ପୁଣି କୃଷି ବିହାରରୁ ଚୋରି : ଷ୍ଟେନୋଙ୍କ ଘରେ କଳାକନା ବୁଲେଇଲେ

ଖଣ୍ଡଗିରି : ଏକ ଗ୍ରିଲ୍‌ ତଡ଼ା ସିନ୍ଧିଚୋର ଗ୍ୟାଙ୍ଗ୍‌ର ନଜର ଲାଗି ରହିଛି ଓୟୁଏଟି କୃଷିବିହାର ଉପରେ। ଗୋଟିଏ ଗୋଟିଏ ଲୁଟ୍‌ତରାଜ ଘଟାଇ ଚାଲିଛନ୍ତି। ଗତ ମାସରେ ଡିନ୍‌ ଲଳିତମୋହ ଗଡ଼ନାୟକଙ୍କ ଘରେ କଳାକନା ବୁଲାଇଥିଲେ। ଆଜି ପୁଣି ଜଣେ ଷ୍ଟେନୋଙ୍କ ଘରେ ଲୁଟ୍‌ପାଟ୍‌ କରିଛନ୍ତି। ଏହି ଚୋର ଦଳର ଶିକାର ହୋଇଥିବା ଷ୍ଟେନୋ ହେଲେ ସ୍ୱର୍ଣ୍ଣଲତା ବସ୍ତିଆ। ଘରେ କେହି ନଥିବାରୁ ସୁଯୋଗ ନେଇ ଏହି ଚୋର ଦଳ ଘରର କବାଟ ତାଲା ଭାଙ୍ଗି ଭିତରେ ପଶିବା ସହ ଆଲ୍‌ମିରା ଭାଙ୍ଗି ଲୁଟିଛନ୍ତି। ମାତ୍ର ଶ୍ରୀମତୀ ବସ୍ତିଆ ଘରେ ନଥିବାରୁ କ’ଣ ସବୁ ଚୋରି ହୋଇଛି, ଜଣାପଡ଼ିନାହିଁ। ଏ ନେଇ ଆଜି ରାତିରେ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି ଓ ପୁଲିସ ଘଟଣାସ୍ଥଳକୁ ଯାଇ ଛାନ୍‌ଭିନ୍‌ ଜାରି ରଖିଛି।

ସୂଚନାନୁସାରେ, ଆଜି କୌଣସି କାମରେ ଶ୍ରୀମତୀ ବସ୍ତିଆ ନିଜ କ୍ୱାଟର୍ସ (ଇ-୮)ରେ ତାଲା ପକାଇ ବାହାରକୁ ଯାଇଥିଲେ। ତାଙ୍କ ଘର ଉପରେ ନଜର ରଖିବାକୁ ସେ ପଡ଼ୋଶୀ ଘରକୁ କହି ଯାଇଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ ସବୁ କିଛି ଠିକ୍‌ଠାକ୍‌ ଥିଲା। କିନ୍ତୁ ରାତି ପ୍ରାୟ ୮ଟାବେଳେ ପଡ଼ୋଶୀ ଘର ଲୋକ ବାହାରକୁ ଆସିବାକୁ ବସିଥିବା ବେଳେ ଦେଖିଲେ, ତାଙ୍କ କବାଟ ବାହାର ପଟୁ କିଳି ଦିଆଯାଇଛି। ସେ ଫୋନ୍‌ କରି ତାଙ୍କ ପଡ଼ୋଶୀଙ୍କୁ ଡାକିଲେ ଓ କବାଟ ଖୋଲିବା ପରେ ଜଣାଗଲା ଯେ ଶ୍ରୀମତୀ ବସ୍ତିଆଙ୍କ ଘର ଖୋଲା ଅଛି ଓ ଭିତରେ ଲାଇଟ୍‌ ଜଳୁଛି। ତେଣୁ ଶ୍ରୀମତୀ ବସ୍ତିଆଙ୍କ ଘରୁ ଚୋରି ହୋଇସାରିଛି ବୋଲି ସେ ବୁଝି ଯାଇଥିଲେ। ପରେ ସତକୁ ସତ ଘର ଭିତରେ ଆଲ୍‌ମିରା ଭଙ୍ଗା ହୋଇଥିବା ଦେଖିବାକୁ ମିଳିଥିଲା ଓ ସବୁ ଜିନିଷପତ୍ର ଛିନ୍‌ଛତ୍ର ହୋଇପଡ଼ିଥିଲା। ତୁରନ୍ତ ସେମାନେ ଖଣ୍ଡଗିରି ଥାନାକୁ ଫୋନ୍‌ କରି ଜଣାଇଥିଲେ। ଆଲ୍‌ମିରା ଭଙ୍ଗା ହୋଇଥିବାରୁ ଗହଣାଗାଣ୍ଠି ସହ ଟଙ୍କା ପଇସା ଲୁଟ୍‌ ହୋଇଥିବା ଅନୁମାନ କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ ଗତ ମାସ ୭ ତାରିଖରେ ଏହି କଲୋନିରୁ ଡିନ୍‌ ଶ୍ରୀ ଗଡ଼ନାୟକଙ୍କ ଘରୁ ଝରକା ତାଡ଼ି ଚୋରମାନେ ସୁନାଗହଣା ଲୁଟି ନେଇଥିଲେ। ଆଜିର ଚୋରି ପରେ କଲୋନିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଓୟୁଏଟି ବୈଷୟିକ କର୍ମଚାରୀ ସଂଘର କର୍ମକର୍ତା ଶାରଦା ଚରଣ ମହାନ୍ତି ପୁଲିସର ଦୁର୍ବଳ ପାଟ୍ରୋଲିଂକୁ ଏଥିପାଇଁ ଦାୟୀ କରିଛନ୍ତି।

ସମ୍ବନ୍ଧିତ ଖବର