‌‌ସେସୁ ଅଫିସରୁ ବିଦ୍ୟୁତ୍‌ ତାର ଚୋରି ପଣ୍ଡ, ଭ୍ୟାନ୍ ଛାଡ଼ି ପଳାଇଲେ ଦୁର୍ବୃତ୍ତ

ଖଣ୍ଡଗିରି : ଯାଁଳା ସେସୁ ଅଫିସ୍‌ରୁ ବିଦ୍ୟୁତ୍ ତାର ଚୋରି କରିବାକୁ ଉଦ୍ୟମ କରୁଥିବା ବେଳେ କର୍ମଚାରୀମାନେ ଗୋଡ଼ାଇବାରୁ ଦୁର୍ବୃତ୍ତମାନେ ସେମାନଙ୍କ ପିକ୍ ଅପ୍‌ ଭ୍ୟାନ୍‌କୁ ଛାଡ଼ି ପଳାଇଛନ୍ତି। ଯାଁଳା ଫାଣ୍ଡି ପୁଲିସ ଗାଡ଼ିକୁ ଜବତ କରି ଦୁର୍ବୃତ୍ତମାନଙ୍କୁ ଠାବ କରିବା ପାଇଁ ଚେଷ୍ଟା ଚଳାଇଛି। ସୂଚନାନୁସାରେ, ଗତ ରାତି ପ୍ରାୟ ୨ଟା ବେଳେ ୫ଜଣ ଦୁର୍ବୃତ୍ତ ଏକ ପିକ୍‌ଅପ୍‌ ଭ୍ୟାନ୍‌ ନେଇ ଯାଁଳା ସେସୁ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ। ଗାଡ଼ିକୁ କିଛି ଦୂରରେ ଏକ ଅନ୍ଧାରିଆ ସ୍ଥାନରେ ରଖି ସେମାନେ ସେସୁ ଅଫିସର୍‌ ଭଙ୍ଗା ପାଚେରି ବାଟ ଦେଇ ଭିତରକୁ ପଶିଥିଲେ। ବାତ୍ୟା ଫନି ବେଳେ ଛିଡ଼ି ଯାଇଥିବା ବିଦ୍ୟୁତ୍ ତାର ଜମା ହୋଇଥିବା ସ୍ଥାନରୁ ବିଡ଼ା ବିଡ଼ା କରି ଅଲଗା କରିଥିଲେ। ତେବେ ଠିକ୍‌ ସେଗୁଡ଼ିକୁ ଗାଡ଼ି ପାଖକୁ ବୋହିବା ପୂର୍ବରୁ ଜଣେ କର୍ମଚାରୀଙ୍କ ନିଦ ଭାଙ୍ଗି ଯାଇଥିଲା। ସେ ପାଟି କରିବାରୁ ଅନ୍ୟମାନେ ଉଠିପଡ଼ି ଚୋରମାନଙ୍କୁ ଗୋଡ଼ାଇଥିଲେ। ବିକଳରେ ଦୁର୍ବୃତ୍ତମାନେ ଗାଡ଼ି ପାଖକୁ ନଯାଇ ୧୬ନମ୍ବର ଜାତୀୟ ରାଜପଥ ପାର୍ ହୋଇ ପୋଷ୍ଟ ଅଫିସ୍ ଓ ବିଦ୍ୟାଳୟ କଡ଼ ଦେଇ ବଣ ଭିତରେ ଦୌଡ଼ି ଫେରାର୍ ହୋଇଯାଇଥିଲେ। ଏହି ସମୟରେ କର୍ମଚାରୀମାନେ ପିକ୍‌ ଅପ୍‌ ଭ୍ୟାନ୍‌କୁ ଅନ୍ଧାରିଆ ସ୍ଥାନରେ ଦେଖି ଫାଣ୍ଡି ପୁଲିସ ଜିମା ଦେଇଥିଲେ। ପୁଲିସ ଗାଡ଼ି ନମ୍ବର ଯାଞ୍ଚ କରୁଛି।

ସମ୍ବନ୍ଧିତ ଖବର