ଚନ୍ଦ୍ରଶେଖରପୁର : ଔଷଧ ଦୋକାନ ତାଲା ଭାଙ୍ଗି ଚୋରି

ଚନ୍ଦ୍ରଶେଖରପୁର : ନୀଳାଦ୍ରିବିହାର ଅଞ୍ଚଳର ଏକ ଔଷଧ ଦୋକାନ ସଟର୍ ତାଲା ତାଡ଼ି ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଚୋରି କରିନେଇଛନ୍ତି। ହୋମ ଟାଉନ୍ ନାମକ ଔଷଧ ଦୋକନ ମାଲିକ ହେବନ୍ତ ଦାଶଙ୍କ କହିବା ଅନୁଯାୟୀ ସେ ଗତକାଲି ଦୋକାନ ବନ୍ଦ କରି ଯିବା ପରେ ସକାଳେ ସ୍ଥାନୀୟ ଲୋକ ‌ତାଲା ଭଙ୍ଗାଯାଇଥିବା ଦେଖି ସୂଚନା ଦେଇଥିଲେ। ଏନେଇ ସେ ଚନ୍ଦ୍ରଶେଖରପୁର ଥାନାକୁ ଖବର ଦେଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ତାଙ୍କ ଦୋକାନ ଡ୍ରରେ ଥିବା ୬ହଜାର ଟଙ୍କା ଓ କିଛି ଔଷଧ ଚୋରି ହୋଇଥିବା ସେ ଅଭିଯୋଗରେ ଉଲ୍ଲେଖ କରିଛନ୍ତି।

ଚୋରି ଅଭିଯୋଗରେ ଯୁବକ ଗିରଫ
ଭୁବନେଶ୍ବର : ଏକ ଘରୋଇ ସଂସ୍ଥାରୁ ଡିଜି ଚୋରି କରିବା ଅଭିଯୋଗରେ ଜଣେ ଯୁବକକୁ ଗିରଫ କରିଛି ଖାରବେଳ ନଗର ଥାନା ପୁଲିସ। ଅଭିଯୁକ୍ତ ଯୁବକ ହେଉଛି ନୂଆପଲ୍ଲୀ ଥାନା ସାଲିଆସାହିର ରାହୁଲ କୁମାର ଭୂୟାଁ। ସେ ଏହି ସଂସ୍ଥାରେ ଇଲେକ୍ଟ୍ରିସିଆନ ଭାବରେ କାର୍ଯ୍ୟ କରୁଥିବା ଜଣାପଡ଼ିଛି। ଏପ୍ରିଲ ୬ ତାରିଖରେ ଡିଜି ଚୋରି କରି ସେ ଫେରାର୍‌ ହୋଇଯାଇଥିଲା। ଏନେଇ ସଂସ୍ଥା ପକ୍ଷରୁ ଥାନାରେ ଅଭିଯୋଗ ପରେ ପୁଲିସ ଅଭିଯୁକ୍ତକୁ ଆଜି ଗିରଫ କରିଛି।

ଝରକା ଗ୍ରିଲ୍‌ ତାଡ଼ି ଚୋରି
ପୁରୁଣା ଭୁବନେଶ୍ୱର : ଦିନରେ ମାତିଛନ୍ତି ଲୁଟେରା। ଝରକା ଗ୍ରିଲ ତାଡ଼ି ଲୁଟି ନେଇଛନ୍ତି ଟଙ୍କା ଓ ସୁନା ଗହଣା। ଏପରି ଘଟଣା ଘଟିଛି ଶ୍ରୀଲିଙ୍ଗରାଜ ଥାନା ଅଧୀନ ନାଗେଶ୍ବରଟାଙ୍ଗୀରେ। ମିଳିଥିବା ସୂଚନା ଅନୁଯାୟୀ ସେହି ଅଞ୍ଚଳରେ ରହୁଥିବା ଧୀରେନ ରାଉତ ସକାଳେ ତାଙ୍କ ସାଙ୍ଗ ଘରକୁ ଯାଇଥିଲେ। ସେ କାମ ସାରି ପୂର୍ବାହ୍ନ ସାଢ଼େ ୧୧ଟା ବେଳକୁ ଘରକୁ ଫେରି ଦେଖନ୍ତି ତ ତାଙ୍କ ଝରକା ତାଡ଼ି ୩ଟି ଗ୍ୟାସ ସିଲିଣ୍ଡର, ୪ହଜାର ଟଙ୍କା ଓ ଏକ ସୁନା ମୁଦି ଚୋରି ହୋଇଯାଇଛି। ଏନେଇ ଧୀରେନ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୋଗ ପାଇ ଘଟଣାର ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର