ଦୁଇ ମନ୍ଦିର ଲୁଟି‌ଲେ, ପୂଜକଙ୍କୁ ତାଲା ପକାଇ ନେଇଗଲେ ଗହଣା

ଖଣ୍ଡଗିରି: ବୁଧବାର ବିଳମ୍ବିତ ରାତିରେ ମନ୍ଦିର ଲୁଟେରାମାନେ ତମାଣ୍ଡୋ ଓ ଯାଁଳା ଅଞ୍ଚଳରେ ଦୁଇଟି ମନ୍ଦିରରୁ ବିପୁଳ ଗହଣା ଓ ଅନ୍ୟାନ୍ୟ ପୂଜା ଉପକରଣ ଲୁଟି ନେଇଛନ୍ତି। ମନ୍ଦିରର ପୂଜକମାନଙ୍କୁ ତାଙ୍କ ଶୋଇବା ଘରେ ବାହାରୁ ବନ୍ଦ କରି ଲୁଟ୍‌ପାଟ୍‌‌ କରାଯାଇଛି। ଅଭିଯୋଗ ପାଇବା ପରେ କମିସନରେଟ୍‌ ପୁଲିସ ସାଇଣ୍ଟିଫିକ୍ ଟିମ୍‌ ଓ ଡଗ୍ ସ୍କ୍ବାଡ୍‌ ନେଇ ଛାନ୍‌ଭିନ୍ କରିଥିଲେ ବି ଖାଲି ହାତରେ ଫେରିବାକୁ ବାଧ୍ୟ ହୋଇଛି। ଦୁଇ ଦିନ ଭିତରେ ତମାଣ୍ଡୋ ଅଞ୍ଚଳରେ ଦୁଇଟି ମନ୍ଦିରରୁ ଲୁଟ୍ ହୋଇଥିବାବେଳେ ଗତକାଲି ରାତିର ଘଟଣା ପରେ ଏଠାରେ ମନ୍ଦିର ଲୁଟେରାମାନେ ବେଶ୍‌ ସକ୍ରିୟ ଥିବା ସ୍ପଷ୍ଟ ହୋଇଛି। ଯାଁଳା ଫାଣ୍ଡି ମୁଣ୍ଡମୁହାଁଣ ସାଇବାବାଙ୍କ ମନ୍ଦିର ପୂଜକ ରାଜେନ୍ଦ୍ର କରଙ୍କ ଅଭିଯୋଗ ଅନୁସାରେ, ମନ୍ଦିର ଓ କୋଠଘରର ଦୁଇଟିଯାକ ତାଲା ଭଙ୍ଗି ଲୁଟ୍‌ କରାଯାଇଛି। ତାଙ୍କୁ ତାଙ୍କ ଶୋଇବା ଘରେ ବନ୍ଦ କରି(ବାହାରୁ କବାଟ କିଳି) ଦୁର୍ବୃତ୍ତମାନେ ଏହି କାଣ୍ଡ କରିଛନ୍ତି। ବାବାଙ୍କ ୫ଶହ ଗ୍ରାମ୍ ଓଜନର ରୁପା ମୁକୁଟ, ସୁନା ଚିତା, ଗୋଡ଼ର ରୁପା ବଳା, ରୁପା କଠଉ, ରୁପା ଭୋଗଥାଳି ଗିନା ଆଦି ଦୁର୍ବୃତ୍ତମାନେ ନେଇ ଯାଇଛନ୍ତି। ସେହିଭଳି ୨ଟି ହୁଣ୍ଡି ଭାଙ୍ଗି ଦାନ ଟଙ୍କା ନେବା ସହ ଆଲ୍‌ମିରା ଭାଙ୍ଗି ଏକ ମାଇକ୍ ସେଟ୍ ମେସିନ୍ ଓ ୨ଟି ଗ୍ୟାସ୍‌ ଭର୍ତ୍ତି ସିଲିଣ୍ଡର୍‌ ନେଇ ଯାଇଛନ୍ତି। ‌ସେହିଭଳି କଳିଙ୍ଗବିହାର କେ-୪ ଶ୍ରୀଶ୍ରୀନୀଳକଣ୍ଠେଶ୍ବର ମନ୍ଦିର ବେଢ଼ାସ୍ଥିତ ଜଗନ୍ନାଥ ମନ୍ଦିର ଓ ହନୁମାନଙ୍କ ମନ୍ଦିରରୁ ଲୁଟ୍‌ ହୋଇଛି। ଏଠାରୁ ବି ଦୁର୍ବୃତ୍ତମାନେ ବିଭିନ୍ନ ପୂଜା ଉପକରଣ, ରୁପା ମୁକୁଟ, ରୁପା ବଂଶୀ, ସୁନା ଚିତା, ଆଖି, ପିତ୍ତଳ ଘଣ୍ଟି, ଭୋଗଥାଳି ଆଦି ଚୋରି ହୋଇଛି। ଅଭିଯୋଗ ଅନୁସାରେ, ଘଣ୍ଟ, ଘଣ୍ଟି, ଧୂପଦାନୀ, ଥାଳି, ଗିନା ଭଳି ପ୍ରାୟ ଏକ କ୍ବିଣ୍ଟାଲ ଓଜନର ପୂଜା ଉପକରଣ(ପିତ୍ତଳ) ଚୋରି ହୋଇଛି। ମନ୍ଦିରର ତାଲା କଟାଯାଇଛି ଓ ପୂଜକଙ୍କୁ ତାଙ୍କ ଶୋଇବା ରୁମ୍‌ର ବାହାରୁ କବାଟ କିଳି ବନ୍ଦ କରି ଦିଆଯାଇଥିଲା। ଯାଁଳା ଓ ତମାଣ୍ଡୋରେ ଘଟିଥିବା ଏହି ଦୁଇ ମନ୍ଦିର ଲୁଟ୍‌ ଗୋଟିଏ ରାତିରେ ଓ ଏକା ଢାଞ୍ଚାରେ ହୋଇଥିବାରୁ ଏହା କୌଣସି ଗୋଟିଏ ଗ୍ୟାଙ୍ଗ୍‌ର କାଣ୍ଡ ବୋଲି ସନ୍ଦେହ କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ ଦୁଇ ଦିନ ପୂର୍ବେ ତମାଣ୍ଡୋ କ‌ାଶୀପୁର ଗ୍ରାମର ଏକ ମନ୍ଦିରରୁ ଲୁଟେରାମାନେ ଲୁଟ୍‌ କରିଥିଲେ।

ସମ୍ବନ୍ଧିତ ଖବର