କବାଟ ଭାଙ୍ଗି ମୁଦ୍ରା ସଂଗ୍ରାହକଙ୍କ ଘରୁ ଲୁଟ୍‌

୨ ଲକ୍ଷ ଟଙ୍କାର ବିଦେଶୀ ମୁଦ୍ରା, ସୁନାଗହଣା ନେଇଗଲେ

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ଥାନା ଅନ୍ତର୍ଗତ ବିବେକାନନ୍ଦ ମାର୍ଗସ୍ଥିତ ବିବେକାନନ୍ଦ ଆପାର୍ଟମେଣ୍ଟର ଦ୍ୱିତୀୟ ମହଲାରେ ରହୁଥିବା ମୁଦ୍ରା ସଂଗ୍ରାହକ ଅମିତ କୁମାର ମଲିକଙ୍କ ଘରୁ ଲୁଟ୍‌ ହୋଇଛି। କେହି ଦୁର୍ବୃତ୍ତ ତାଙ୍କ ଘର କବାଟ ଭାଙ୍ଗି ୨ ଲକ୍ଷ ଟଙ୍କାର ବିଦେଶୀ ମୁଦ୍ରା ସହିତ ଲକ୍ଷାଧିକ ଟଙ୍କାର ସୁନା ଗହଣା ନେଇ ଯାଇଛି। ଏନେଇ ସେ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ମୁଦ୍ରା ସଂଗ୍ରାହକ ଅମିତ ତାଙ୍କ ପରିବାର ସହ ୧୫ଦିନ ହେଲା ଭଦ୍ରକ ଜିଲ୍ଲା ଚରମ୍ପା ଅଞ୍ଚଳକୁ ଯାଇଥିଲେ। ସେ ଦୀର୍ଘଦିନ ହେଲା ବାହାରକୁ ଯାଇଥିବା ସୁଯୋଗ ନେଇ କେହି ଦୁର୍ବୃତ୍ତ ତାଙ୍କ ଘର କବାଟ ତାଡ଼ି ଦୁଇଟି ଆଲମାରି ଭାଙ୍ଗି ୫ଲକ୍ଷ ଟଙ୍କାର ସୁନା ଗହଣା ଓ ନଗଦ ୨ଲକ୍ଷ ଟଙ୍କା, ୨ଲକ୍ଷ ଟଙ୍କାର ବିଭିନ୍ନ ଦେଶରୁ ସଂଗୃହ ହୋଇଥିବା ବିଦେଶୀ ମୁଦ୍ରାକୁ ଲୁଟି ନେଇଛି। ଏଥି ସହ ଘରର ଆସବାବପତ୍ର ମଧ୍ୟ ଚୋରି କରି ନେଇଯାଇଛି। ଦୁର୍ବୃତ୍ତମାନେ ଆଲମାରିକୁ ତାଡ଼ିବା ବେଳେ ରୋଷଇ ଘରର ଲୁହା ସରଞ୍ଜାମ ବ୍ୟବହାର କରିଛି। ଅଭିଯୋଗ ଅନୁଯାୟୀ ଏଠାରେ ଏକାଧିକ ପରିବାର ରହୁଛନ୍ତି। ଆପାର୍ଟମେଣ୍ଟ୍‌ରେ ସୁରକ୍ଷାକର୍ମୀ ମଧ୍ୟ ଡ୍ୟୁଟି କରୁଛନ୍ତି। ଅମିତଙ୍କ କହିବା ଅନୁଯାୟୀ ସେ ଆଜି ତାଙ୍କ ପତ୍ନୀ ସଂଗୀତାଙ୍କ ସହ ସକାଳ ୯ଟାରେ ତାଙ୍କ ଘରକୁ ଆସିଥିଲେ। ସେ ଦେଖିଥିଲେ ଘରର ତାଲା ଭଙ୍ଗାଯାଇଛି। ଏହାପରେ ସେ ଶ୍ରୀଲିଙ୍ଗରାଜ ଥାନାକୁ ଖବର ଦଇଥିଲେ। ପୁଲିସ ପ୍ରଥମେ ସେଠାରେ ପହଞ୍ଚି ଘଟଣାର ଅନୁସନ୍ଧାନ କରିଥିଲା। ପରେ ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ଅନୁସନ୍ଧାନ କରାଯାଇଥିଲା। ତେବେ ଏଠାରେ ସୁରକ୍ଷାକର୍ମୀ ଥିବା ବେଳେ କିପରି ଏପରି ଘଟଣା ଘଟିଲା ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ଥାନା ଅଧିକାରୀ ଜନାର୍ଦନ ପାଢ଼ୀ କୁହନ୍ତି ଘଟଣାର ଅନୁସନ୍ଧାନ ଚାଲିଛି। ଡ୍ୟୁଟିରେ ଥିବା ସୁରକ୍ଷାକର୍ମୀଙ୍କୁ ଡାକି ପଚରାଉଚରା କରାଯାଉଛି।

ସମ୍ବନ୍ଧିତ ଖବର