜ୍ବେଷ୍ଟସ୍ ଦୋକାନ ଓ ଗୋଟିଏ ସ୍ନାକ୍ସ ଷ୍ଟଲ୍ ଏମିତି ୩ଟି ଦୋକାନରୁ ଲକ୍ଷାଧିକ ଟଙ୍କା ମୂଲ୍ୟର ସାମଗ୍ରୀ ଚୋରି କରିଛନ୍ତି। ଅଭିଯୋଗ ପରେ ତମାଣ୍ଡୋ ଥାନା ପୁଲିସ ତଦନ୍ତ ଆରମ୍ଭ କରିଥିଲେ ହେଁ ଦୁର୍ବୃତ୍ତମାନଙ୍କ ପତ୍ତା ମିଳିନାହିଁ। ସୂଚନାନୁସାରେ ତମାଣ୍ଡୋ ବଜାରରେ ବିଜୟ ବିଶ୍ବାଳଙ୍କର ମା ବିଲ୍ ମାର୍ଟ ନାମରେ ଏକ ଆଜ୍ବେଷ୍ଟସ୍ ଦୋକାନ ରହିଛି। ଦୋକାନ ସମ୍ମୁଖରେ ସିମେଣ୍ଟ ଆଜ୍ବେଷ୍ଟସ୍ ଥାକ ହୋଇ ରହିଥାଏ ଓ ସେଥିରେ ବଡ଼ ଲୁହା ଶିକୁଳିରେ ତାଲା ପଡ଼ିଥାଏ। ଦୁର୍ବୃତ୍ତମାନେ ତାଲା କାଟି ୮ ଫୁଟିଆ ଆଜ୍ବେଷ୍ଟସ୍ରୁ ୧୦୦ ଖଣ୍ଡ (ପାଖାପାଖି ୬୦ ହଜାର ଟଙ୍କା) ନେଇ ଯାଇଛନ୍ତି।
ଚିଣ୍ଟୁ ସାହୁଙ୍କ ସ୍ନାକ୍ସ ଦୋକାନର ତାଲା ଭାଙ୍ଗି ସେଥିରୁ ଦାମୀ ସିଗାରେଟ୍, ବିସ୍କୁଟ୍ ଓ ଅନ୍ୟାନ୍ୟ ଷ୍ଟେସନାରୀ ସାମଗ୍ରୀ ଲୁଟି ନେଇଛନ୍ତି। ସେହିଭଳି ଅମୀୟ ବେହେରାଙ୍କ ଓମ୍ଫେଡ୍ ବୁଥ୍ରୁ ୧୦ କ୍ୟାରେଟ୍ କ୍ଷୀର (୨୦୦ ପ୍ୟାକେଟ୍) ଲୁଟ୍ ହୋଇଛି। ଏହି ସିରିଜ୍ ଲୁଟ୍ ପରେ ଏବେ ତମାଣ୍ଡୋ ବଜାରରେ ଦୋକାନ କରିଥିବା ବ୍ୟବସ୍ୟାୀମାନଙ୍କ ଚିନ୍ତା ବଢ଼ି ଯାଇଛି। ତେଣୁ ପୁଲିସ ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ସେମାନେ ଦାବି କରିଛନ୍ତି।