ଖଣ୍ଡଗିରି : ଦିନକୁ ଦିନ ଅସୁରକ୍ଷିତ ହୋଇପଡ଼ୁଛି ଓୟୁଏଟି କ୍ୟାମ୍ପସ୍। ଛାତ୍ରାବାସ ହେଉ କି ପ୍ରଫେସର ବା ଅଧିକାରୀମାନଙ୍କ କ୍ୱାର୍ଟର୍ସ ହେଉ ଚୋରମାନଙ୍କ ନଜରରୁ ବର୍ତୁନାହିଁ। ପୂର୍ବରୁ ରାତିରେ ଚୋରି ହେଉଥିଲା, ଏବେ ଦିନବେଳା ଚୋରି ହେଉଛି। ମଙ୍ଗଳବାର ଦୁର୍ବୃତ୍ତମାନେ ଡିନ୍ ଲଳିତ ମୋହନ ଗଡ଼ନାୟକଙ୍କ କ୍ୱାର୍ଟର୍ସରେ ପଶି ଦୁଇଟି ଆଲ୍ମିରା ଭାଙ୍ଗି ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନାଗହଣା ଲୁଟି ନେଇଛନ୍ତି। ଏ ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହେଲା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ କରିଥିଲେ ବି ଚୋରମାନଙ୍କ ସନ୍ଧାନ ମିଳିପାରି ନାହିଁ।
ମଙ୍ଗଳବାର କୌଣସି କାମରେ ଡିନ୍ ଶ୍ରୀ ଗଡ଼ନାୟକ ପରିବାର ସହ ବାହାରକୁ ଯାଇଥିଲେ। ଅପରାହ୍ଣ ପ୍ରାୟ ୪ଟାବେଳେ ସେମାନେ ଘରକୁ ଫେରିବା ପରେ ମୁଖ୍ୟ କବାଟ ଖୋଲି ଭିତରକୁ ଯାଇଥିଲେ। କିନ୍ତୁ ଭିତର ଦୃଶ୍ୟ ଦେଖିବା ପରେ ସେମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଭିତରକୁ ଯିବା ପରେ ଦେଖିଲେ ଦୁଇଟିଯାକ ଆଲ୍ମିରା ତଡ଼ା ହୋଇଛି ଓ ସେଗୁଡ଼ିକ ଭିତରୁ ସବୁ ଜିନିଷପତ୍ର କଢ଼ାଯାଇ ଛିନ୍ଛତ୍ର କରି ତଳେ ଫିଙ୍ଗାଯାଇଛି। ଗହଣା ବକ୍ସଗୁଡ଼ିକ ଖୋଲା ହୋଇ ତଳେ ପଡ଼ିଛି। ତେବେ କେତେ ପରିମାଣର ରୁପା ଓ ସୁନାଗହଣା ଚୋରି ହୋଇଛି ସେ ବାବଦରେ ସ୍ପଷ୍ଟ ସୂଚନା ମିଳିନାହିଁ। କିନ୍ତୁ ଆଲ୍ମିରାରେ ୧୨ ହଜାର ଟଙ୍କା ଥିଲା ବୋଲି ଜଣାପଡ଼ିଛି। ପରେ ଦେଖାଗଲା ଯେ ଦୁର୍ବୃତ୍ତମାନେ ଘରର ପଛ ଝରକା ତାଡ଼ି ଭିତରକୁ ପଶିଛନ୍ତି। ଝରକା ଗ୍ରିଲ୍ ତଡ଼ା ହୋଇ ସେମିତି ବାହାର ପଟକୁ ତଳେ ରଖାଯାଇଥିଲା। ଦୁର୍ବୃତ୍ତମାନେ ସେହି ପଛ ଝରକା ବାଟେ ପଶି ପୁଣି ସେହିବାଟ ଦେଇ ବାହାରି ଯାଇଥିବା ଜଣାପଡ଼ିଥିଲା।
ଉଲ୍ଲେଖଯୋଗ୍ୟ ଯେ ଗତ ଦୁଇ ଦିନ ତଳେ ଏକ ଛାତ୍ରାବାସରୁ ବି ୩ ଜଣ ତୃତୀୟ ବାର୍ଷିକ ଛାତ୍ରଙ୍କ ମୋବାଇଲ୍ ଓ ଲାପ୍ଟପ୍ ଚୋରି ହୋଇଛି। ସେମିଷ୍ଟର ପରୀକ୍ଷା ପାଇଁ ଛାତ୍ରମାନେ ଛାତ୍ରାବାସରୁ କଲେଜ ଯାଇଥିବାବେଳେ ଦ୍ୱିପହରେ କେହି ଦୁର୍ବୃତ୍ତ ପାଚେରି ଡେଇଁ ଏଭଳି ଲୁଟ୍ପାଟ୍ କରିଥିବା ଜଣାପଡ଼ିଥିଲା। କ୍ୟାମ୍ପସ୍ରେ ସିକ୍ୟୁରିଟି ବ୍ୟବସ୍ଥା ଥିଲେ ବି ସୁରକ୍ଷାକର୍ମୀମାନେ କେବଳ ମୁଖ୍ୟ ଫାଟକରେ ଡ୍ୟୁଟି କରୁଛନ୍ତି। କ୍ୱାର୍ଟର୍ସ ଓ ଛାତ୍ରାବାସ ପାଚେରି କଡ଼କୁ ରହୁଥିବାରୁ ସେପଟକୁ କାହାର ନଜର ରହୁନାହିଁ।
ଥରେ ଧରାପଡ଼ିଥିଲେ ୨ କୁଖ୍ୟାତ ଚୋର
ଗତ ସେପ୍ଟେମ୍ବର ୧୪ ତାରିଖର ଅପରାହ୍ଣ ୨ଟାବେଳର ଘଟଣା। ଗୋଦାବରୀଶ ଛାତ୍ରାବାସରେ ପଶି ଚୋରି କରିବାକୁ ଉଦ୍ୟମ କରୁଥିବାବେଳେ ଛାତ୍ରମାନେ ଦୁଇ ଜଣ କୁଖ୍ୟାତ୍ ଚୋରଙ୍କୁ ଧରି ବହେ ଛେଚିବା ପରେ ପୁଲିସ ଜିମା ଦେଇଥିଲେ। ସେମାନେ ହେଲେ ଫାର୍ମ ଗେଟ୍ ବସ୍ତିରେ ରହୁଥିବା ଗଞ୍ଜାମ ବୁଗୁଡ଼ା ମାଣିତ୍ରାର ପ୍ରଦୀପ ଜେନା(୨୬) ଓ ୟୁନିଟ୍-୩ ସନ୍ତୁ ଗୋଦାମରେ ରହୁଥିବା ପଶ୍ଚିମବଙ୍ଗ ମେଦିନିପୁରର ମହେନ୍ଦ୍ର ନାୟକ(୩୧)। ଗତ ଡିସେମ୍ବର ୩ ତାରିଖ ଭୋର୍ ସମୟରେ ଏହି ଦୁଇ ଜଣ ଓୟୁଏଟି ଗୋଦାବରୀଶ ଛାତ୍ରବାସ-୨ରେ ରହୁଥିବା କୃଷି କଲେଜ ଛାତ୍ରମାନଙ୍କ ରୁମ୍ରୁ ୬ଟି ମୋବାଇଲ୍ ଓ ଗୋଟିଏ ଲାପଟପ୍ ଚୋରି କରି ଫେରାର୍ ହୋଇ ଯାଇଥିଲେ। ଛାତ୍ରାବାସର ପାଚେରି ଡେଇଁ ଭିତରେ ପଶିବା ପରେ ରୁମ୍ ନମ୍ବର ୩୦, ୩୪ ଓ ୪୨ରୁ ଏହି ସବୁ ଜିନିଷ ଚୋରି କରି ଫେରାର୍ ହୋଇ ଯାଇଥିଲେ। ଏ ନେଇ ଛାତ୍ରମାନେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଛାନ୍ଭିନ୍ କରିଥିଲେ ବି ଏମାନଙ୍କୁ ଧରିବାରେ ବିଫଳ ହୋଇଥିଲା। କିନ୍ତୁ ଅଭିଯୁକ୍ତ ଦ୍ୱୟଙ୍କ ମନ ଲାଗିଥିଲା ସେଇଠି। ଛାତ୍ରମାନେ କ୍ଲାସ କରିବାକୁ ଯାଇଥିବା ସମୟ ସୁଯୋଗ ଦେଖି ସେମାନେ ସେଦିନ ୧୨ଟା ବେଳେ ଛାତ୍ରାବାସରେ ପଶିଥିଲେ। ବିଭିନ୍ନ ରୁମ୍ରେ ପଶି ଦରଣ୍ଡାଦରଣ୍ଡି ଆରମ୍ଭ କରି ଦେଇଥିଲେ। ମାତ୍ର ସେତିକିବେଳକୁ କ୍ଲାସ ସାରି ଛାତ୍ରମାନେ ଛାତ୍ରାବାସକୁ ଫେରୁଥିଲେ। ଫଳରେ ଅଭିଯୁକ୍ତଦ୍ୱୟ ଧରାପଡ଼ିଗଲେ। ବହେ ମନ ଭରି ଛେଚିବା ପରେ ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲା। ଡିସେମ୍ବର ମାସରେ ସେମାନେ ହିଁ ଛାତ୍ରାବାସରୁ ୬ଟି ଦାମୀ ମୋବାଇଲ୍ ଓ ୨ଟି ଲାପଟପ୍ ଚୋରି କରିଥିଲେ ବୋଲି ମାନି ଯାଇଥିଲେ।