ରସୁଲଗଡ଼ ପୂଜା ମଣ୍ଡପରେ ଲୁୁଟ, ଝାମ୍ପିନେଲେ ୫୨ ଗ୍ରାମ୍‌ର ସୁନା ଗହଣା ଓ ଟଙ୍କା

ଭୁବନେଶ୍ୱର: ଗତ ଦୁର୍ଗାପୂଜା ବେଳେ ବିଭିନ୍ନ ସ୍ଥାନରୁ ଏକ‌‌ାଧିକ ଲୁଟ୍‌ ଘଟଣା ଘଟିଥିବା ପୁଲିସରେ ଅଭିଯୋଗ ହୋଇଛି। ସେହିପରି ଏକ ଘଟଣାରେ ରସୁଲଗଡ଼ ପୂଜା ମଣ୍ଡପରେ ମା’ଦୁର୍ଗାଙ୍କୁ ଦର୍ଶନ କରିବା ବେଳେ ‘ସମ୍ବାଦ’ର କର୍ମଚାରୀ ସୁଶାନ୍ତଙ୍କ ପତ୍ନୀ ଲୀନୁଲତା ଲୁଟ୍‌ର ଶିକାର ହୋଇଥିଲେ। ଲୀନୁଲତାଙ୍କ ଠାରୁ ଦୁର୍ବୃତ୍ତ ତାଙ୍କର ଭ୍ୟାନିଟି ବ୍ୟାଗ୍‌ ସହ ସେଥିରେ ଥିବା ସୁନା ଗହଣା ଓ ଟଙ୍କା ଲୁଟି ନେଇଛନ୍ତି। ଭ୍ୟାନିଟିରେ ୫୨ ଗ୍ରାମ୍‌ ଓଜନର ସୁନା ଗହଣା ସହ ୭ ହଜାର ଟଙ୍କା ଥିଲା। ଏ ନେଇ ମଞ୍ଚେଶ୍ବର ଥାନାରେ ଅଭିଯୋଗ ହୋଇଛି। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇ ଥିଲେ ମଧ୍ୟ ଲୁଟେରାଙ୍କ ଟେର୍‌ ପାଇନାହିଁ। କେବଳ ଏହି ଘଟଣା ନୁହେଁ, ପୂଜା ସମୟରେ ବିଭିନ୍ନ ମଣ୍ଡପରୁ ଏଭଳି ୧୮ରୁ ୨୦ଟି ଲୁଟ୍‌ ଘଟିଛି। କେତେକ ସ୍ଥାନରେ ଲୋକମାନେ ଲୁଟେରାକୁ ଧରି ପୁଲିସ ଜିମା ଦେଇଛନ୍ତି। ଫେରାର୍‌ ଲୁଟେରାଙ୍କୁ କିନ୍ତୁ ପୁଲିସ ପାଇ ପାରୁନାହିଁ।

ସୂଚନା ମୁତାବକ, ଗତ ୮ ତାରିଖ ଦିନ ଉଭୟ ପତି-ପତ୍ନୀ ଯାଜପୁରରୁ ଫେରୁଥିଲେ। ବାଟରେ ରସୁଲଗଡ଼ ପୂଜା ମଣ୍ଡପରେ ମା’ ଦୁର୍ଗାଙ୍କ ଦର୍ଶନ କରିବା ପାଇଁ ଅଟକିଥିଲେ। ବାଇକ୍‌ ପାର୍କିଂ କରିବା ବେଳେ ଚୋରି ଭୟରେ ସୁଶାନ୍ତଙ୍କ ପତ୍ନୀ ବେକରୁ ଗୋଟିଏ ୨୫ ଗ୍ରାମ୍‌ ଓଜନର ସୁନା ହାର, ୧୨ ଗ୍ରାମ୍‌ ଓଜନର ମଙ୍ଗଳସୂତ୍ର, ୧୫ ଗ୍ରାମ୍‌ ଓଜନର ୪ଟି ଚୁଡ଼ି ଭ୍ୟାନିଟିରେ ରଖିଥିଲେ। ଏସବୁ ଗହଣାର ମୂଲ୍ୟ ୧୦ ଲକ୍ଷରୁ ଊର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି। ଏଥି ସହ ଭ୍ୟାନିଟିରେ ୭ ହଜାର ଟଙ୍କା ମଧ୍ୟ ଥିଲା। ଭିଡ଼ର ସୁଯୋଗ ନେଇ ଏ ସବୁ ଥିବା ଭ୍ୟାନିଟିକୁ ଦୁର୍ବୃତ୍ତ ଝାମ୍ପି ନେଇଥିଲା।

ସମ୍ବନ୍ଧିତ ଖବର