ମାସକ ଦରମା ନେଇଗଲା ନିଶାଦିଆ ଲୁଟେରା

ଖଣ୍ଡଗିରି : ବୁଧବାର ରାତିରେ ପୁଣି ଜଣେ ଯୁବକ ନିଶାଦିଆ ଲୁଟେରାଙ୍କ ଶିକାର ହୋଇଛନ୍ତି। ଲୁଟ୍‌ର ଶିକାର ଯୁବକ ହେଲେ କେନ୍ଦୁଝର ଚମ୍ପୁଆ ଥାନା ସାନତାଳିଆ ଗାଁର ହରେକୃଷ୍ଣ ନାୟକ(୨୨)। ଲୁଟେରାମାନେ ତାଙ୍କଠାରୁ ୬ ହଜାର ଟଙ୍କା ଓ ମୋବାଇଲ୍‌ ଫୋନ୍‌ ନେଇଯାଇଛନ୍ତି। ସୂଚନାନୁସାରେ ହରେକୃଷ୍ଣ ଖୋର୍ଧା ତାପଙ୍ଗରେ ଏକ କ୍ରସରରେ କାମ କରନ୍ତି। ଗତକାଲି ସନ୍ଧ୍ୟାରେ ସେ ମାଲିକଙ୍କଠାରୁ ମାସକର ଦରମା ୬ ହଜାର ଟଙ୍କା ନେଇ ଗାଁକୁ ଯିବାକୁ ବାହାରିଥିଲେ। ରାତି ପ୍ରାୟ ସାଢ଼େ ୭ଟା ବେଳେ ସେ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଅପେକ୍ଷା କରିଥିବା ବେଳେ ଜଣେ ଯୁବକ କେନ୍ଦୁଝର ଚମ୍ପୁଆ ଯିବ ବୋଲି କହି ତାଙ୍କ ସହିତ କଥାବାର୍ତା କରିଥିଲା। ପରେ ପରେ ଯୁବକ ଜଣଙ୍କ ହରେକୃଷ୍ଣଙ୍କ ସହ ଦୋସ୍ତି ଜମାଇ ଦେଇଥିଲା। ଏହା ପରେ ସେମାନେ ମିଶି ଚା’ ପିଇଥିଲେ। କିନ୍ତୁ ଏହା ପରେ ସେ ଆଉ କିଛି ଜାଣି ପାରିନଥିଲେ। ଆଜି ଅପରାହ୍ଣ ପ୍ରାୟ ୨ଟାବେଳକୁ ସେ ନିଜକୁ କ୍ୟାପିଟାଲ ହସ୍ପିଟାଲରେ ଦେଖି ଚକିତ ହୋଇ ଯାଇଥିଲେ। ଦୁର୍ବୃତ୍ତଜଣକ ତାଙ୍କୁ ନିଶାଯୁକ୍ତ ଚା’ ଦେଇ ଲୁଟିବା ପରେ ରୁଚିକା ମାର୍କେଟ୍‌ ନିକଟରେ ଫିଙ୍ଗି ଦେଇଥିଲା ଓ ସକାଳୁ ପିସିଆର୍‌ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଥିଲା। ଆଜି ସନ୍ଧ୍ୟାରେ ତାଙ୍କ ମାଲିକ ତାଙ୍କୁ ହସ୍ପିଟାଲରୁ ନେଇଛନ୍ତି।

ସମ୍ବନ୍ଧିତ ଖବର