୨ ଅଳଙ୍କାର ଦୋକାନରୁ ଲୁଟ୍ ଘଟଣା

ସିସିଟିଭି ଯାଞ୍ଚରେ ପୁଲିସର ତଦନ୍ତ ଶେଷ!

ପୁରୁଣା ଭୁବନେଶ୍ୱର: ଗତ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଶ୍ରୀଲିଙ୍ଗରାଜ ଥାନା ଅଞ୍ଚଳରେ ଥିବା ଦୁଇ ଦୁଇଟି ସୁନା ଦୋକାନରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ୍‌ ହୋଇଥିଲେ ହେଁ ଏପର୍ଯ୍ୟନ୍ତ ପୁଲିସ ଲୁଟେରାମାନଙ୍କ ପତ୍ତା ପାଇ ପାରିନାହିଁ। ଲୁଟେରାମାନଙ୍କୁ ଗିରଫ କରିବା ବଦଳରେ କେବଳ ସିସିଟିଭି ଯାଞ୍ଚ କରି ତଦନ୍ତ ସାରି ଦେଇଥିବା ଅଭିଯୋଗ ହେଉଛି। ଏଭଳି ଖାମଖିଆଲି ନୀତିକୁ ସାଧାରଣରେ ନାପସନ୍ଦ କରାଯାଉଥିବା ବେଳେ ପୁଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅପରପକ୍ଷେ ଲୁଟେରାମାନେ ଧରା ପଡ଼ୁନଥିବାରୁ ପୁଲିସ ଉପରୁ ସ୍ଥାନୀୟ ବ୍ୟବସାୟୀଙ୍କ ଭରସା ଉଠିବାରେ ଲାଗିଛି। ଏଠାକାର ବ୍ୟବସାୟୀମାନେ ଏକ ଆଶାଆଶଙ୍କା ମଧ୍ୟରେ ରହୁଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୬ ତାରିଖ ବିଳମ୍ବିତ ରାତିରେ ନାଗେଶ୍ବର ଟାଙ୍ଗୀ ହାଟ ପଛ ପାଖରେ ଥିବା ଏକ ସୁନା ଦୋକାନରୁ ଲୁଟ୍ ହୋଇଥିଲା। ମୁହଁରେ କପଡ଼ା ବାନ୍ଧି ଲୁଟେରାମାନେ ସଟର୍‌ ତାଡ଼ି ପ୍ରାୟ ୨୩ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ନେଇଥିଲେ। ସେମାନେ ୧୦୦ଟି ସୁନା ଚେନ୍, ୧୦ଟି ବ୍ରେସଲେଟ୍‌, ୬ଟି ବଡ଼ ହାର, ୨୦ ହଳ କାନଫୁଲ, ୧୦ହଳ ସୁନା ଚୁଡ଼ି ଓ ନଗଦ ୨୫ହଜାର ଟଙ୍କା ଲୁଟି ନେଇଥିଲେ। କେଦାରଗୌରୀ ଫାଣ୍ଡିଠାରୁ ମାତ୍ର ୫୦ଫୁଟ୍ ଦୂରରେ ଥିବା ଏହି ଦୋକାନରୁ ଲୁଟ୍‌ କରି ଲୁଟେରାମାନେ ପୁଲିସକୁ ସିଧାସଳଖ ଚ୍ୟାଲେଞ୍ଜ ଦେଇଥିଲେ। ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ୍‌ରେ ୫ଜଣ ଦୁର୍ବୃତ୍ତ ଏହି କାଣ୍ଡ ଭିଆଇଥିବା ଜଣାପଡ଼ିଥିଲେ ହେଁ ପୁଲିସ ଏପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରୁ କାହାରିକୁ ଗିରଫ କରି ପାରିନାହିଁ। ସେହିପରି ଗତ ଅଗଷ୍ଟ ୭ ତାରିଖ ରାକ୍ଷୀ ପୂର୍ଣ୍ଣିମା ଦିନ ଭଉଣୀକୁ ଉପହାର ଦେବା ବାହାନାରେ ସ୍ଥାନୀୟ ରଥରୋଡ୍‌ରେ ଥିବା ଦୁଷ୍ମନ୍ତ ମହାରଣାଙ୍କ ମା’ ତାରିଣୀ ଜୁଏଲାରୀକୁ ଜଣେ ଦୁର୍ବୃତ୍ତ ରୁପା କିଣିବାକୁ ଆସିଥିଲା। ଦୁଷ୍ମନ୍ତଙ୍କ ଅନ୍ୟମନସ୍କତାର ସୁଯୋଗ ନେଇ ଦୁର୍ବୃତ୍ତଜଣଙ୍କ ତାଙ୍କ ଦୋକାନ ଡ୍ର’ ଭିତରେ ହାତ ପୂରାଇ ସେଠାରେ ସୁନା ପ୍ୟାକେଟ୍ ଲୁଟି ନେଇଥିଲା। ସେଥିରେ ଥିବା ସୁନାର ୮ଟି ମୁଦି, ୩ଟି ମଙ୍ଗଳ ସୂତ୍ର, ୧୦ହଳ କାନ ଫୁଲ, ୨ଟା ଲକେଟ୍‍ ଥିଲା, ଯାହାର ଦାମ ୩ଲକ୍ଷ ଟଙ୍କାରୁ ଅଧିକ ହେବ। ଦୁଷ୍ମନ୍ତ ଏ ସଂପର୍କରେ ଶ୍ରୀଲିଙ୍ଗରାଜ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ୍‌କୁ ଯାଞ୍ଚ କରି ତଦନ୍ତ ସାରିଦେଇଛି ବୋଲି ଦୁଷ୍ମନ୍ତ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର