ପୁଲିସ ବେଶରେ ଲୁଟେରା

ଭୁବନେଶ୍ୱର: ରାଜଧାନୀରେ ପୁଲିସ ବେଶରେ ଏକ ଲୁଟେରା ଗ୍ୟାଙ୍ଗ ସକ୍ରିୟ ହୋଇ ଉଠିଛି। ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରୁ ଏହି ଗ୍ୟାଙ୍ଗ ଏକାଧିକ ବ୍ୟକ୍ତି ବିଶେଷଙ୍କୁ ଯାଞ୍ଚ କରିବା ବାହାନାରେ ଲକ୍ଷାଧିକ ଟଙ୍କା ଲୁଟି ନେଇ ସାରିଲେଣି। ଏ ନେଇ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୁଲିସ କେବଳ ଚାହିଁ ଜଳକା ହୋଇ ବସି ରହିଛି। ଗତ ୨ ମାସ ଭିତରେ ଏହି ଳୁଟେରାମାନେ ନିଜକୁ ପୁଲିସର ପରିଚୟ ଦେଇ ଅନେକ ଲୋକଙ୍କଠାରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟି ନେଉଥିଲେ ମଧ୍ୟ ପୁଲିସ ଏମାନଙ୍କୁ ଧରିବା କଥା ଦୂରରେ ଥାଉ ଏମାନଙ୍କ ସନ୍ଧାନ ମଧ୍ୟ ପାଉନାହିଁ। ଏମିତି ଘଟଣା ଘଟିଛି ରାଜଧାନୀର ପ୍ରମୁଖ ଅଞ୍ଚଳ ନୂଆପଲ୍ଲୀ, ଚନ୍ଦ୍ରଶେଖରପୁର, ବଡ଼ଗଡ଼, ପଟିଆ ଓ ବାଣୀବିହାରରେ। ଲୁଟ ବେଳେ ଏମାନେ ବ୍ୟବହାର କରୁଛନ୍ତି ଏଭଳି କିଛି ସ୍ପ୍ରେ ଯାହାଦ୍ୱାରା ଲୁଟ୍‌ର ଶିକାର ହେଉଥିବା ଲୋକ କିଛି କହିପାରି ନଥାଏ କି ବିରୋଧ ମଧ୍ୟ କରିପାରି ନଥାଏ। ଯାହା ଦ୍ୱାରା ଲୁଟେରାମାନେ ବେଶ ଆରାମରେ ସେମାନଙ୍କୁ ଲୁଟି ଚାଲିଯାଆନ୍ତି। କିଛି ଦିନର ଅନ୍ତରାଳରେ ସେମାନେ ଭିଆଇ ଥାନ୍ତି ଏଭଳି କାଣ୍ଡ।

ସୂଚନାନୁଯାୟୀ ଗତ କିଛି ବର୍ଷ ପୂର୍ବରୁ ସେମାନେ ଜଣେ ମହିଳାଙ୍କୁ ବିଏମ୍‌ସି ଅଫିସ ସାମ୍ନାରୁ ନିଜକୁ ପୁଲିସ ପରିଚୟ ଦେଇ ଲୁଟି ନେଇଥିଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା। ଏଭଳି ଘଟଣା ଅନେକ ସମୟରେ ଘଟୁଥିଲେ ମଧ୍ୟ ଲୁଟର ଶିକାର ହୋଇଥିବା ଲୋକ ପୁଲିସରେ ଅଭିଯୋଗ କରୁ ନଥିବାର ଏହା ଜଣାପଡ଼ୁ ନଥିଲା। ଏହର କିଛି ବର୍ଷ ପରେ ଅର୍ଥାତ ଚଳିତ ମାସ ୧୨ ତାରିଖରେ ନୂଆପଲ୍ଲୀ ବିଜୁ ପଟ୍ଟନାୟକ ଛକରୁ କୃଷ୍ଣଚନ୍ଦ୍ର ରାୟ ନାମକ ଜଣେ ବ୍ୟକ୍ତିଠାରୁ ସେହି ସମାନ ଢଙ୍ଗରେ ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟି ନେଲେ। ୨୨ ତାରିଖ ଦିନ ଇନ୍‌ଫୋସିଟି ଥାନା ଅଧୀନ ପଟିଆ ମ୍ୟାଗନେଟ୍‌ ଛକରେ କଟକ ଅଞ୍ଚଳର ବିଜୟ ଜେନା ନାମକ ଜଣେ ବ୍ୟବସାୟୀ ଓ ସହିଦନଗର ଥାନା ଅଧୀନରେ ଥିବା ବାଣୀବିହାର ଓଭରବ୍ରିଜ ଉପରୁ ଅଭ୍ୟୁଦୟ ଝା ନାମକ ଜଣେ ଛାତ୍ରଙ୍କୁ ନକଲି ପୁଲିସର ପରିଚୟ ଦେଇ ଦିନଦ୍ୱିପହରେ ଲୁଟିଛନ୍ତି ଲୁଟେରାମାନେ। ସୁରକ୍ଷା ଦୃଷ୍ଟିରୁ ସବୁଠୁ ଅଧିକ ସୁରକ୍ଷିତ ଥିବା ରାଜଧାନୀରେ ଖୁଲମଖୁଲା ଏହି ଲୁଟେରାମାନେ ପୁଲିସର ପରିଚୟ ଦେଇ ଲୁଟ୍‌ କରୁଛନ୍ତି। ପୁଲିସ ପାଖରେ ଏନେଇ ଅଭିଯୋଗ ହୋଇଥିଲେ ମଧ୍ୟ ପୁଲିସ ଲୁଟେରାଙ୍କୁ ଧରିବା ତ ଦୂରର କଥା ସେମାନଙ୍କ ଟେର୍‌ ମଧ୍ୟ ପାଇନାହିଁ। ଉଇ କେୟାର ଉଇ ଡେୟାର୍‌ର ଡେଙ୍ଗୁରା ପିଟୁଥିବା କମିସନରେଟ୍‌ ପୁଲିସ ସତେ ଜେମିତି ଏହି ଲୁଟେରାମାନଙ୍କୁ ଧରିବାକୁ ଅସହାୟ ହୋଇପଡ଼ିଛି।

ସମ୍ବନ୍ଧିତ ଖବର