ଡେଲିଭରି ବୟକୁ ସାବଧାନ : ଡେଲିଭରି ନାଁରେ ଆଇଏଏସଙ୍କ ଘରୁ ଲୁଟିଲା ଆମାଜନ୍‌ର ଡେଲିଭରି ବୟ!

ଭୁବନେଶ୍ୱର : ରାଜଧାନୀରେ ଜଣେ ଆଇଏଏସ୍‌ ଅଫିସରଙ୍କ ଘରୁ ଗତ ‌ନଭେମ୍ବର ୨୧ ତାରିଖରେ ଘଟିଥିବା ଚୋରି ଘଟଣାର ପର୍ଦ୍ଦାଫାସ କରିଛି ପୁଲିସ। ଏଥିରେ ସଂପୃକ୍ତ ଥିବା ଅପରାଧିଙ୍କୁ ଗିରଫ କରିବା ସହ ଚୋରି ସାମଗ୍ରୀ ଜବତ କରିଛି ପୁଲିସ। ସବୁଠାରୁ ବଡ଼ କଥା ହେଲା ଏହି ଚୋରିର ମୁଖ୍ୟ ଖଳନାୟକ ହେଉଛି ଅନଲାଇନ୍ ସଂସ୍ଥା ଆମାଜନର ଡେଲିଭରି ବୟ। ଆପଣ ଅନଲାଇନ୍ ଅର୍ଡର କରୁଛନ୍ତି କି? ତେବେ ଘରକୁ ଜିନିଷ ନେଇ ଆସୁଥିବା ଡେଲିଭରି ବୟକୁ ସାବଧାନ । ଘରେ ପଶି କଳାକନା ବୁଲାଇ ଦେଇପାରନ୍ତି ଏଭଳି ଡେଲିଭରି ବୟ । ଆସନ୍ତୁ ଜାଣିବା ଆଇଏଏସ୍ ଘରେ କେମିତି ଲୁଟିଥିଲା ଏହି ଆମାଜନ୍ ବୟ ।

ଆଇଏଏସଙ୍କ ଘରେ ଲୁଟିଲା ଆମାଜନ୍ ଡେଲିଭରି ବୟ । ରାଜଧାନୀରେ ରହୁଥିବା ଜଣେ ଆଇଏଏସଙ୍କ ଘରେ ପଶି ଅନଲାଇନ୍ ସଂସ୍ଥା ଆମାଜନର ଡେଲିଭରି ବୟ, ୬ ଲକ୍ଷରୁ ଅଧିକ ଟଙ୍କାର ସୁନାଗହଣା ଓ ନଗଦ ଟଙ୍କା ଲୁଟି ନେଇଥିଲା । ଆଜି ପୁଲିସ ହାତରେ ଧରାପଡିଛି ଲୁଟେରା । ଧରାପଡିଥିବା ଏହି ଯୁବକଙ୍କ ନାମ ଆଦିତ୍ୟ ପ୍ରସାଦ ସାହୁ । ଯିଏକି ଅନଲାଇନ୍ ସଂସ୍ଥା ଆମାଜନ୍ ପାଇଁ ଡେଲିଭରି ବୟ ଭାବେ କାମ କରନ୍ତି । ଭୁବନେଶ୍ୱରରେ ରହୁଥିବା ଜଣେ ଆଇଏଏସଙ୍କ ଘରେ ଲକ୍ଷାଧିକ ଟଙ୍କାର ଲୁଟ୍ କରିଛି ଆଦିତ୍ୟ ଏବଂ ତାର ଦୁଇ ସହଯୋଗୀ । ପୁଲିସ ତାଠାରୁ ସାଢେ ୩ ଲକ୍ଷ ଟଙ୍କାର ସୁନା ଅଳଙ୍କାର, ନଗଦ ଅଢେଇ ଲକ୍ଷ ଟଙ୍କା ଏବଂ ଲାପଟପ୍ ଓ ମୋବାଇଲ ଜବତ କରିଛି ।

ଘଟଣାଟି ଏହିପରି- ନଭେମ୍ବର ୨୧ । ଆଇଏଏସ୍ ପ୍ରଣବଜ୍ୟୋତି ଦାସଙ୍କ ଘର, ୪ ଆର୍-୧୬, ୟୁନିଟ୍-୮ । ସମୟ-ଦିନ ପ୍ରାୟ ୨ଟା । ତିନି ଦିନ ତଳେ ଘରକୁ ଅନଲାଇନ୍ ସାମଗ୍ରୀ ନେଇ ଆସିଥିବା ଆମାଜନ୍ ଡେଲିଭରି ବୟ ଆଦିତ୍ୟ, ଆଇଏଏସଙ୍କ ଘର ରେକି କରିଥିଲା । ଘରକୁ କିଏ ଆସୁଛି? କେତେବେଳେ ଆସୁଛି? ଘରେ କେହି ରହୁଛନ୍ତି କି ନାହିଁ? ସିକ୍ୟୁରିଟି ଗାର୍ଡ କେତେବେଳେ କୁଆଡେ ଯାଉଛି? ଟିକିନିଖ ଘଟଣା ଉପରେ ନଜର ରଖିବା ପରେ ଲୁଟ୍ କରିବାକୁ ଆଙ୍କିଥିଲା ବ୍ଲୁପ୍ରିଂଟ୍ । ଘଟଣା ଦିନ ଆଦିତ୍ୟ, ଘର ଆଗପଟେ ରହି ସିକ୍ୟୁରିଟି ଗାର୍ଡ ଉପରେ ନଜର ରଖିଥିଲା ଏବଂ ପଛପଟୁ ଦୁଇ ଜଣ ପଶି ତାଲା ଭାଂଗି ଘରେ କଳାକନା ବୁଲାଇଦେଇଥିଲେ । ଦିନ ଦିପହରେ ଜଣେ ଆଇଏଏସଙ୍କ ଘରେ ପଶି ଆମାଜନ୍ ଭଳି ଏକ ବଡ ଅନଲାଇନ୍ ସଂସ୍ଥାର ଡେଲିଭରି ବୟଙ୍କ ଏଭଳି ଲୁଟକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି ।

ସମ୍ବନ୍ଧିତ ଖବର