ଅନଲାଇନ୍‌ ସଂସ୍ଥାରୁ ଲକ୍ଷାଧିକ ଟଙ୍କାର ଜିନିଷପତ୍ର ଚୋରି

ଭୁବନେଶ୍ୱର : ଗତ ୨୨ ତାରିଖ ବିଳମ୍ବିତ ରାତିରେ ଶ୍ରୀଲିଙ୍ଗରାଜ ଥାନା ଠାରୁ କିଛିଦୂରରେ ଥିବା ଏକ ଅନ୍‌ ଲାଇନ୍‌ ସପିଙ୍ଗ୍‌ ସଂସ୍ଥାରୁ ଅଫିସ୍‌ବୟ ଲକ୍ଷାଧିକ ଟଙ୍କାର ଜିନିଷପତ୍ର ନେଇ ଯାଇଥିବା ଥାନାରେ ଅଭିଯୋଗ ହୋଇଛି। ତେବେ ଚୋରି ସମୟର ସମସ୍ତ ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ୍‌ ହୋଇଛି। ଏ ନେଇ ସଂସ୍ଥାର ମାଲିକ ମଳୟ ରଞ୍ଜନ ବିଶ୍ୱାଳ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସୂଚନା ମୁତାବକ, ଥାନା ନିକଟ ବିଦ୍ୟୁତ ଛକରେ ମଳୟଙ୍କର ଆଇ ହୋମ୍‌ ସପ୍‌ ନାମକ ଏକ ଅନ୍‌ଲାଇନ୍‌ ସପିଂ ସଂସ୍ଥାର ଅଫିସ ରହିଛି। ମାସେ ତଳେ ମହେଶ୍ୱର ପଣ୍ଡା ଓରଫ ଦୀପକ ନାମକ ଯୁବକଙ୍କୁ ଶ୍ରୀ ବିଶ୍ୱାଳ ଅଫିସ ବୟ ଭାବେ ନିଯୁକ୍ତି ଦେଇଥିଲେ। ମଙ୍ଗଳବାର ରାତି ପ୍ରାୟ ୧୦ଟାରେ ଦୀପକ ଶ୍ରୀ ବିଶ୍ୱାଳଙ୍କ ଘରେ ପହଞ୍ଚିଥିଲା। ପିଉସୀ ରାତିରେ ପୁରୀରୁ ଏଠାକୁ ଫେରିବେ ତେଣୁ ଅଫିସରେ ରାତିରେ ରହିବାକୁ ପଡ଼ିବ ବୋଲି କହିଥିଲା। ପୂର୍ବରୁ ଦୀପକ ରାତିରେ ଅଫିସରେ ରହିଥିବା ଯୋଗୁ ଶ୍ରୀ ବିଶ୍ୱାଳ ବିଶ୍ୱାସ କରି ତାକୁ ଅଫିସ ଚାବି ଦେଇଥିଲେ। ପରଦିନ ସକାଳ ପ୍ରାୟ ୮ଟାରେ ଦୀପକ ଶ୍ରୀ ବିଶ୍ୱାଳଙ୍କୁ ଫୋନ୍‌ କରି କହିଥିଲା ଯେ ସେ ପିଉସୀଙ୍କ ଘରକୁ ଯାଉଛି। ଅଫିସ ଚାବି ନିକଟସ୍ଥ ପାନ ଦୋକାନରେ ଦେଇଛି ବୋଲି ଜଣାଇଥିଲା। ଏହାର କିଛି ସମୟ ପରେ ଶ୍ରୀ ବିଶ୍ୱାଳ ଅଫିସରେ ପହଞ୍ଚିଲା ବେଳକୁ ପ୍ରାୟ ସମସ୍ତ ଇଲେକ୍ଟେନିକ୍ସ ସାମଗ୍ରୀ ଚୋରି ହୋଇଥିବା ଦେଖିବାକୁ ପାଇଥିଲେ।

ତେବେ ସିସି କ୍ୟାମେରା ଯାଞ୍ଚ କରିବାରେ ଦୀପକ ରାତିତମାମ ଯନ୍ତ୍ରପାତି ବୋହୁଥିବା ଦେଖା ଯାଇଥିଲା। ଅଫିସରୁ ୪ଟି ୱାଟର ପ୍ୟୁରିଫାଏର, ଗୋଟିଏ ସୋନି ଲାପଟପ, ୩ଟି ବାୟୋମେଟ୍ରିକ୍‌ ଡିଭାଇସ୍‌, ୪ଟି ସିସିଟିଭି କ୍ୟାମେରା, ୩ଟି ଇନ୍‌ଭର୍ଟର, ଗୋଟିଏ ଇଣ୍ଡକ୍ସନ୍‌ ଚୁଲା, ୫ଟି ଦାମୀ ବ୍ୟାଟେରି, ଗୋଟିଏ ଦାମୀ ମୋବାଇଲ ଓ ୧୦ଟି ଗ୍ରାଇଣ୍ଡର ଚୋରି ହୋଇଥିବା ଜଣାପଡ଼ିଥିଲା। ସିସିଟିଭି ଫୁଟେଜରେ ତା’ର ମୁଁହ ସ୍ପଷ୍ଟ ଦେଖା ଯାଉଥିବାରୁ ପୁଲିସ ଦୀପକୁ ଗିରଫ ପାଇଁ ତନାଘନା ଜାରିରଖିଛି।

ସମ୍ବନ୍ଧିତ ଖବର