ଝରକା ତାଡ଼ି ସୁନାଗହଣା ଲୁଟିନେଲେ

ଧଉଳି : ଧଉଳି ଥାନା ଅନ୍ତର୍ଗତ ଲକ୍ଷ୍ମୀବିହାର(ଶିଶୁପାଳଗଡ଼) ଅଞ୍ଚଳରୁ ଗତ ରାତିରେ ଦୁଇଟି ଲୁଟ୍‌ ହୋଇଛି। ଗଙ୍ଗୋତ୍ରୀନଗରରେ ରହୁଥିବା ରୋଶନ୍‌ କୁମାର ସ୍ବାଇଁଙ୍କ ଘର ଅଗଣାରୁ ଦୁଇଟି ବାଇକ୍‌କୁ ଲୁଟେରାମାନେ ଲୁଟି ନେଇଛନ୍ତି। ସେହିପରି ଅନ୍ୟ ଏକ ଲୁଟ୍‌ ଲକ୍ଷ୍ମୀବିହାର ପ୍ଲଟ ନଂ ୬୪୨/ ୪୩୯୧ରେ ରହୁଥିବା କୃଷ୍ଣଚନ୍ଦ୍ର ସାହୁ ନାମକ ଜଣେ ବ୍ୟବସାୟୀଙ୍କ ଘରୁ ହୋଇଛି। ଦୁର୍ବୃତ୍ତମାନେ ତାଙ୍କ ଘରୁ ନଗଦ ୪୫ ହଜାର ଟଙ୍କା, ୨ଲକ୍ଷରୁ ଅଧିକ ଟଙ୍କାର ଅଳଙ୍କାର ଲୁଟି ନେଇଛନ୍ତି। ଏ ସଂପର୍କରେ କୃଷ୍ଣଚନ୍ଦ୍ର ଆଜି ପୂର୍ବାହ୍ନରେ ଧଉଳି ଥାନାରେ ଅଭିଯୋଗ କରିଛନ୍ତି। ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ୍‌ ଟିମ୍‌ ସହ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। କିନ୍ତୁ ଘଟଣାକୁ ୨୪ ଘଣ୍ଟାରୁ ଅଧିକ ସମୟ ବିତି ଯାଇଥିଲେ ହେଁ ଏ ପର୍ଯ୍ୟନ୍ତ ପୁଲିସ ଲୁଟେରାଙ୍କୁ କାବୁ କରି ପାରିନାହିଁ।

କୃଷ୍ଣଙ୍କ ପତ୍ନୀ ଝରଣାଙ୍କ କହିବାନୁଯାୟୀ, ନୟାପଲ୍ଲୀ ଅଞ୍ଚଳରେ ତାଙ୍କର ଏକ ଅଟା କଳ ବ୍ୟବସାୟ ରହିଛି। ତାଙ୍କ ସ୍ବାମୀ ବ୍ୟବସାୟ କାମରେ ରାଉଲକେଲା ଯାଇଥିବା ବେଳେ ବଡ଼ପୁଅ ରାକେଶ ଗତକାଲି ରାତିରେ କୋଲକାତା ଯାଇଥିଲେ। ଘରେ ସେ, ତାଙ୍କ ମା’ ମଲ୍ଲୀ ସାହୁ, ସାନପୁଅ କିଶୋର, ରାକେଶଙ୍କ ଦୁଇ ସାଙ୍ଗ ଶୋଇଥିଲେ। ବିଳମ୍ବିତ ରାତିରେ ଦୁର୍ବୃତ୍ତମାନ ଝରକା ତାଡ଼ି ଝରଣା ଶୋଇଥିବା ଘରେ ପଶିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଝରଣାଙ୍କ ବେକରେ ଛୁରି ଲଗାଇଥିବା ବେଳେ ଅନ୍ୟ ଜଣେ ଆଲମିରା ଖୋଲି ଲୁଟପାଟ କରିଥିଲା। ସେମାନେ ୩ଟି ସୁନାଚେନ୍‌, ଗୋଟିଏ ମଙ୍ଗଳସୂତ୍ର, ୫ଟି ସୁନା ମୁଦି ସମେତ ନଗଦ ୪୫ ହଜାର ଟଙ୍କା ଲୁଟି ନେଇଥିଲେ। ଗଲା ବେଳେ ତାଙ୍କ ବେକରୁ ମଙ୍ଗଳସୂତ୍ରଟି ମଧ୍ୟ ଝାମ୍ପି ନେଇଥିଲେ। ଝରଣା ଚିତ୍କାର କରିବାରୁ ତାଙ୍କ ପାଟି ଶୁଣି ସାନପୁଅ କିଶୋର ଓ ବଡ଼ପୁଅ ରାକେଶର ସାଙ୍ଗଦ୍ବୟ ଉଠି ପଡ଼ି ପିଛା କରିଥିଲେ ହେଁ ସେମାନଙ୍କୁ କାବୁ କରିପାରି ନଥିଲେ। ଅପରପକ୍ଷେ ଗତ ରାତିରେ ଶିଶୁପାଳଗଡ଼ ଗଙ୍ଗୋତ୍ରୀନଗର ଲେନ୍‌-୨ ଅଞ୍ଚଳରୁ ଗ୍ୟାରେଜ୍‌ ଘର ତାଲା ଭାଙ୍ଗି ରୋଶନ୍‌ଙ୍କ ଦୁଇଟି ବାଇକ ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର