ସାଙ୍ଗ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ଲୁଟ୍‌, ୨ ଗିରଫ

ଭୁବନେଶ୍ୱର: ସାଙ୍ଗ ଏଟିଏମ୍‌ରୁ ଲକ୍ଷାଧିକ ଟଙ୍କା ଲୁଟ୍‌ ଅଭିଯୋଗରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ୨ଜଣ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ, ବରଗଡ଼ ପଦ୍ମପୁରର ରାଜକୁମାର ବାଗ ଓ ସୋନପୁର ଜିଲ୍ଲା କଳାପଥର ଗ୍ରାମର ପୂର୍ଣ୍ଣଚନ୍ଦ୍ର ସୁରୁଜଳ। ପୁଲିସ ସୂଚନା ଅନୁଯାୟୀ, ରାଜକୁମାର, ପୂର୍ଣ୍ଣଚନ୍ଦ୍ର ଓ କେନ୍ଦ୍ରାପଡ଼ା ଆଳି ଥାନା ପାଟପଡ଼ାର ସୁଧୀର ଦାସ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ନାରାୟଣୀ ସ୍କୁଲ ପରିସରରେ ରହୁଥିଲେ। ସେମାନେ ସିଇବି କଲେଜରେ ସୁରକ୍ଷା କର୍ମୀ ଭାବେ କାମ କରନ୍ତି। ଡିଜିଟାଲ ଜ୍ଞାନରେ ଦୁର୍ବଳ ଥିବା ସୁଧୀରଙ୍କୁ ଏଟିଏମ୍‌ରୁ ଟଙ୍କା ଉଠାଇବା ପାଇଁ ଅଭିଯୁକ୍ତଦ୍ବୟ ପୂର୍ବରୁ ବହୁବାର ସାହାଯ୍ୟ କରିଥିଲେ। ତେବେ ସୁଧୀରଙ୍କ ଆକାଉଣ୍ଟରେ ଲକ୍ଷାଧିକ ଟଙ୍କା ଥିବା ଜାଣିପାରି ସେମାନେ ତାଙ୍କୁ ଲୁଟିବାକୁ ସୁଯୋଗ ଉଣ୍ଡୁଥି‌ଲେ। ମୌକା ଦେଖି ସେମାନେ ସୁଧୀରଙ୍କ ଏଟିଏମ୍‌କାର୍ଡ ଚୋରାଇ ନେଇଥିଲେ। ପୂର୍ବରୁ ପାସ୍‌ୱାର୍ଡ ଜାଣିଥିବାରୁ ଏଟିଏମ୍‌କାର୍ଡରୁ ଏକ ଲକ୍ଷ ୧ ହଜାର ୯୮ ଟଙ୍କା ଉଠାଇ ନେଇଥିଲେ। ଟଙ୍କା ଚାଲିଯିବା ଜାଣି ସୁଧୀର ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିବାରୁ ପୁଲିସ ଟଙ୍କା ଉଠାଯାଇଥିବା ଏଟିଏମ୍‌ର ସିସିଟିଭି ଫୁଟେଜ୍‌ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ଉଭୟ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଗିରଫ କରାଯାଇଥିଲା।

ସମ୍ବନ୍ଧିତ ଖବର